ରାଜ୍ୟରେ ଜୋରସୋରରେ ଚାଲିଛି ଭିଜିଲାନ୍ସ ଚଢ଼ାଉ, ଜାଣନ୍ତୁ ଆଜି କେଉଁ କେଉଁ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ

ରାଜ୍ୟରେ ଲଗାତାର  ଭାବରେ ବଢିଚାଲିଛି ଭିଜିଲାନ୍ସ ଚଢାଉ।

ଭୁବନେଶ୍ୱର: ରାଜ୍ୟରେ ଲଗାତାର  ଭାବରେ ବଢିଚାଲିଛି ଭିଜିଲାନ୍ସ ଚଢାଉ। ତେବେ ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କୋର୍ଟରେ ଏଏସଆଇ ଭାବେ କାର୍ଯ୍ୟରତ ରବୀନ୍ଦ୍ରନାଥ ସେନାପତିଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଏହାସହ ଜଗତସିଂହପୁରର ଖେରସରେ ଥିବା ଦୁଇ ମହଲା ବିଶିଷ୍ଟ ବାସଭବନ, ଭୁବନେଶ୍ୱର ହଂସପାଳ ସୁରେଖା ବାଟିକା ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ଏରସମାର ଆନନ୍ଦପୁର ଗାଁରେ ଥିବା ପୈତୃକ ବାସଭବନ ଓ ତିର୍ତ୍ତୋଲ କୋର୍ଟ ଭିତରେ ଥିବା ଅଫିସରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ସର୍ଚ୍ଚ ଓ୍ୱାରେଣ୍ଟ ଜାରି କରାଯାଇ ଚଢ଼ାଉ କରାଯାଇଛି।

ସେପଟେ ବ୍ରହ୍ମପୁରର ଲିଙ୍ଗରାଜ ଲ କଲେଜର କିରାଣିଙ୍କ ଘରେ ବି ଭିଜିଲାନ୍ସ ଚଢ଼ଉ। କଲେଜର କିରାଣି ତଥା ଟାଇପିଷ୍ଟ ଭାବେ କାର୍ଯ୍ୟରତ ପ୍ରଶାନ୍ତ କୁମାର ନାୟକଙ୍କ ୫ଟି ସ୍ଥାନରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଆସ୍କା ରୋଡ଼ରେ ଥିବା ପ୍ରଶାନ୍ତଙ୍କ ତିନି ମହଲା ବିଶିଷ୍ଟ କୋଠା ଓ ମୋଟର ପାର୍ଟସ ଦୋକାନ, ବ୍ୟାଙ୍କ କଲୋନିରେ ଥିବା ତିନି ମହଲା ବିଶିଷ୍ଟ ଘର, ଆସ୍କା ରୋଡ଼ରେ ଥିବା ଦୁଇ ମହଲା ବିଶିଷ୍ଟ ଗୋଦାମ ଘର, ବ୍ରହ୍ମପୁରର ବୃନ୍ଦାବତୀ ନଗରରେ ଭଡ଼ାରେ ଲାଗିଥିବା ଗୋଦାମ ଘର ଓ ବିଷ୍ଣୁ ନଗରରେ ଭଡ଼ାରେ ଲାଗିଥିବା ଗୋଦାମ ଘରେ ଏକକାଳୀନ ଚଢ଼ଉ କରାଯାଇଛି। ଏହାସହ ତାଙ୍କ ଘରୁ ନଗଦ ୧୮ ଲକ୍ଷ ୫ ହଜାର ୧୦ ଟଙ୍କା ଜବତ କରାଯାଇଥିବା ନେଇ ମଧ୍ୟ ସୂଚନା ମିଳିଛି।

ତେବେ କହିବାକୁ ଗଲେ, ଗତ କିଛିଦିନ ହେବ ରାଜ୍ୟରେ ଭିଜିଲାନ୍ସ ଚଢାଉ ମାମଲା ବଢିବାରେ ଲାଗିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ରାଜ୍ୟର ତିନିଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ବଲାଙ୍ଗିର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମ୍ୟାନେଜର ସୁଧୀର ନନ୍ଦ। ସମ୍ବଲପୁର ଭିଜିଲାନ୍ସର ୪ ଜଣିଆ ଟିମ୍, ମ୍ୟାନେଜର ସୁଧୀର ନନ୍ଦଙ୍କ ୨ଟି ଘର ଓ ବ୍ୟାଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରି ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଛି।

କୋର୍ଟରେ କାର୍ଯ୍ୟରତ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍ସେପଟେ ଗଞ୍ଜାମ ଜିଲ୍ଲା ଚିକିଟି କଲେଜ୍ ଡେମନଷ୍ଟ୍ରେଟର କୈଳାସ ମହାନ୍ତିଙ୍କ ଘରେ ବି ରେଡ୍ କରିଛି ଭିଜିଲାନ୍ସ। କୈଳାସଙ୍କ ଭୁବନେଶ୍ୱର, ବ୍ରହ୍ମପୁର, ଚିକିଟି ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ତାଙ୍କଠାରୁ ଲକ୍ଷାଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତିର ହିସାବ ମିଳିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ ଅନୁଗୁଳର କନିଷ୍ଠ କିରାଣୀ ବି ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଅନୁଗୁଳ ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗରେ କାର୍ଯ୍ୟରତ ଜୁନିୟର କ୍ଲର୍କ ରୋହିତାସ ବାଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରୋହିତାସଙ୍କ ସରକାରୀ ବାସଭବନ, ଆଠମଲ୍ଲିକସ୍ଥିତ ଘର, ଫ୍ୟାକ୍ଟ୍ରି ଏବଂ ବୌଦ୍ଧରେ ଥିବା ଫ୍ୟାକ୍ଟ୍ରିରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।

