ଅନୁଗୁଳ: କରୋନାର ଭୟ ମଣିଷର ମଣିଷପଣିଆକୁ ମାରିଦେଉଥିବା ବେଳେ ଏବେବି କେଉଁଠି ନା କେଉଁଠି ବଞ୍ଚିଛି ମଣିଷ ପଣିଆ। ଏମିତି ମଣିଷପଣିଆର ଖବର ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖେମଳା ଗାଁରେ। ଏଠାରେ ଗାଁ ମୁଣ୍ଡ ରାସ୍ତା କଡ଼ରେ ଭଙ୍ଗା କୁଡ଼ିଆରେ ଜୀବନ ବିତାଉଥିବା ନିଃସହାୟ ଲୋକର ମୃତ୍ୟୁ ପରେ ଚାରି କାନ୍ଧ ଦେଇ ସଂସ୍କାର କରିଛନ୍ତି ଗ୍ରାମବାସୀ
ଖେମଳା ଗାଁର ପୋଲସ୍ତି ଦେହୁରୀ ଜଣେ ନିରାଶ୍ରୟ ବ୍ୟକ୍ତି। ପରିବାର କହିଲେ କେହି ନାହିଁ ବାପା, ମା କେବେଠୁ ଆର ପାରିକି ଗଲେଣି। ସେ ଗାଁରେ ମୁଲ ମଜୁରୀ କରି ଚଳୁଥିବା ବେଳେ ୧୦ ବର୍ଷ ତଳୁ ଯକ୍ଷ୍ମା ରୋଗରେ ପୀଡ଼ିତ ଥିଲେ। ତେବେ ମୃତ୍ୟୁ ପରେ ଶବ ଉଠାଇବା ପାଇଁ ଆତ୍ମୀୟ ପରିଜନ କେହି ନଥିବାରୁ ଗାଁ ର ଯୁବ ଗୋଷ୍ଠୀ ଏକାଠି ହୋଇ ଶବ ସତ୍କାର କରିବା ପାଇଁ ଆଗେଇ ଆସି ଥିଲେ। କିଛି ଯୁବକ ଚାନ୍ଦା ସଂଗ୍ରହ କରି କାନ୍ଧରେ କାନ୍ଧ ମିଶାଇ ଅନ୍ତ୍ୟେଷ୍ଟି କ୍ରିୟା କରିଥିଲେ।