ମଦମୁକ୍ତ ପଞ୍ଚାୟତ ହେଲା କନ୍ଧମାଳ ଜିଲ୍ଲାର ପର୍ତ୍ତମାହା

ମହିଳା ଓ ଯୁବକଙ୍କ ଉଦ୍ୟମ ହେଲା ସଫଳ

ବାଲିଗୁଡ଼ା : ମଦ ବିରୋଧରେ ଅନେକ ସ୍ଥାନରେ ଆନ୍ଦୋଳନ, ରାସ୍ତାରୋକ୍‌ ଭଳି ଘଟଣା ଘଟୁଛି। ଏପରିକି ପ୍ରତିବାଦରେ ଲୋକେ ଥାନା ମଧ୍ୟ ଘେରାଉ କରୁଛନ୍ତି।  ହେଲେ ମଦର ଦୌରାତ୍ମ୍ୟ କମୁନି; କିନ୍ତୁ କନ୍ଧମାଳ ଜିଲ୍ଲାର ଆଦର୍ଶ ପଞ୍ଚାୟତ ପର୍ତ୍ତମାହାରେ ଲୋକଙ୍କ ମିଳିତ ଉଦ୍ୟମରେ ଗଠନ ହୋଇଛି ମଦମୁକ୍ତ ପଞ୍ଚାୟତ।

କନ୍ଧମାଳ ଜିଲ୍ଲାର ଉପାନ୍ତ ଅଞ୍ଚଳର ଆଦର୍ଶ ପଞ୍ଚାୟତ ପର୍ତ୍ତମାହା। କିଛି ବର୍ଷ ପୂର୍ବେ ପଞ୍ଚାୟତରେ ପ୍ରଚୁର ପରିମାଣରେ ମଦ କାରବାର ହେଉଥିଲା ଅଶାନ୍ତ, ଓ ବିଶୃଙ୍ଖଳିତ ହୋଇପଡିଥିଲା ପୁରା ପଞ୍ଚାୟତ। ଏବେ କିନ୍ତୁ ସ୍ଥିତି ପୁରା ଭିନ୍ନ।

ମଦ ବିରୁଦ୍ଧରେ ପଞ୍ଚାୟତବାସୀ ଏକାଠି ହୋଇ ଗଠନ କଲେ ମଦମୁକ୍ତ ପଞ୍ଚାୟତ। ଅଂଚଳର ନାରୀ ସଂଘ, ଯୁବକ ସଂଗଠନ, ଓ ବୁଦ୍ଧିଜୀବୀ ମିଳିତ ଭାବେ ଗାଁ ଗାଁରେ ବୁଲି ଲୋକଙ୍କୁ ସଚେତନ କରି ଆଜି ମଦମୁକ୍ତ ପଞ୍ଚାୟତ ଗଠନ କରିବାରେ ସଫଳ ହୋଇଛନ୍ତି।

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଏହି ଉପାନ୍ତ ପଞ୍ଚାୟତ ମଦମୁକ୍ତ ହେବା ପରେ ଲୋକଙ୍କ ସାମାଜିକ ଓ ଆର୍ଥିକ ଦିଗରେ ଉନ୍ନତି ହୋଇଛି।  ପଞ୍ଚାୟତରେ ମହିଳା ଓ ଯୁବକ ସ୍ୱାବଲମ୍ବୀ ହେବା ସହ ଅଂଚଳରେ ଭାଇଚାରା ବୃଦ୍ଧି ପାଇଛି।

ଏଥିପାଇଁ ସରକାର ଏହାକୁ ଆଦର୍ଶ ପଞ୍ଚାୟତ ମାନ୍ୟତା ମଧ୍ୟ ଦେଇଛନ୍ତି।  ଆଦିବାସୀ ଉପାନ୍ତ ଅଂଚଳର ଏହି ଆଦର୍ଶ ପଞ୍ଚାୟତ ପର୍ତ୍ତମାହାରେ ମଦ ସମ୍ପୂର୍ଣ୍ଣ ବନ୍ଦ ହେବା ପରେ ଏବେ ସ୍ଥାନୀୟ ଅଂଚଳର ଲୋକଙ୍କ ପାଇଁ ଏହା ଉଦାହରଣ ପାଲଟିଛି।

ପର୍ତ୍ତମାହା ପଞ୍ଚାୟତରୁ ମଦ ସମ୍ପୂର୍ଣ୍ଣ ବନ୍ଦ ହେବା ଏବେ ଲୋକଙ୍କ ମନରେ ଢେର୍ ଆନନ୍ଦ। ଲୋକେ ସ୍ୱାବଲମ୍ବୀ ହେବା ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଆଗକୁ ବଢୁଛନ୍ତି।

You might also like