ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ସ୍କୁଲକୁ ବିଳମ୍ବରେ ଆସୁଛନ୍ତି। ଆଉ ପଚାରିଲେ ନାଲି ଆଖି ଦେଖାଉଛନ୍ତି। ଖାଲି ନାଲି ଆଖି ନୁହେଁ ଗାଳିଗୁଲଜ ବି କରିବାକୁ ପଛାଇ ନାହାନ୍ତି। ବୌଦ୍ଧ ଜିଲ୍ଲାରେ ଜଣେ ସ୍କୁଲ ଦିଦିଙ୍କ ଏପରି ଦାଦାଗିରି ଦେଖିବାକୁ ମିଳିଛି। ତାଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଗତକାଲିର ବୋଲି ଜଣାପଡ଼ିଛି।
ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ଗୁଢ଼ିଆଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ କଲ୍ୟାଣୀ ଦାସ ଗତକାଲି ସ୍କୁଲକୁ ବିଳମ୍ବରେ ଆସିଥିଲେ। ବିଳମ୍ବିତ ଆସିବା ନେଇ ଗାଁ ଲୋକେ ଏ ସମ୍ପର୍କରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ ଉତ୍ତ୍ୟକ୍ତ ହୋଇ ପାଟିତୁଣ୍ଡ କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।
ଭିଡିଓରେ ଦିଦି କହୁଛନ୍ତି, ‘ମୁଁ ୧୦୦ ଟଙ୍କା ତେଲ ଖର୍ଚ୍ଚ କରି ବହୁତ ଦୂରରୁ ଆସୁଛି। ମୋତେ ଘରୁ ଆସିବା ପାଇଁ ଅଧଘଣ୍ଟା ଲାଗୁଛି।’
ଭିଡିଓର ସତ୍ୟାସତ୍ୟ ସମ୍ପର୍କରେ ପଚାରିବାରୁ ଶିକ୍ଷୟତ୍ରୀ କଲ୍ୟାଣୀ ଦାସ କହିଛନ୍ତି, ‘ମୁଁ ସ୍କୁଲରେ ପହଞ୍ଚିଲାବେଳକୁ ୧୦ ମିନିଟ୍ ଡେରି ହୋଇଯାଇଥିଲା। ସ୍କୁଲ ସଭାପତି ପିଲାମାନଙ୍କୁ ମତେଇ ମୋ ଫଟୋ ଉଠାଇଥିଲେ। ମୋର ଯଦି ଡେରି ହୋଇଯାଇଛି, ଏ ବିଷୟରେ ପରୀକ୍ଷା ପରେ କଥା ହେବି ବୋଲି ମଧ୍ୟ କହିଥିଲି। ହେଲେ ସେମାନେ ମୋ କଥା ନ ଶୁଣି ମୋ ଫଟୋ ଉଠାଇଥିଲେ। ସେଥିପାଇଁ ମୁଁ ରାଗି ଯାଇଥିଲି।’
ଏ ନେଇ ବୌଦ୍ଧ ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି, ‘ମୁଁ ଏହି ଭାଇରାଲ ଭିଡିଓ ଦେଖିଛି। ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ। ଦିଦି ବିଳମ୍ବରେ ଆସୁଥିବା ନେଇ ପୂର୍ବରୁ କେବେ ଅଭିଯୋଗ ହୋଇନାହିଁ।’
https://youtu.be/yIiHe-nhb4E