ଲୁହ ଝରାଉଛି ସହିଦ ଗୋପୀନାଥ, ସଚ୍ଚିଦାନନ୍ଦ ଓ ନିରଂଜନଙ୍କ ଜନ୍ମମାଟି
ଆଳି/ସାଲପୁର/ଚାନ୍ଦବାଲି: ଆଜି କାର୍ଗିଲ୍ ବିଜୟ ଦିବସ। ଭାରତ ପାଇଁ ଏକ ଐତିହାସିକ, ସ୍ମରଣୀୟ ଓ ଗୌରବମୟ ଦିନ। ସଲାମ୍ ସେହି ସହିଦମାନଙ୍କ ବାପା ମା’ଙ୍କୁ ଯିଏ ଜନ୍ମ ଦେଇଥିଲେ ବୀର ସନ୍ତାନମାନଙ୍କୁ। ଏହି ବିଜୟ ଦିବସର ୧୯ ବର୍ଷ ପୂର୍ତ୍ତି ଅବସରରେ ପ୍ରାଣବଳି ଦେଇଥିବା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ହେଲେ ସହିଦ ଓଡ଼ିଆ ଯବାନ ଗୋପୀନାଥ ମହାରଣା ଓ ସଚ୍ଚିଦାନନ୍ଦ ମଲ୍ଲିକଙ୍କ ସ୍ମୃତି ପାଇଁ ପ୍ରଶାସନ ପକ୍ଷରୁ ସେଭଳି କୌଣସି କାର୍ଯ୍ୟକ୍ରମ କରାଯାଇନି। ତେବେ ଦେଶ ପାଇଁ ଜୀବନ ଦେଇଥିବାରୁ ଗାଁ ଲୋକେ ବେଶ୍ ଗର୍ବିତ।
କଟକ ଜିଲ୍ଲା ଜନାର୍ଦ୍ଦନପୁର ଗାଁର ସହିଦ ଯବାନ ଗୋପୀନାଥ ମହାରଣା। କାରଗିଲ ଯୁଦ୍ଧ ସମୟରେ ଗୋପୀନାଥ ସୈନ୍ୟମାନଙ୍କୁ ଗାଡ଼ିରେ ନେବା ବେଳେ ଶତ୍ରୁପକ୍ଷଙ୍କ ଗୁଳିରେ ଟଳି ପଡିଥିଲେ। ପୁଅକୁ ପାଶୋରି ନ ପାରି ଏବେବି ମାଆ ଆଖିରୁ ଲୁହ ଝରୁଛି। ପୁଅର ଫଟୋକୁ ପଣତରେ ପୋଛିବା ବେଳେ କାନ୍ଦିପକାନ୍ତି ମାଆ ଝୁମୁରି ମହାରଣା। ତେବେ ଆଜି କାରଗିଲ୍ ବିଜୟ ଦିବସ ହୋଇଥିବା ବେଳେ ସହିଦ ଗୋପୀନାଥଙ୍କ ଗାଁରେ ପ୍ରଶାସନ ପକ୍ଷରୁ ସେଭଳି କୌଣସି କାର୍ଯ୍ୟକ୍ରମ କରାଯାଇନି। ତଥାପି ତାଙ୍କ ସ୍ମୃତିକୁ ମନେ ପକାଇଲେ ଆତ୍ମୀୟସ୍ୱଜନଙ୍କ ଛାତି ଗର୍ବରେ ଫୁଲି ଉଠେ।
ସେପଟେ ଅବବେହଳିତ ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା କଣ୍ଡିଆ ଗାଁର ସହିଦ ଯବାନ ସଚ୍ଚିଦାନନ୍ଦ ମଲ୍ଲିକଙ୍କ ସମାଧିସ୍ଥଳ। ସଚ୍ଚିଦାନନ୍ଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିମୂର୍ତ୍ତି ସ୍ଥାପନ ଲାଗି ପ୍ରଶାସନ ପ୍ରତିଶ୍ରୁତି ଦେଇ ସଂପୂର୍ଣ୍ଣ ଭୁଲି ଯାଇଛି। ଏହାକୁ ନେଇ ପରିବାର ଲୋକ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଛି। କିନ୍ତୁ ନିଜ ଗାଁ ମାଟିର ଲୋକମାନେ ଭୁଲି ନାହାନ୍ତି ସେ ଲଢ଼ୁଆ ପୁଅକୁ। ସହିଦ ସଚ୍ଚିଦାନନ୍ଦଙ୍କ ପାଇଁ ଗର୍ବଅନୁଭବ କରନ୍ତି ପରିବାର ଲୋକ।
ସେପଟେ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନ ନିରଞ୍ଜନ ବେହରାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ପାଙ୍ଗୁଡା ଗାଁର ନିରଞ୍ଜନଙ୍କୁ ଗ୍ରାମବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆଖୁଳୀ ଚରଣ ବେହେରାଙ୍କ ସାନପୁଅ ନିରଞ୍ଜନ କାରଗିଲ ଯୁଦ୍ଧରେ ସହିଦ ହୋଇଥିଲେ। ଦେଶ ପାଇଁ ଜୀବନ ଦେଇଥିବାରୁ ଗାଁ ଲୋକ ଏବେ ବି ତାଙ୍କୁ ନେଇ ବେଶ ଗର୍ବିତ।
(ସାଲେପୁରରୁ ମନୋଜ ଆଚାର୍ଯ୍ୟ, ଆଳିରୁ ବନମାଳି ସାହୁ ଓ ଚାନ୍ଦବାଲିରୁ ବାସୁଦେବ ଦାସଙ୍କ ରିପୋର୍ଟ)