ଲମତାପୁଟ: ଦାବି ପୂରଣ ନ ହେଲେ ଓଡ଼ିଶା ଛାଡ଼ି ଆନ୍ଧ୍ର ପ୍ରଦେଶରେ ମିଶିବାକୁ ବିଚ୍ଛିନ୍ନାଞ୍ଚଳବାସୀ ଧମକ ଦେଇଛନ୍ତି। ଗତକାଲି ମାଲକାନଗିରି ଜିଲ୍ଲା ଓରାପଦରରେ ଆୟୋଜିତ ସମାବେଶରେ ବିଚ୍ଛିନ୍ନାଞ୍ଚଳର ୬ଟି ପଞ୍ଚାୟତବାସୀ ଏଭଳି ଧମକ ଦେଇଛନ୍ତି।
ଅଭିଯୋଗ ଅନୁସାରେ, ପଣସପୁଟ, ଅଣ୍ଡରାପାଲି, ଜଡାଆମ୍ବ, ଯନ୍ତ୍ରୀ, ଗାଜୁଲ ମାମୁଡି ଓ ମୁଦୁଲିପଡ଼ା ପଞ୍ଚାୟତରେ ଥିବା ବିଦ୍ୟାଳୟ ଗୁଡ଼ିକରେ ଉପଯୁକ୍ତ ଶିକ୍ଷକ ନାହାନ୍ତି। ଏହାସହ ନିୟମିତ ସ୍କୁଲ ଓ ଅଙ୍ଗନବାଡି ମଧ୍ୟ ଖୋଲା ଯାଉନି। ତେଣୁ ତୁରନ୍ତ ଭଙ୍ଗା ସ୍କୁଲ ମରାମତି କରିବା ସହ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନିମନ୍ତେ ହଷ୍ଟେଲ ନିର୍ମାଣ କରିବା ପାଇଁ ଲୋକେ ଦାବି କରିଛନ୍ତି।
ସେହିପରି ପଣସପୁଟ, ଅଣ୍ଡରାପଲି, ଯନ୍ତ୍ରୀ, ଗାଜୁଲ ମାମୁଡି ଓ ମୁଦୁଲି ଗୁଡ଼ା ପଞ୍ଚାୟତରେ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ଲୋକେ ଦାବି କରିଛନ୍ତି। ସରକାର ଦାବି ପୂରଣ ନ କଲେ ଆଗାମୀ ଦିନରେ ରାଜ୍ୟ ସରକାର ଦେଇଥିବା ସମସ୍ତ ସୁବିଧା ଫେରାଇ ଆନ୍ଧ୍ର ପ୍ରଦେଶରେ ମିଶିବାକୁ ଗ୍ରାମବାସୀ ଧମକ ଦେଇଛନ୍ତି। ଏନେଇ ଆସନ୍ତା ୨୬ ତାରିଖରେ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ବିଚ୍ଛିନ୍ନାଞ୍ଚଳବାସୀ କହିଛନ୍ତି।
https://youtu.be/15dG0PsjZOA