ବନ୍ଦ ପାଳନ ବେଳେ ଉତ୍ତେଜନା: କାର୍ ଭଙ୍ଗାରୁଜା, ପୋଲିସ୍‌ ସହ ଧସ୍ତାଧସ୍ତି

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ ଓଡ଼ିଶାରେ ଆଜି କଂଗ୍ରେସ ବନ୍ଦ ପାଳନ କରୁଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା। କଂଗ୍ରେସର ଏହି ୬ ଘଣ୍ଟିଆ ବନ୍ଦ ପାଳନ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖିବାକୁ ମିଳିଥିଲା।

ପୁରୀ ଅସ୍ତରଙ୍ଗ ଉଦ୍ୟାନ କାର୍ଯ୍ୟାଳୟ ଭିତରେ କଂଗ୍ରେସ କର୍ମୀମାନେ ଧସେଇ ପଶିବା ସହ ଆସବାବପତ୍ର ଭାଙ୍ଗି ଦେଇଥିଲେ। ଏହି ସମୟରେ ପୋଲିସ୍ କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ କାର୍‌ରେ ଯାଉଥିବା ଜଣେ ଯାତ୍ରୀଙ୍କୁ ଆନ୍ଦୋଳନକାରୀମାନେ ଜବରଦସ୍ତି ଅଟକାଇଥିବା ଦେଖିବାକୁ ମିଳିଥିଲା। ଆନ୍ଦୋଳନକାରୀମାନେ ଗାଡିକୁ ଗୋଇଠା ମାରିବା ସହ ଯାତ୍ରୀଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ଆନ୍ଦୋଳନକାରୀମାନେ ଗାଡ଼ିର କାଚ ଭାଙ୍ଗି ଦେଇଛନ୍ତି। ବନ୍ଦ ପାଳନ ବେଳେ ରାଜଧାନୀ ଭୁବନେଶ୍ୱରରେ ଏହି ଗୋଟିଏ ଉତ୍ତେଜନା ଦେଖିବାକୁ ମିଳିନାହିଁ ଭୁବନେଶ୍ୱରର ପିଏମ୍‌ଜିରେ ପୋଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ଓ ଠେଲାପେଲା ଦୃଶ୍ୟ ନଜର ଆସିଥିଲା। କଂଗ୍ରେସ ଭବନରୁ ରାଲିରେ ଆସିବା ବେଳେ ପୋଲିସ ଅଟକାଇବାରୁ ପୋଲିସ୍‌ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ଫଳରେ ଶତାଧିକ କଂଗ୍ରେସ କର୍ମୀଙ୍କୁ ପୋଲିସ୍‌ ଉଠାଇ ନେଇଥିବା ସୂଚନା ମିଳିଛି।

ସୋନପୁର ବିନିକାରେ ମଧ୍ୟ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଏକ ବରଯାତ୍ରୀ ଗାଡ଼ିକୁ ଆନ୍ଦୋଳନକାରୀମାନେ ଅଟକାଇ ଥିବା ଦେଖିବାକୁ ମିଳିଥିଲା। କେବଳ ବରକନ୍ୟାଙ୍କ ଗାଡ଼ିକୁ ଛଡାଯାଇଥିବା ବେଳେ ବରଯାତ୍ରୀ ବସ୍ , ଡିଜେ ଗାଡ଼ି ଓ ବିବାହ ସାମଗ୍ରୀ ଗାଡ଼ିକୁ ଛାଡ଼ି ନଥିଲେ।ବରଯାତ୍ରୀ ବସ୍ ରାଉରକେଲାରୁ ବିବାହ ସାରି ନବରଙ୍ଗପୁର ଉମରକୋଟକୁ ଫେରୁଥିବା ବେଳେ ଆନ୍ଦୋଳନକାରୀମାନେ ଗାଡ଼ିକୁ ଅଟକାଇ ଦେଇଥିଲେ।

ସେହିପରି ସମ୍ବଲପୁର ଏସ୍‌ଡିଜେଏମ୍‌ କୋର୍ଟର ବିଚାରପତିଙ୍କୁ ଫେରାଇ ଦେଇଥିଲେ କଂଗ୍ରେସ କର୍ମୀ। ବିଚାରପତିଙ୍କୁ ହାତଯୋଡ଼ି ଫେରି ଯିବାକୁ କଂଗ୍ରେସ କର୍ମୀ  ନିବେଦନ କରିଥିଲେ।

You might also like