କୋଟିପତି କିରାଣୀଙ୍କଠାରୁ କୁବେର୍ ଅଫିସର୍, ଭିଜିଲାନ୍ସ ଜାଲରେ ପଡୁଛନ୍ତି ଗଣ୍ଡାଗଣ୍ଡା ଦୁର୍ନୀତିଖୋର

ଭୁବନେଶ୍ୱର: ରାଜ୍ୟରେ ଏବେ ବେଶ୍ ସକ୍ରିୟ ରହିଛି ଭିଜିଲାନ୍ସ। କୋଟିପତି କିରାଣୀଠୁ ଆରମ୍ଭ କରି ଆଇଏଫଏସ୍ ଅଫିସରଙ୍କ ଯାଏଁ, ସମସ୍ତଙ୍କ ଦୁର୍ନୀତିର ପେଡ଼ି ଖୋଲିବାରେ ଲାଗିଛି ଭିଜିଲାନ୍ସ ବିଭାଗ। ଏହାକୁ ଦେଖି କିଏ କହୁଛନ୍ତି ସରକାରଙ୍କ ଷ୍ଟ୍ରଙ୍ଗ ଆକ୍ସନ ତ ଆଉ କିଏ କହୁଛନ୍ତି ଦୁର୍ନୀତି ବିରୋଧରେ ଝୁଲୁଛି 5-T ଖଣ୍ଡାା। ହେଲେ NCRB ରିପୋର୍ଟକୁ ଯଦି ଦେଖିବା, ତେବେ ରାଜ୍ୟରେ ୫୧.୪ ପ୍ରତିଶତ ଅର୍ଥାତ ଅଧାରୁ ଅଧିକ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇ ଯାଉଛନ୍ତି। ଯାହା ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇଛି। ପଢ଼ନ୍ତୁ ରିପୋର୍ଟ

ପ୍ରଥମେ ଏହି ଦୁଇ ବାବୁଙ୍କ ବିଷୟରେ ଜାଣନ୍ତୁ। ଜଣେ ହେଲେ ବଲାଙ୍ଗିରରେ କାର୍ଯ୍ୟରତ ୱେସ୍କୋର ଆକାଉଣ୍ଟାଣ୍ଟ ବିଭୁତି ଶଙ୍କର ବିନ୍ଧାଣି। ତାଙ୍କ ଘରୁ ସୁନା ବିସ୍କୁଟଠୁ ଆରମ୍ଭ କରି ବିପୁଳ ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ। ତା ସହିତ ନଗଦ ୧୬ ଲକ୍ଷ ଟଙ୍କା ବି ଜବତ ହୋଇଛି। ସେହିପରି ଅନ୍ୟ ଜଣେ ବାବୁ ହେଲେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ କୋର୍ଟରେ ଏଏସ୍‌ଆଇ ଭାବେ କାର୍ଯ୍ୟରତ ରବୀନ୍ଦ୍ରନାଥ ସେନାପତି। ସେ ବି ଫଶିଛନ୍ତି ଭିଜିଲାନ୍ସ ଜାଲରେ। ତାଙ୍କର ଜଗତସିଂହପୁର ଖେରସରେ ଥିବା ଦୁଇ ମହଲା ବିଶିଷ୍ଟ ବାସଭବନ, ଭୁବନେଶ୍ୱର ହଂସପାଳ ସୁରେଖା ବାଟିକା ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ଏରସମାର ଆନନ୍ଦପୁର ଗାଁରେ ଥିବା ପୈତୃକ ବାସଭବନ ଓ ତିର୍ତ୍ତୋଲ କୋର୍ଟ ଭିତରେ ଥିବା ଅଫିସରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।

