ଛୁଆଙ୍କ ଅଣ୍ଡା ଖାଇଗଲେ ଅଙ୍ଗନୱାଡି ଦିଦି !
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଜାଲ ଦସ୍ତଖତ ମାରି ଛୁଆଙ୍କ ଚାଉଳ, ଛତୁଆ ଓ ଅଣ୍ଡା ଅଙ୍ଗନୱାଡି ଦିଦି ଖାଇଗଲେ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏଭଳି ଅଭିଯୋଗ ଆସିଛି। ଗାଁର ଅଙ୍ଗନୱାଡି କେନ୍ଦ୍ରରେ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଖାଦ୍ୟକୁ ଦିିଦି ମାମିନା ନାଏକ ଆତ୍ମସାତ୍ କରୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ପାଖାପାଖି ୪ ମାସ ହେଲାଣି ଛୁଆଙ୍କୁ ଚାଉଳ, ଛତୁଆ କିମ୍ବା ଅଣ୍ଡା ପ୍ରଦାନ କରାଯାଇନାହିଁ।
ମାତ୍ର କାଗଜ କଲମରେ ସବୁ କିଛି ତଥ୍ୟ ପ୍ରଦାନ କରାଯାଇଛି। ଦିଦି ନିଜ ଘରେ ନ ରହି ଅଙ୍ଗନୱାଡି କେନ୍ଦ୍ରକୁ ନିଜର ଘର ଭାବରେ ହାତେଇଥିବାର ମଧ୍ୟ ଅଭିଯୋଗ ହୋଇଛି। ଏପରିକି ଅଭିଯୋଗକାରୀଙ୍କ ସହ ଅଙ୍ଗନୱାଡି ଦିଦି ମାମିନା ନାଏକ ଯୁକ୍ତିତର୍କ ସହ ଗାଳିଗୁଲଜ କରୁଥିବାର ମଧ୍ୟ ଗାଁ ଲୋକେ ଅଭିଯୋଗ କରିଛନ୍ତି।
ଜୟପୁରାକାଟେଣୀ ଅଙ୍ଗନୱାଡ଼ି କେନ୍ଦ୍ରରେ ଅନିୟମିତତା ହେଉଥିବାରୁ ସ୍ଥାନୀୟ ଲୋକେ ତଦନ୍ତ ପାଇଁ ଦାବି କରିଛନ୍ତି। ସେପଟେ ଏହି ଅଭିଯୋଗକୁ ଅଙ୍ଗନୱାଡି କର୍ମୀ ଚଉରୀ ରାଉତ ଖଣ୍ଡନ କରିଛନ୍ତି। ଘଟଣାର ତଦନ୍ତ ସହ ହିତାଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ପରଜଙ୍ଗ ସିଡିପିଓ କହିଛନ୍ତି।
ପିଲା ସ୍କୁଲ ଆସିଲେ ଫେରିକି ଯାଉଛନ୍ତି। ଶିକ୍ଷକମାନେ ଠିକ୍ ଭାବେ ପଢାଉନାହାନ୍ତି। ଚାଉଳ କଥା ପଚାରିଲେ ଏଠି ଦିଆଯାଇନି ବୋଲି କହୁଛନ୍ତି। ଆଉ ଯେବେ ଆସୁଛି, ପିଲାଙ୍କୁ ଅଣ୍ଡା, ଚାଉଳ ଠିକ୍ ଭାବରେ ଦେଉନାହାନ୍ତି।
-ବିଜୁଳି ଦାସ, ଅଭିଭାବକ, ଗୋବିନ୍ଦପୁର
ପ୍ରତି ମାସରେ ଆମ ତରଫରୁ ଚାଉଳ ଓ ଅଣ୍ଡା ଦିଆଯାଉଛି। ସାମଗ୍ରୀ ହଡ଼ପ ହେବାର କୌଣସି ପ୍ରଶ୍ନ ଉଠୁନି। ବର୍ତ୍ତମାନ ଗର୍ଭବତୀ ୩ ଜଣ ଅଛନ୍ତି। ଛତୁଆ ଖାଇବା ପିଲା ୨୭ ଜଣ ଅଛନ୍ତି। ସେମାନେ ଠିକ୍ଠାକ୍ ଦେଉଛନ୍ତି। କୌଣସି ଅନିୟମିତତା ନାହିଁ।
-ଚଉରୀ ରାଉତ, ଅଙ୍ଗନୱାଡି କର୍ମୀ, ଜୟପୁରାକାଟେଣୀ-୨
ଯଦି ପିଲାଙ୍କୁ ଅଣ୍ଡା, ଚାଉଳ ଆଦି ଦିଆଯାଇନି, ତାହାହେଲେ ମୁଁ ନିଜେ ସେଇ ଗାଁକୁ ଯାଇ ସେମାନଙ୍କ ଠାରୁ ସତ୍ୟାସତ୍ୟ ପ୍ରମାଣ ଆଣିବି। ଏବିଷୟରେ ଗାଁ ଲୋକ ଓ ହିତାଧିକାରୀଙ୍କ ସହିତ କଥା ହେବି। ଯଦି ସତ ହୋଇଥିବ, ମୁଁ କାର୍ଯ୍ୟାନୁଷ୍ଠାନ ନେବି।
-ମମତା ମଞ୍ଜରୀ ଦେଓ, ସିଡିପିଓ, ପରଡଙ୍ଗ