ବିଜେଡି ଛାଡିବା ପରେ ଜୀବନ ପ୍ରଦୀପ ଦାସଙ୍କ ଭାଇରାଲ ଅଡିଓକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ବିଜେଡିରୁ ନିଲମ୍ବିତ ହୋଇଥିବା ବାଲେଶ୍ୱରର ନେତା ଜୀବନ ପ୍ରଦୀପ ଦାସଙ୍କ ଏକ ଭାଇରାଲ୍ ଅଡିିଓକୁ ନେଇ ଏବେ ଚର୍ଚ୍ଚା। ଜୀବନ ପ୍ରଦୀପ ଜଣେ କର୍ମୀଙ୍କ ସହିତ ସେ କଥା ହୋଇଥିଲେ, ଯାହାର ଅଡିଓ ଭାଇରାଲ ହୋଇଛି। ଏଥିରେ ସେ ଅଭିଯୋଗ କରିଛନ୍ତି, ବାଲେଶ୍ୱର ଉପନିର୍ବାଚନରେ ଟିକେଟ୍‌ ପାଇଥିବା ସ୍ୱରୂପ ଦାସ ହେଉଛନ୍ତି ରବୀନ୍ଦ୍ର ଜେନାଙ୍କ ଲୋକ ଏବଂ ରବି ଜେନା ହିଁ ସ୍ୱରୂପ ଦାସଙ୍କୁ ଟିକେଟ୍‌ ପ୍ରଦାନରେ ସାହାଯ୍ୟ କରିଥିଲେ। ଏହା ପଛରେ ଏକ ଚାଲ୍ ଥିଲା। ସ୍ୱରୂପ ଟିକେଟ୍‌ ଫେରାଇ ଦେବେ ଏବଂ ରବୀନ୍ଦ୍ର ଲଢ଼ିବେ ବୋଲି କହିବେ। ତାହା ମଧ୍ୟ ହେଲା। ଜୀବନଙ୍କ କହିବା କଥା ହେଲା, ଯଦି ଟିକେଟ୍‌ ବଦଳିବ, ତେବେ ସେ କାହିଁକି ଲଢିବେ ନାହିଁ।

ଭାଇରାଲ ଅଡିିଓରେ ସେ କହିଛନ୍ତି, ବାଲେଶ୍ୱରରେ ଆଉ ଶାନ୍ତି ରହିବ ନାହିଁ। ବିହାର ପରି ରାଜନୀତି ହୋଇଯିବ। ଏପରି ବାଜେ ଲୋକ ସେଠାରେ ଅଛନ୍ତି। ଏହା କହିବାରୁ ମୋତେ ସେମାନେ ଘରେ ବସାଇ ଦେଲେ ବୋଲି ସେ କହୁଥିବାର ଶୁଣାଯାଉଛି। ଏହା ପରେ ଅଡ଼ିଓରେ ସମ୍ପୃକ୍ତ ବ୍ୟକ୍ତି ଆପଣ କ’ଣ କରିବେ ବୋଲି ପଚାରିବାରୁ, ଜୀବନ କହିଛନ୍ତି, ମୋଷ୍ଟଲି ବିଜେପିକୁ ଭୋଟ ଦେବେ। ଏପରିକି ବିଜେପି ଓ ବିଜେଡି ଗୋଟିଏ ଦଳ ବୋଲି ମଧ୍ୟ ସେ କହିଛନ୍ତି। ଫାଇନାନ୍ସ ଦରକାର ହେଲେ, ତାହା ମଧ୍ୟ ଯୋଗାଇ ଦେବେ ବୋଲି ଅଡିଓରେ ଜୀବନ କହୁଥିବାର ଶୁଣାଯାଉଛି।

ବିଜେଡି ଛାଡ଼ିବା ପରେ ଜୀବନ ପ୍ରଦୀପ ଦାସଙ୍କ ଏହି ଭାଇରାଲ ଅଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଭାଇରାଲ ଅଡିଓରେ ଥିବା କଥାବାର୍ତ୍ତାକୁ ସେ ସ୍ୱୀକାର କରିଛନ୍ତି। କିନ୍ତୁ ଏନେଇ ସେ ସଫେଇ ଦେଇଛନ୍ତି। କର୍ମୀଙ୍କ ମନକଥା ଜାଣିବା ପାଇଁ କଥା ହୋଇଥିଲେ ବୋଲି ସେ କହିଛନ୍ତି। ଏଥିସହ ଅଡିଓରେ କାଣ୍ଟଛାଣ୍ଟ ହୋଇଥିବା ଜୀବନ ପ୍ରଦୀପ ଦାସ କହିଛନ୍ତି।

ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋ ପକ୍ଷ ଶୁଣିବା କଥା, କିନ୍ତୁ ଶୁଣିଲେନି। ସୋ କଜ୍ କରି କାର୍ଯ୍ୟାନୁଷ୍ଠାନ ନେଇଥିଲେ ଭଲ ହୋଇଥାଆନ୍ତା। ଏକପାଖିଆ ବିଚାର କରି ନିଲମ୍ବନ କରିବା ଗ୍ରହଣ କରି ହେଉନି।

You might also like