କରୋନା ଭୟରେ ଗର୍ଭବତୀଙ୍କ ମୃତଦେହକୁ ପୂରାଇ ଦେଲେନି ଗାଁ ଲୋକେ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋରରେ ଅଭାବନୀୟ ଘଟଣା ଘଟିଛି। ଟ୍ରେଜେରୀ ଅଫିସରଙ୍କ ପତ୍ନୀଙ୍କ ମୃତଦେହକୁ ଗାଁ ମଶାଣିକୁ ଆଣିବା ପାଇଁ ବାରଣ କରିଛନ୍ତି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଏକତାଳି ଗାଁ ଲୋକେ। ମୃତକ ହେଲେ ଏକତାଳି ଗାଁର ମହେନ୍ଦ୍ର ହାଁସଦାଙ୍କ ପତ୍ନୀ ସୁନୀତା ବାସ୍କେ। ସେ ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଟ୍ରେଜେରୀ ଅଫିସର ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ଗର୍ଭବତୀ ଥିବାରୁ ଜଳେଶ୍ୱର କୋର୍ଟରେ କିରାଣୀ ଭାବେ କାର୍ଯ୍ୟରତ ସ୍ୱାମୀ ମହେନ୍ଦ୍ର ହାଁସଦାଙ୍କ ପାଖକୁ ଯାଇଥିଲେ।

ଉଭୟେ ସୋରରେ ଏକ ଘରଭଡ଼ା ନେଇ ରହୁଥିଲେ। ଆଜି ଭୋରରୁ ସୋରର ଏକ ଘରୋଇ ନର୍ସିଂ ହୋମରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବାବେଳେ ଚିକିତ୍ସା ଅବହେଳାରୁ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ମୃତକଙ୍କ ସ୍ୱାମୀ ସୋର ଥାନାରେ ଏତଲା ବି ଦେଇଛନ୍ତି।

ଏଭଳି ସ୍ଥିତିରେ ମୟୁରଭଞ୍ଜ ବିଜାତଳା ବ୍ଲକ ଏକତାଳି ବାସିନ୍ଦା ମୃତଦେହକୁ ଗାଁକୁ ନଆଣିବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ମୃତଦେହକୁ ଗାଁକୁ ଆଣିଲେ କିମ୍ବା ଗାଁ ମଶାଣିକୁ ଆଣିଲେ ବାସନ୍ଦ କରାଯିବ ବୋଲି ଧମକ ଦେଉଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ୱାମୀ ମହେନ୍ଦ୍ର ହାଁସଦା।

ରାମଚନ୍ଦ୍ରଙ୍କ ଏହି ଦୁଃଖର ବେଳାରେ ସୋର ଆଇନ୍‌ଜୀବୀ ସଂଘ ଆଗେଇ ଆସିଥିଲେ। ସଂଘର କର୍ମକର୍ତ୍ତାମାନେ ଟ୍ରେଜେରୀ ପଛ ପାର୍ଶ୍ୱରେ ଥିବା ଶ୍ମଶାନରେ ଶବ ସତ୍କାର କରିଥିବା ଜଣାପଡ଼ିଛି।

You might also like