ରାଜଧାନୀରେ ବୋମାମାଡ଼: ପିସିଆର୍‌ ଭ୍ୟାନ୍‌ ଭଙ୍ଗାରୁଜା, ଜଳିଗଲା ବାଇକ୍‌

ଭୁବନେଶ୍ୱର: ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ରଘୁନାଥନଗର। ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ଅନ୍ତର୍ଗତ ରଘୁନାଥନଗର ଅଞ୍ଚଳରେ ବୋମାମାଡ଼ ହୋଇଛି। କିଛି ଦୁର୍ବୃତ୍ତ ଦୁଇ ତିନୋଟି ଘର ଉପରେ ବୋମାମାଡ଼ କରିଥିଲେ।

ଏଥିରେ ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଛି। ବୋମା ଏତେ ଶକ୍ତିଶାଳୀ ଥିଲା ଯେ, ୨ଟି ବାଇକ୍ ଜଳିଯାଇଛି।  ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ।  ତେବେ ଲୋକଙ୍କୁ ବୁଝାସୁଝା ପାଇଁ ଖଣ୍ଡଗିରି ପୁଲିସ୍‌ର ଉଦ୍ୟମ ବେଳେ ଉତ୍ତ୍ୟକ୍ତ ଲୋକେ ପିସିଆର୍ ଭ୍ୟାନ୍‌ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି।

ଲୋକଙ୍କ ପଥରମାଡ଼ରେ ଖଣ୍ଡଗିରି ଥାନା ଆଇଆଇସିଙ୍କ ସମେତ ୪ଜଣ ପୁଲିସ୍‌ ଆହତ ହୋଇଛନ୍ତି।  ଘଟଣାସ୍ଥଳରେ ଏବେ ବି ଚାପା ଉତ୍ତେଜନା ଲାଗିରହିଛି। ତେବେ ଦୁଇ ଗାଁ ମଧ୍ୟରେ ଥିବା ପୂର୍ବ ଶତ୍ରୁତା କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ, ସରକନ୍ତରା ଓ ରଘୁନାଥନଗର ଲୋକଙ୍କ ମଧ୍ୟରେ ଗତ ଶନିବାର ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା।  ତେବେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ ହୋଇଥିଲା।  ଏହି ଘଟଣାକୁ ନେଇ ୨ ଦିନ ତଳେ ସରକନ୍ତରା ଗାଁର କିଛି ଲୋକଙ୍କୁ ରଘୁନାଥନଗରର ଲୋକ ପୁଲିସ୍‌ ଜିମା ଦେଇଥିଲେ।  ପରେ ପୁଲିସ୍‌ ସେମାନଙ୍କୁ  ଛାଡ଼ି ଦେଇଥିଲା ବୋଲି ଜଣାପଡ଼ିଛି।

ସରକନ୍ତରାର ଗାଁ ଲୋକେ ଥାନାରୁ ଫେରିବା ପରେ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି।  ବୋମାମାଡ଼ ପରେ  ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।  ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ରହିଛି।

You might also like