କିଟ୍ ଲଙ୍କାକାଣ୍ଡ ଘଟଣାରେ ୨ଟି ମାମଲା ରୁଜୁ, ୫ ଛାତ୍ର ଅଟକ

କମେଣ୍ଟ ମରାକୁ କେନ୍ଦ୍ର କରି କିଟ୍ କ୍ୟାମ୍ପସରେ ଲଙ୍କାକାଣ୍ଡ ଘଟଣା

ଭୁବନେଶ୍ୱର : ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ ଛାତ୍ର ସଂଘର୍ଷ। ଦୁଇ ଗୋଷ୍ଠୀର ଅାକ୍ରମଣରେ ୧୪ ଛାତ୍ର ଅାହତ। ଘଟଣାରେ ୨ଟି ମାମଲା ରୁଜୁ କରି ୫ ଜଣ ଛାତ୍ରଙ୍କୁ ଅଟକ ରଖିଛି କମିଶନରେଟ୍‌ ପୁଲିସ୍‌। ଏଥିସହ ଶୃଙ୍ଖଳା ରକ୍ଷା ଲାଗି କିଟ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର।

ଗତକାଲି କମେଣ୍ଟ ମରା ଘଟଣାକୁ ନେଇ କିଟ୍ କ୍ୟାଂପସରେ ଦୁଇ ଛାତ୍ର ଗୋଷ୍ଠୀ ଭିତରେ ଲଙ୍କାକାଣ୍ଡ ଘଟିଥିଲା। କଲମ ବଦଳରେ ହାତରେ ଇଟା, ପଥର, ବାଉଁଶ ଧରି ଛାତ୍ର ପିଟୁଥିଲେ ଛାତ୍ରଙ୍କୁ। କିଛି ଦିନ ତଳେ କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଭତ୍ତେଜନା ଥିଲା। ତେବେ କର୍ତ୍ତୃପକ୍ଷଙ୍କ ଅାପୋଷ ସମାଧାନ କରିଥିବା ସତ୍ତ୍ୱେ ଗତକାଲି ଉଭୟ ଗୋଷ୍ଠୀ ସୀମାସରହଦ ଡେଇଁ ମୁହାଁମୁହିଁ ହୋଇଥିଲେ।

ଦୁଇ ଛାତ୍ର ଗୋଷ୍ଠୀଙ୍କ ଗଣ୍ଡଗୋଳ ଲାଗି ସ୍ଥାନୀୟ ଲୋକେ ବି ଭୟଭୀତ ହୋଇ ପଡିଥିଲେ। ଇଟା, ପଥର ମାଡ଼ରେ କ୍ୟାମ୍ପସରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ସଂଘର୍ଷ ପରେ ଅାହତ ଛାତ୍ର ମୃତ୍ୟୁକୁ ନେଇ ଗୁଜୁବ ହୋଇଥିଲା। ଯାହାକୁ କେନ୍ଦ୍ର କରି ଗଣ୍ଡଗୋଳ ଅାହୁରି ବଢିବା ଅାଶଙ୍କା କରି ଦୁଇ ହଷ୍ଟେଲକୁ ଖାଲି କରିବାକୁ ପଡିଥିଲା। ଘଟଣାରେ ସିସିଟିଭି ଫୁଟେଜର ଯାଞ୍ଚ କରାଯିବା ସହ ଏଥିରେ ଯେଉଁ ଛାତ୍ରମାନଙ୍କ ସଂପୃକ୍ତି ଥିବ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ପୁଲିସ କମିଶନର କହିଛନ୍ତି।

ସେପଟେ ଏହି ଘଟଣାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି କିଟ୍‌ କର୍ତ୍ତୃପକ୍ଷ। ଦୁଇଟି ହଷ୍ଟେଲ ପାଖାପାଖି ଥିବାରୁ ହଷ୍ଟେଲ ଛାତ୍ର, ଛାତ୍ରୀଙ୍କୁ ଖାଲି କରାଯାଇଛି। ତେବେ ୟୁନିଭର୍ସିଟିକୁ ସାଇନ ଡାଏ ଘୋଷଣା କରାଯାଇ ନାହିଁ।

କିଟ୍‌ ବିଶ୍ୱବିଦ୍ୟାଳୟ ଛାତ୍ର ଗୋଷ୍ଠୀ ବିବାଦ ଥମିଛି ନା ନିଆଁ ଏବେବି କୁହୁଳି ରହିଛି ତାହା ସମୟ କହିବ।

You might also like