ଗାଁ ଛାଡ଼ିବାକୁ ନାରାଜ ଚନ୍ଦକା ଡ଼ମପଡ଼ା ଅଭୟାରଣ୍ୟରେ ଥିବା ୫ ଖଣ୍ଡ ଗାଁ ଲୋକେ

ଭିଟାମାଟିରେ ସରକାରୀ ସୁବିଧା ଯୋଗାଇ ଦେବାକୁ ଦାବି

ବାଙ୍କୀ ( ସଞ୍ଜିପ କୁମାର ନାୟକ) :  ଚାରିଆଡ଼େ ଘଞ୍ଚ ଜଙ୍ଗଲ। ତା ଭିତରେ ଗାଁ। ନା ଭଲ ରାସ୍ତା ଅଛି ନା ବିଜୁଳି କି ପାନୀୟ ଜଳର ସୁବିଧା। ଶିକ୍ଷା, ସ୍ୱାସ୍ଥ୍ୟ ତ ଦୂରର କଥା । ବାଙ୍କୀ ଡମପଡ଼ା ତହସିଲ ଅଧିନସ୍ଥ ଚନ୍ଦକା ଡ଼ମପଡ଼ା ଅଭୟାରଣ୍ୟ ଇଲାକା ,ଯେଉଁଠି ରହିଛି ୫ ଖଣ୍ଡ ଗାଁ ଢୋଲକାଠ, ଡାହାଣିଗଡ଼ିଆ, ବେହେଣ୍ଟାସାହି, ପିଠାଖିଆ ଓ ନୂଆକୂଅ । ବର୍ଷ ବର୍ଷ ଧରି ମୌଳିକ ସୁବିଧା ଠାରୁ ଏମାନେ ବହୁ ଦୂରରେ।

ତଥାପି ଭିଟାମାଟି ଛାଡ଼ିବାକୁ ନାରାଜ ବହୁ ଲୋକେ । ସେମାନଙ୍କ ଦାବି ମତାଧିକାର ସାବ୍ୟସ୍ତ କରୁଥିବାରୁ ସେମାନଙ୍କୁ ସମସ୍ତ ମୌଳିକ ସୁବିଧା ଦିଆଯାଉ।

ଦୀର୍ଘ ବର୍ଷ ହେଲା ଏମାନେ ଜଙ୍ଗଲ ଭିତରେ ରହିଆସୁଥିବାବେଳେ ତାଙ୍କୁ କୌଣସି ମୌଳିକ ସୁବିଧା ପ୍ରଦାନ କରିବା ସମ୍ଭବ ହୋଇପାରୁନାହିଁ। ତେଣୁ ବନବିଭାଗ ଚାହୁଁଛି, ଜଙ୍ଗଲ ଭିତରେ ୫ଟି ଗାଁର ଲୋକଙ୍କୁ ବିସ୍ଥାପନ କରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ।

ହେଲେ ଅଧିକାଂଶ ଲୋକ ଗାଁ ଛାଡ଼ିବାକୁ ନାରାଜ ଥିବାବେଳେ ଆଉ କିଛି ବନବିଭାଗ ଆଗରେ ସର୍ତ୍ତ ରଖିଛନ୍ତି। ପରିବାର ପିଛା ୧୫ ଲକ୍ଷ ଟଙ୍କା, ୫ ଏକର ଜାଗା ସମେତ ସ୍ଥାନାନ୍ତର କରାଯିବାକୁ ଥିବା ସ୍ଥାନରେ ସମସ୍ତ ମୌଳିକ ସୁବିଧା ଦେବା ପରେ ସେମାନେ ବିସ୍ଥାପିତ ହେବେ ବୋଲି କହିଛନ୍ତି।

ସେପଟେ ନିଜ ଜିଦ୍‌ରେ ଅଟଳ ଥିବା ବନବିଭାଗ କର୍ତ୍ତୃପକ୍ଷ ବିସ୍ଥାପନ ପରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

You might also like