ରବୀନ୍ଦ୍ରନାଥ ସେନାପତି

ରାଜ୍ୟର ବିଭିନ୍ନ ସ୍ଥାନରେ ଠାବ ହୋଇଛି ଆଖି ତରାଟିଲା ଭଳି ଏକାଧିକ କୋଠାବାଡ଼ି। କେବଳ ବିଭୂତି କି ରବୀନ୍ଦ୍ର ନୁହଁନ୍ତି, ବ୍ରହ୍ମପୁର ଲିଙ୍ଗରାଜ କଲେଜର କିରାଣୀ ତଥା ଟାଇପିଷ୍ଟ ପ୍ରଶାନ୍ତ କୁମାର ନାୟକଙ୍କର ୫ଟି ସ୍ଥାନରେ ଚଢ଼ାଉ କରି ବ୍ରହ୍ମପୁର ଭିଜିଲାନ୍ସ ଏକାଧିକ କୋଠାବାଡ଼ି ଠାବ କରିଛି। ଘରୁ ନଗଦ ୧୮ ଲକ୍ଷ ୫ ହଜାର ୧୦ ଟଙ୍କା ବି ଜବତ ହୋଇଛି।

ଗତ କିଛି ଦିନ ହେଲା ଏଭଳି ଭାବେ ବହୁ ସରକାରୀ କର୍ମଚାରୀ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇସାରିଲେଣି। ତା’ମଧ୍ୟରେ ଚର୍ଚ୍ଚାରେ ରହିଛନ୍ତି IFS ଅଭୟକାନ୍ତ ପାଠକ। ଏସବୁ ଭିତରେ ଆଜି ଦୁର୍ନୀତି ଓ ଅପାରଗତା ପାଇଁ ୪ ଇଂଜିନିୟର ଏବଂ ୨ ଅବକାରୀ ବିଭାଗ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ବି ରାଜ୍ୟରେ ଦୁର୍ନୀତି ବିରୋଧ ଅଭିଯାନ ଜାରି ରହିଥିଲା। ତା’ସତ୍ୱେ ଗୋଟିଏ ପରେ ଗୋଟିଏ ମାମଲା ସାମ୍ନାକୁ ଆସିବାରେ ଲାଗିଛିା

ଏନ୍‌ସିଆର୍‌ବି ତଥ୍ୟ ଅନୁସାରେ, ଓଡ଼ିଶାରେ ୨୦୧୯ରେ ୩ ହଜାର ୫୧୯ଟି ଦୁର୍ନୀତି ନିବାରଣ ମାମଲା ବିଚାରାଧିନ ଥିଲାା ତା’ମଧ୍ୟରୁ ୨୫ଟି ମାମଲା ବିନା ବିଚାରରେ ଫଇସଲା ହୋଇଥିବାବେଳେ ୧୩୮ଟି ମାମଲାର ବିଚାର ସରିଥିଲା। ସେଥିମଧ୍ୟରୁ ୬୭ଟିରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଅଭିଯୁକ୍ତା ୭୧ଟିରେ ଦୋଷମୁକ୍ତ କରାଯାଇଥିଲା।

ତେବେ ୨୦୧୯ ଶେଷ ସୁଦ୍ଧା ରାଜ୍ୟରେ ୩, ୩୫୬ଟି ଦୁର୍ନୀତି ନିବାରଣ ମାମଲା ବିଚାରାଧିନ ଥିବାବେଳେ ଦଣ୍ଡବିଧାନ ହାର ଥିଲା ୪୮.୬ ପ୍ରତିଶତ। ଅର୍ଥାତ ୫୧.୪ ପ୍ରତିଶତ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ମଧ୍ୟପ୍ରଦେଶ ଏବଂ ତାମିଲନାଡୁ ଭଳି ରାଜ୍ୟରେ ଦଣ୍ଡବିଧାନ ହାର ଆଖିଦୃଶିଆ ହୋଇଥିବା ବେଳେ ଓଡ଼ିଶାରେ ପ୍ରତି ୫ଟି ମାମଲାରୁ ମାତ୍ର ୨ଟିରେ ଦୋଷୀ ସାବ୍ୟସ୍ତ ହେଉଛନ୍ତି ଅଭିିଯୁକ୍ତା

