ବିଶ୍ୱକର୍ମା ପୂଜା ପାଇଁ ପାରାଦୀପରେ ଚାଲିଛି ଜୋରଦାର ପ୍ରସ୍ତୁତି

ପାରାଦୀପ: ବିଶ୍ୱକର୍ମା ପୂଜା ପାଇଁ ପାରାଦୀପ ସହରରେ ଜୋରଦାର ପ୍ରସ୍ତୁତି ଚାଲିଛି। ତୋରଣ ଓ ମେଢ଼ ନିର୍ମାଣ ସାଙ୍ଗକୁ ସୁସଜ୍ଜିତ ଆଲୋକମାଳାରେ ସହରକୁ ସଜାଇବା ପାଇଁ ଚାଲିଛି ପ୍ରସ୍ତୁତି। ୭ ଦିନ ଧରି ହେବାକୁ ଥିବା ବିଶ୍ୱକର୍ମା ପୂଜା ପାଇଁ ମାସେ ଆଗରୁ ପାରାଦୀପର ବିଭିନ୍ନ ଶିଳ୍ପାନୁଷ୍ଠାନ, ଶ୍ରମିକ ସଂଗଠନ ଓ ବନ୍ଦରର ବିଭିନ୍ନ ବିଭାଗ ନିଜ ନିଜ ତୋରଣ ଓ ମୂର୍ତ୍ତି ତିଆରିରେ ଲାଗିପଡିଛନ୍ତି।

ଚଳିତ ବର୍ଷ ପାରାଦୀପ ସହରରେ ୩୦ରୁ ଅଧିକ ମେଢ଼ ନିର୍ମାଣ ହେଉଛି। ବଡପଡ଼ିଆ ଛକରୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଦୁଇ ପାର୍ଶ୍ୱରେ ମେଢ଼ ଗୁଡିକର ନିର୍ମାଣ କାର୍ଯ୍ୟ ଚାଲିଛି। ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୂଜାକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ଆୟୋଜକମାନେ ଲାଗି ଲାଗିପଡ଼ିଛନ୍ତି।

କୋଲକତାରୁ ନିଖୁଣ ବେଙ୍ଗଲି କାରିଗର ମାନଙ୍କୁ ଅଣାଯାଇ ମୂର୍ତ୍ତି ଓ ତୋରଣ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏବେ ମୂର୍ତ୍ତିରେ ରଙ୍ଗ ଦିଆଯାଉଥିବା ବେଳେ ତୋରଣର ବାହ୍ୟ ଓ ଭିତର ସାଜସଜ୍ଜା ମଧ୍ୟ ଚାଲିଛି। ପ୍ରତିବର୍ଷ ନୂଆ ନୂଆ ମେଢ଼ ଓ ତୋରଣ ନିର୍ମାଣ କରି ଦର୍ଶକଙ୍କୁ ଆକୃଷ୍ଟ କରିବା ସହିତ ଶେଷ ଦିନ ହେବାକୁ ଥିବା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବାକୁ ନେଇ ସମସ୍ତେ ଆଶାବାଦୀ ଅଛନ୍ତି।

ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବିଶ୍ୱକର୍ମା ପୂଜାକୁ ସୁରୁଖୁରୁରେ ସାରିବା ପାଇଁ ଉଭୟ ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

(ପାରାଦୀପରୁ ଏନ୍.ଏମ୍. ବୈଶାଖଙ୍କ ରିପୋର୍ଟ)

You might also like