କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ଓଟିଭି ଉପରେ ଏତେ ରାଗ କାହିଁକି ?
ଭୁବନେଶ୍ୱର : କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ଓଟିଭି ଉପରେ ଏତେ ରାଗ କାହିଁକି ? ହକି ବିଶ୍ୱକପ୍ ଟିକଟ୍ ବିକ୍ରିରେ ଗତକାଲିର ଚରମ ଅବ୍ୟବସ୍ଥା ସମ୍ପର୍କିତ ଖବର ପ୍ରସାରଣ ପରେ ସତେ ଯେମିତି ଖଡ଼ଗହସ୍ତ ହୋଇଛନ୍ତି ବିଶାଲ ଦେବ। ହକି ସମ୍ପର୍କିତ ଖବର ସଂଗ୍ରହ ଲାଗି ଯାଇଥିବା ଓଟିଭି ଟିମ୍କୁ ଅାଜି ନିଜ ଚାମ୍ବରରୁ ତଡି ଦେବା ସହ ସାମ୍ବାଦିକ ସମ୍ମିଳନୀକୁ ତମକୁ ଡକାଯାଇନଥିଲା, ଅାସିଲ କାହିଁକି ବୋଲି କହି ଖରାପ୍ ବ୍ୟବହାର କରିଥିଲେ କ୍ରୀଡ଼ା ସଚିବ।
ତାସହ ଓଟିଭି କୁଅାଡ଼େ ଜବରଦସ୍ତି ମୋଡି-ତୋଡି ଗୋଟିଏ କଥାକୁ ଅନ୍ୟ କରି ଦେଖାଉ ଥିବାରୁ ସେ ଚ୍ୟାନେଲ ସହ କଥା ହେବାକୁ ଚାହାନ୍ତି ନାହିଁ ବୋଲି ବି କହିଥିଲେ। ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଅପଦସ୍ଥ କରିବାର କୌଣସି ବି ମୌକା ଛାଡ଼ି ନଥିଲେ।
ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବ ଟିକେଟ୍ ବିକ୍ରିରେ ଚରମ ବିଭ୍ରାଟ ସମ୍ପର୍କରେ ତୋଡିମୋଡି ନୁହେଁ, ତଥ୍ୟଭିତ୍ତିକ ଖବର ଗତକାଲି ଓଟିଭିରେ ପ୍ରସାରଣ ହୋଇଥିଲା। ରଙ୍ଗାରଙ୍ଗ ଉଦ୍ଘଟନୀ କାର୍ଯ୍ୟକ୍ରମର ମଜା ନେବା ସହ କିଙ୍ଗ୍ ଖାନ୍ ଶାହରୁଖଙ୍କ ଝଲକ୍ ଟିକେ ପାଇବାକୁ ଦିନ ଦିନ ଧରି ଟିକେଟ୍ଟିଏ ପାଇଁ ଉତ୍କଣ୍ଠାରେ ଥିବା ହଜାର ହଜାର ହକିପ୍ରେମୀ କେମିତି ନିରାଶ ହୋଇଥିଲେ ସେ ସମ୍ପର୍କିତ ବିସ୍ତୃତ ରିପୋର୍ଟ ପ୍ରଦର୍ଶିତ ହୋଇଥିଲା।
ମଧ୍ୟାହ୍ନ ୧୨ଟା ବେଳେ ଖୋଲିଥିବା ଅନଲାଇଟ୍ ଟିକେଟ୍ କେମିତି ଅଧ ଘଣ୍ଟା ଭିତରେ ସରିଗଲା, ଦର୍ଶକ ବି ତାହା ଜାଣିବାକୁ ବି ଚାହିଁଥିଲେ। ହେଲେ କ୍ରୀଡ଼ା ବିଭାଗ ଏ ନେଇ ହାତ ଟେକି ଦେଇଥିଲା। ଖାଲି ସେତିକି ନୁହେଁ ଉଦ୍ଘାଟନୀ ଉତ୍ସବ ଲାଗି ନଭେମ୍ବର ୧୫ରୁ କାଉଣ୍ଟରରେ ଟିକେଟ୍ ମିଳିବ ବୋଲି ପ୍ରଥମେ କ୍ରୀଡ଼ା ସଚିବ କହିଥିଲେ। ଅାଉ ସେଦିନ ଲୋକେ କାଉଣ୍ଟର ଅାଗରେ ଘଣ୍ଟା ଘଣ୍ଟା ଧରି ଛିଡା ହେବାସତ୍ତ୍ୱେ ଟିକେଟ ବିକ୍ରି ନହେବାରୁ ତୁମୂଳକାଣ୍ଡ ଘଟିଥିଲା।
ତେଣୁ ଏ ସବୁ ଘଟଣାରେ କ୍ରୀଡ଼ା ସଚିବଙ୍କ ପୁଞ୍ଜିଭୁତ ଅସନ୍ତୋଷର ପ୍ରତିଫଳନ ଅାଜି ଦେଖିବାକୁ ମିଳିଥିଲା। ଏଠି ପ୍ରଶ୍ନ ଏକ ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ହିସାବରେ ଓଟିଭି, କ୍ରୀଡ଼ା ସଚିବଙ୍କ ପାଖକୁ ବିଶ୍ୱକପ୍ ହକି ସମ୍ପର୍କିତ ଖବର ସଂଗ୍ରହ କରିବାକୁ ଯିବାରେ ଅସୁବିଧା ରହିଲା କେଉଁଠି ? ଅନ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ କ୍ରୀଡ଼ା ସଚିବ ପ୍ରତିକ୍ରିୟା ଦେଉଥିବାବେଳେ ଓଟିଭିକୁ ବାରଣ କରି ଖରାପ ଅାଚରଣ ପ୍ରଦର୍ଶନ କରିବା କେତେ ଶୋଭନୀୟ ? କ୍ରୀଡ଼ା ସଚିବଙ୍କ ଏଭଳି ଅାକ୍ରୋଶମୂଳକ ବ୍ୟବହାରକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି।