ଓଡ଼ିଶାରେ ଏଇଠି ପୂଜା ପାଆନ୍ତି ୨୦ ଫୁଟ୍‌ ଉଚ୍ଚର ଭୀମ ମୂର୍ତ୍ତି

ପୂଜା କରାଯାଏ ୨୦ ଫୁଟ୍‌ ଉଚ୍ଚର ଭୀମ ମୂର୍ତ୍ତି

ମୟୂରଭଞ୍ଜ: ଘଣ୍ଟ, ଶଙ୍ଖ, ଭଜନ କିର୍ତ୍ତନରେ ଭକ୍ତିମୟ ହୋଇ ଉଠିଛି ମୟୂରଭଞ୍ଜର ପାଉଁଶିଆ ଗାଁ। ଏଠାରେ ସ୍ୱତନ୍ତ୍ର ରିତିନିତିରେ ପୂଜା ପାଉଛନ୍ତି, ମଧ୍ୟମ ପାଣ୍ଡବ ଭୀମ। ପାଉଁଶିଆ ଗାଁରେ ଭୀମ ଏକାଦଶୀରୁ ଚାଲିଛି ଭୀମ ମେଳା। ଦୀର୍ଘ ୪୧ ବର୍ଷ ଧରି ୨୦ ଫୁଟ୍ ଉଚ୍ଚର ସୁନ୍ଦର ଭୀମ ମୂର୍ତ୍ତି ସହିତ ଲକ୍ଷ୍ମୀ ନାରାୟଣଙ୍କ ପ୍ରତିମୂର୍ତ୍ତି ଏଠାରେ ପୂଜା ପାଇ ଆସୁଛନ୍ତି।

ଗାଁ ମୁରବୀଙ୍କ ତତ୍ତ୍ୱାବଧାନରେ ଏହି ପ୍ରସିଦ୍ଧ ମେଳା ଚାଲିଥିବାବେଳେ ବିଭିନ୍ନ ପୌରାଣିକ ବିଷୟ ବସ୍ତୁର ସୁନ୍ଦର ସୁନ୍ଦର କୁଞ୍ଜ ମୂର୍ତି ମଧ୍ୟ ଏଠାରେ ଶୋଭା ପାଉଛି। ଅଗିରା ପୂର୍ଣ୍ଣମୀ ଦିନ ଅଗ୍ନି କୁଣ୍ଡରେ ଅଗ୍ନି ସଂଯୋଗ କରିବା ସହ ରଙ୍ଗିନ ବାଣ ଫୁଟାଇବା ଏବଂ ଅଗ୍ନି କୁଣ୍ଡରେ ଦାହ ଫଳ ଓ ପନିପରିବାକୁ ଗୋଟାଇବା ପରମ୍ପରା ବେଶ୍ ନିଆରା। ଯାହାକୁ ଦେଖିବା ପାଇଁ ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ବିଡ଼ ଦେଖିବାକୁ ମିଳିଛି।

୧୫ ଦିନ ଧରି ଚାଲୁଥିବା ଏହି ମେଳାକୁ ଶାନ୍ତି ଓ ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେପଟେ, ଭୀମଙ୍କୁ ଦର୍ଶନ କରିବା ସହିତ ମୀନା ବଜାରକୁ ବେଶ୍ ଉପଭୋଗ କରୁଛନ୍ତି ଦୂରଦୂରାନ୍ତରୁ ଆସିଥିବା ଦେଖଣାହାରୀ। ଘରକରଣା ସାମଗ୍ରୀ କିଣାବିକା ସାଙ୍ଗକୁ ଚଟପଟି ଖାଇବାର ମଜା ବି ଉଠାଉଛନ୍ତି ଲୋକେ।

You might also like