ଗତକିଲା ମଧ୍ୟ ଭିଜିଲାନ୍ସ ଚଢାଉ ଜାରି ରଖିଥିଲା। ଗତକାଲି କଳାହାଣ୍ଡି ଧର୍ମଗଡ଼ରେ ପଞ୍ଚାୟତ ପିଇଓଙ୍କ ଘରେ ଭିଜିଲାନ୍ସ ଯାଞ୍ଚ ହୋଇଛି। ଭବାନୀପାଟଣା ବ୍ଲକ ଥୁଆପଦର ପଞ୍ଚାୟତ ପିଇଓ ବାଲେଶ୍ୱର ନାଏକଙ୍କ ଘରେ ରେଡ୍ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଯାଞ୍ଚ ହୋଇଥିବା ଜଣାପଡ଼ିଛି। ପିଇଓ ବାଲେଶ୍ୱର ନାଏକଙ୍କ ଭବାନୀପାଟଣା, ଭେଲାଗାଁ ଘର ଓ ପଞ୍ଚାୟତ ଅଫିସ୍ରେ ରେଡ୍ କରାଯାଇଛି। ସେହିପରି ଗାଇସିଲେଟ ବ୍ଲକ ତାଲପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ପାଣ୍ଡବ ନନ୍ଦଙ୍କ ଘରେ ବି ଚଢ଼ାଉ କରିଥିଲା ଭିଜିଲାନ୍ସ।

କିଛିଦିନ ତଳେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇଜଣ ଅଙ୍ଗନବାଡ଼ୀ କର୍ମୀଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ। ବ୍ରହ୍ମପୁରର ୯ ନମ୍ବର ୱାର୍ଡର ଅଙ୍ଗନବାଡ଼ି କର୍ମୀ ଭାବେ କାମ କରୁଥିବା ନମିତା ଦଳେଇଙ୍କ ଘରେ ଚଢ଼ାଉ ହୋଇଥିଲା। ଅଧିକାରୀଙ୍କ କହିବା ଅନୁଯାୟୀ, ବ୍ରହ୍ମପୁରରେ ରହିଛି ଗୋଟିଏ ଦୁଇ ମହଲା ଘର, ଗୋଟିଏ ତିନି ମହଲା ଘରରେ ଚଢାଉ ହୋଇଥିଲା। ଘରେ ତାଙ୍କର ଏକ ଛତୁଆ ତିଆରି ଫ୍ୟାକ୍ଟ୍ରି ରହିଛି। ଭୁବନେଶ୍ୱରରେ ତାଙ୍କର ଦୁଇଟ ଫ୍ଲାଟ ରହିଛି।

ସେହିପରି ପୁରୀର ଜଣେ ଧନୀ ଅଙ୍ଗନବାଡ଼ି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟ।ଙ୍କ ଘରେ ବି ଚଢାଉ କରିଥିଲା ଭିଜିଲାନ୍ସ।  ସନ୍ଧ୍ୟାରାଣୀଙ୍କ ପୈତୃକ ଘର ସମେତ ହାତୀଶାଳରେ ଥିବା ୪ ମହଲା ବିଲଡିଂ, ସଙ୍ଗମ ମୌଜା  ମଙ୍ଗଳା ହାଟରେ ଥିବା ଅଟା ମିଲ୍‌, ବାଲି ସାହିରେ ଥିବା ଅଙ୍ଗନୱାଡି କେନ୍ଦ୍ର, ଡେଲାଙ୍ଗ ହାଟ ସାହିରେ ଥିବା ଶ୍ୱଶୁର ଘରେ ଏକକାଳୀନ ଭିଜିଲାନ୍ସ ଚଢାଉ କରାଯାଇଥିଲା। ସୂଚନା ଥାଉ କି, ପୁରୀ ବାସେଳି ସାହିର ଅକ୍ଷୟଧାନ ଅଙ୍ଗନୱାଡି କେନ୍ଦ୍ରରେ କାମ କରନ୍ତି। ଏହା ବାଦ୍  ୨୦୨୦ରେ ଅନେକ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲର ପଡ଼ିଲେଣି। ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଜବତ ବି ହୋଇସାରିଲେଣି। ତେବେ ସବୁଠାରୁ ବଡ଼ ଦୁର୍ନୀତି ଅଭିଯୋଗରେ IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ଗିରଫ ହୋଇଛନ୍ତି। ଏବେ ବି ବାପା ପୁଅଙ୍କ କେସ୍‌ କୋର୍ଟରେ ବିଚାରଧୀନ ରହିଛି।

You might also like