ତେବେ କ୍ରମାଗତ ଭାବେ ଦୁର୍ନୀତି ମାମଲା ସାମ୍ନାକୁ ଆସୁଥିଲେ ବି ରାଜ୍ୟରେ କାହିଁକି ଦଣ୍ଡବିଧାନ ହାର ବଢୁନି ତାକୁ ନେଇ ପ୍ରଶ୍ନ ଉଠିଛି। ତେବେ ତଦନ୍ତ ପ୍ରକ୍ରିୟାରେ ଦୁର୍ବଳତା ଏବଂ ବିଳମ୍ବ ପାଇଁ ଅଭିଯୁକ୍ତମାନେ ଖସି ଯାଉଛନ୍ତି କି ବୋଲି ଚର୍ଚ୍ଚା ହେଉଛି। ସେହିପରି ଆଉ କେହି କହୁଛନ୍ତି ଚାର୍ଜସିଟ୍ ଦାଖଲରେ ବିଳମ୍ବ ହେଉଥିବାର ଏପରି ହେଉଥିବାରୁ ଏପରି ହେଉଛି।

ଏନେଇ ପୂର୍ବତନ ଡିଜିପି ଗୋପାଳ ନନ୍ଦ କହିଛନ୍ତି ଯେ ତଦନ୍ତରେ ବିଳମ୍ବ ହେଉଥିବାରୁ ସାକ୍ଷୀମାନଙ୍କ ଉପରେ ପ୍ରଭାବ ପଡ଼ୁଛି। ସାକ୍ଷୀମାନେ ଅବସର ନେଇ ଯେଝାସ୍ଥାନରେ ଥିବେ। ତେଣୁ ଯଦି ଚାର୍ଜସିଟ୍ ଦୁଇରୁ ୩ ବର୍ଷ ଭିତରେ ମାମଲାଗୁଡ଼ିକ ଟ୍ରାଏଲ୍ ହୋଇଯାଆନ୍ତା ତେବେ ଦୋଷୀଙ୍କ ସଂଖ୍ୟା ଆହୁରି ବଢ଼ିଯାଆନ୍ତା ବୋଲି କହିଛନ୍ତି ପୂର୍ବତନ ଡିଜିପି। ‌

ଦୋଷୀ ସାବ୍ୟସ୍ତ ହାର କମୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା

ସେପଟେ ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର କମୁଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀର ଉଦ୍‌ଯାପନୀ ଦିବସରେ ଯୋଗଦେଇ କ୍ରମାଗତ ଦୋଷୀ ସାବ୍ୟସ୍ତ ହାର କମିଚାଲିବା ଚିନ୍ତାର ବିଷୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତା’ସହିତ ଆବଶ୍ୟକ ସମସ୍ତ ପଦକ୍ଷେପ ନେଇ ଦୋଷୀ ସାବ୍ୟସ୍ତ ହାର ବଢ଼ାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଦୋଷୀ ସାବ୍ୟସ୍ତ ହାର କମୁଥିବାରୁ ଏଥିପାଇଁ ତଦନ୍ତ ପ୍ରକ୍ରିୟାରେ ଆଧୁନିକ ବୈଷୟିକ ପଦ୍ଧତି ଆପଣାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମହିଳା ଓ ଶିଶୁ ବିରୋଧୀ ହିଂସା ରୋକିବାକୁ ଓଡ଼ିଶା ପୋଲିସରେ ସ୍ୱତନ୍ତ୍ର ୱିଙ୍ଗ୍ ଗଠନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ପ୍ରୟାସ ଦ୍ୱାରା ମହିଳା ଓ ଶିଶୁମାନଙ୍କୁ ଗୁଣାତ୍ମକ ସେବା ମିଳିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

You might also like