ଡ଼ାକ୍ତରଙ୍କ ଦାଦାଗିରି ଭାଇରାଲ୍‌ !

ଡାକ୍ତରଙ୍କ ନାଁରେ ମାମଲା ରୁଜୁ କଲା ପୁଲିସ

ସମ୍ୱଲପୁର : ଭିମ୍‌ସାରରେ ରୋଗୀଙ୍କ ସଂପର୍କୀୟ ଓ ଡ଼ାକ୍ତର ମାଡ଼ ମରାମରି ଘଟଣାରେ ଡାକ୍ତରଙ୍କ ନାଁରେ ମାମଲା ରୁଜୁ। ମାଡ଼ ଖାଇଥିବା ଯୁବକଙ୍କ ବାପାଙ୍କ ଏତଲା ଆଧାରରେ ଦଫା ୫୦୬, ୩୨୩, ୩୪୧ ଓ ୩୪(IPC)ରେ ମାମଲା ରୁଜୁ କରିଛି ପୁଲିସ।

ଅନ୍ୟପଟେ ଡିଆଇଜି ହିମାଂଶୁ ଲାଲ୍ କହିଛନ୍ତି ଆସନ୍ତାକାଲି ଏନେଇ ସମୀକ୍ଷା କରାଯିବ। ଯିଏ ଦୋଷୀ ପ୍ରମାଣିତ ହେବେ ତାଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବ। ଗତକାଲି ବୁର୍ଲା ଭିମ୍‌ସାରରେ ଡାକ୍ତରଙ୍କ ଦାଦାଗିରିର ଭିଡିଓ ଭାଇରାଲ୍ ହୋଇଥିଲା।  ଭାଇରାଲ୍ ହୋଇଥିବା ଭିଡିଓରେ ଜଣେ ଯୁବକକୁ ଗାଳିଗୁଲଜ ସହ ତାଙ୍କୁ କାନ ଧରି ଉଠବସ୍ କରାଯାଉଥିବା ଦେଖିବାକୁ ମିଳୁଛି। ଯୁବକଙ୍କ ସାର୍ଟ ଚିରିଯାଇଛି  ଏବଂ ତାଙ୍କୁ ଗାଳିଗୁଲଜ କରାଯିବା ସହ ଜଣେ ଡାକ୍ତରଙ୍କ ଗୋଡ଼ ଧରି ଭୁଲ୍ ମଗାଉଥିବା ଦେଖିବାକୁ ମିଳିଛି।

ତେବେ ଏସବୁ ଘଟଣା ପୁଲିସ୍ ଉପସ୍ଥିତିରେ ଘଟିଛି। ଯାହା ଭାଇରାଲ ଭିଡିଓରେ ଦେଖାଯାଉଛି।

ଅନ୍ୟପଟେ ଡାକ୍ତରଙ୍କ ଅଭିଯୋଗ ହେଲା ଓଟିରେ ଡ୍ୟୁଟିରେ ଥିବା ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀଙ୍କୁ ଦୁଇ ଜଣ ଯୁବକ ପ୍ରଥମେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ସେ ଭିତରୁ ପୁଲିସ ଜଣଙ୍କୁ ଧରିଥିଲା। ଆଉ ଇଏ ତା ପରର ଦୃଶ୍ୟ ବୋଲି କୁହାଯାଉଛି। ଡାକ୍ତରୀଛାତ୍ରମାନେ ପୁଲିସ ଉପସ୍ଥିତିରେ ସଂପୃକ୍ତ ଯୁବକଙ୍କୁ ଏଭଳି ନିର୍ଯାତନା ଦେବା ସହ ଅନ୍ୟ ଜଣଙ୍କୁ ଧରିବା ପାଇଁ ଦାବି କରିଥିଲେ।  ଏହାପରେ ପୁଲିସ୍ ସଂପୃକ୍ତ ଯୁବକଙ୍କୁ ଅଟକ ରଖିଛି।

ଅଟକ ଥିବା ଅଭିଯୁକ୍ତର ଜଣେ ସଂପର୍କୀୟ ବୁର୍ଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।  ତାଙ୍କୁ କୁଆଡ଼େ ସଂପୃକ୍ତ ଡାକ୍ତର ପାଟ୍ଟଯୋଶୀ ଚିକିତ୍ସା କରୁଥିଲେ।  ତେବେ ସେ ସମୟରେ ଘରୋଇ ହସ୍ପିଟାଲରେ ଡାକ୍ତର ଓ ରୋଗୀଙ୍କ ସଂପର୍କୀୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା।  ଏହା ପରେ ଡାକ୍ତର ସଂପୃକ୍ତ ଯୁବକଙ୍କୁ ବୁର୍ଲା ମେଡିକାଲକୁ ଡାକି ମାଡ଼ ମାରିଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି।

You might also like