ଗାଁ ମୁହାଁ ସଂକ୍ରମଣ: ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ ସେଠି କ୍ୱାରେଣ୍ଟାଇନ୍‌ରେ ଲୋକେ ରହିବେ କେଉଁଠି?

ଆଶା ଓ ଅଙ୍ଗନୱାଡ଼ିକର୍ମୀଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ବଢୁଥିବା କରୋନା ସଂକ୍ରମଣ ଉପରେ କେମିତି ଲାଗିବ ରୋକ୍? ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏ ଚିନ୍ତା ଘାରିଥିବା ବେଳେ ସ୍ଥିତି ମୁକାବିଲା ପାଇଁ ଗାଁରେ ଗାଁରେ ବ୍ୟାପକ ହୋଇଛି ସଂକ୍ରମଣ ବିରୋଧୀ ଅଭିଯାନ। ବାହାରୁ ଆସିଲେ କିମ୍ବା ଲକ୍ଷଣ ପ୍ରକାଶ ପାଇଲେ ଲୋକେ କେମିତି ଅଲଗା ହୋଇ ହୋମ୍ କ୍ୱାରେଣ୍ଟିନରେ ରହିବେ ସେ କଥା ଘରକୁ ଘର ଯାଇ ବୁଝାଉଛନ୍ତି ଆଶା ଓ ଅଙ୍ଗନବାଡ଼ି କର୍ମୀ। ହେଲେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଜି ବି ଲୋକେ ବାସଗୃହ ସମସ୍ୟାରେ ଘାଣ୍ଟି ହେଉଥିବା ବେଳେ ସେମାନଙ୍କ ପାଇଁ ହୋମ୍ କ୍ୱାରେଣ୍ଟିନ୍ ନିୟମ କେବଳ ଧର୍ମକୁ ଆଖିଠାର ମାତ୍ର।

ଗ୍ରାମାଞ୍ଚଳରେ କାୟା ମେଲାଉଥିବା କରୋନା ସଂକ୍ରମଣ ଉପରେ କେମିତି ଲାଗିବ ରୋକ୍? ରାଜ୍ୟରେ ଅଧାରୁ ଅଧିକ ସଂକ୍ରମିତ, ଗାଁରୁ ଠାବ ହେଉଥିବାରୁ ଏ ସ୍ଥିତିର କିଭଳି ହେବ ମୁକାବିଲା? ଗାଁ ଅଭିମୁଖି ସଂକ୍ରମଣ ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫୋକସରେ ଏବେ ଗ୍ରାମାଞ୍ଚଳ। ଏଥିପାଇଁ ହୋମ୍ କ୍ୱାରେଣ୍ଟିନକୁ ଗୁରୁତ୍ୱ ସହ ଅଙ୍ଗନଓ୍ୱାଡ଼ି ଓ ଆଶାକର୍ମୀଙ୍କୁ ମିଳିଛି ଗୁରୁ ଦାୟିତ୍ୱ। ରାଜ୍ୟ ବାହାରୁ ଆସୁଥିବା ଲୋକେ କେମିତି ସଙ୍ଗରୋଧରେ ରହିବେ, ପରିବାର ସଦସ୍ୟଙ୍କଠାରେ ଲକ୍ଷଣ ଦେଖାଦେଲେ ନିଜକୁ ସେମାନେ କିପରି ଅଲଗା ରଖିବେ ଏବଂ କେହି ପଜିଟିଭ୍ ଚିହ୍ନଟ ହେଲେ ହୋମ୍ କ୍ୱାରେଣ୍ଟିନ୍ ନିୟମ କେଉଁଁ ଭଳି ମାନିବେ, ସେ ନେଇ ଘରକୁ ଘର ବୁଲି ବୁଝାଉଛନ୍ତି ଆଶା କର୍ମୀ। ହେଲେ ଗାଁର ସ୍ଥିତିକୁ ଆଖିରେ ଦେଖିଲା ପରେ ନିଜେ ତାଜୁବ୍ ଆଶା କର୍ମୀ।

ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ଗୋଟିଏ ବଖରାରେ ଘରର ୫ରୁ ୬ ସଦସ୍ୟ ରହିଥିବା ଦେଖିବାକୁ ମିଳିଥିଲା। ଏଠି ପ୍ରଶ୍ନ, ଏମାନଙ୍କ ଭିତରୁ ଯଦି କାହାରି ଲକ୍ଷଣ ପ୍ରକାଶ ପାଇଲା, ତେବେ ସେ ଯିବେ କୁଆଡ଼େ? ଗାଁ ଗହଳିର ଏ ନିଚ୍ଛକ ଚିତ୍ର କେବଳ ନୀଳିଗିରେ ସୀମିତ ନୁହେଁ କଳାହାଣ୍ଡି ଧର୍ମଗଡ଼ରୁ ଗଞ୍ଜାମର ଖଲ୍ଲିକୋଟ ଯାଏଁ ସବୁଠି ସମାନ ସ୍ଥିତି। ଯେଉଁଠି ମୁଣ୍ଡ ଗୁଞ୍ଜିବାକୁ ଲୋକଙ୍କ ପାଖରେ ଘରର ଅଭାବ, ସେଠି ହୋମ୍ କ୍ୱାରେଣ୍ଟିନ୍ କେବଳ ଧର୍ମକୁ ଆଖିଠାର।

ଏପଟେ କୋଭିଡ ଦ୍ୱିତୀୟ ଲହରରେ ଗ୍ରାମାଞ୍ଚଳ ଅଧିକ ପ୍ରଭାବିତ ହେଉଥିବାର ରିପୋର୍ଟ ପରେ ଗାଁ ଗାଁରେ ତୁରନ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ବା TMC ଖୋଲିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ। ତେଣେ ଗାଁରେ ସଂକ୍ରମଣ ରୋକିବାକୁ ପ୍ରଶାସନ ଯେଉଁ ତତ୍ପରତା ଦେଖାଇଛି, ତାହା ଆଉ କିଛି ଦିନ ଆଗରୁ କରିଥିଲେ ହୁଏତ, ସ୍ଥିତି ଏଭଳି ହୋଇନଥାନ୍ତା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଏଣେ ମାଲକାନଗିରି ବଣ୍ଡା ଘାଟିରେ କୋରନାର ଉପସ୍ଥିତି ପରେ ଦୁଇ ଦିନ ଧରି ଜିଲ୍ଲା ପ୍ରଶାସନର ସଚେତନତା କସରତ ପରେ ଆଜି ଅଞ୍ଚଳରେ ଆରମ୍ଭ ହୋଇଛି ଟିକାଦାନ ପ୍ରକ୍ରିୟା। କରୋନା ରୋଗୀଙ୍କୁ ଚିହ୍ନଟ ଲାଗି ଆସନ୍ତା ୨୪ ତାରିଖରୁ ରାଜ୍ୟବ୍ୟାପି ଘରକୁ ଘର ବୁଲି ସର୍ଭେ ଆରମ୍ଭ ହେଉଥିବା ବେଳେ ଗାଁରେ କୋଭିଡ୍ ଲଢ଼େଇକୁ ଏହା କେମିତି ବଲ ଦେଉଛି, ତାକୁ ଅପେକ୍ଷା ରହିଛି।

You might also like