ତୀବ୍ର ହେଉଛି ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକ ଓ ଜେଡିଏ ମଧ୍ୟରେ ବିବାଦ

ସମ୍ବଲପୁର : ତୀବ୍ର ହେଉଛି ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକ ଓ ଜେଡିଏ ମଧ୍ୟରେ ବିବାଦ। ନିର୍ଦ୍ଦେଶକ ପୂଜାହାରୀଙ୍କୁ ହଟାଇବା ଦାବିରେ ଜେଡିଏର ଅାନ୍ଦୋଳନ ଅାଜି ମଧ୍ୟ ଚାଲୁ ରହିଛି।

ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ ଅାସିଥିବା ଅଭିଯୋଗ ଉପରେ ହୋଇଛି ରୁଦ୍ଧଦ୍ୱାର ତଦନ୍ତ। ବିଭିନ୍ନ ନାଗରିକ ସଂଗଠନଙ୍କ ଠାରୁ ଗୁପ୍ତରେ ତଥ୍ୟ ଓ ମତ ସଂଗ୍ରହ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ୪ଜଣିଅା ଟିମ୍। ଏହା ପରେ ସିଧାସଳଖ ନିର୍ଦ୍ଦେଶକ ପୂଜାହାରୀ ଓ ଜେଡିଏ ସହ ବି କଥାବାର୍ତ୍ତା କରିଥିଲେ।

ଗତକାଲି ରାତି ୧୧ଟା ଯାଏଁ ନିର୍ଦ୍ଦେଶକ ପୂଜାହାରୀଙ୍କୁ ତାଙ୍କ ବିରୋଧରେ ଅାସିଥିବା ଅଭିଯୋଗ ସଂକ୍ରାନ୍ତରେ ପଉରାଉଚରା ବେଳେ ସେ ତାଙ୍କ ଉତ୍ତର ଲିଖିତ ଅାକାରରେ ରଖିଥିଲେ। ସେହିପରି ଜୁନିୟର ଡାକ୍ତର ସଂଘ ବା ଜେଡିଏ ମଧ୍ୟ ନିଜ ପକ୍ଷ ରଖିଥିଲେ ବି ଅାନ୍ଦୋଳନ ପ୍ରତ୍ୟାହାର ହେବ କି ନାହିଁ ସେ ନେଇ ସ୍ପଷ୍ଟ ଭାବେ କିଛି କହିନାହିଁ।

ମେଡିକାଲ ଭିତରେ ରୋଗୀଙ୍କ ମୁଣ୍ଡରୁ ଚୁଟି କଟା ଘଟଣା ହେଉ କିମ୍ବା ଡିନ୍‌ଙ୍କ ସହ କଥା କଟାକଟି, ଏ ସବୁ ପ୍ରସଙ୍ଗର ତଦନ୍ତ ପାଇଁ ଜୁନିଅର ଡାକ୍ତର ସଂଘ ରାଜ୍ୟପାଳ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ୧୦ ଦଫା ଦାବି ସମ୍ବଳିତ ଦାବିପତ୍ର ଦେଇଥିଲା। ଏମିତିକି ନିର୍ଦ୍ଦେଶକଙ୍କୁ ହଟାଇବା ଦାବିରେ ଏବେ ବି ଜେଡିଏର ଅାନ୍ଦୋଳନ ଚାଲିଛି। ହେଲେ ଏଭଳି ସମୟରେ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ସମର୍ଥନରେ ବାହାରିଛନ୍ତି ସ୍ଥାନୀୟ ଲୋକ ଓ ବିଭିନ୍ନ ସଂଗଠନ।

ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୧୧ଟି ସଂଗଠନ ଅାଜି ଶୋଭାଯାତ୍ରାରେ ଅାସି ତଦନ୍ତକାରୀ ଟିମ୍‌କୁ ଭେଟି ନିର୍ଦ୍ଦେଶକଙ୍କ ସପକ୍ଷରେ ମତ ରଖିଥିଲେ।

 

 

You might also like