ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ

ନବରଙ୍ଗପୁର(ନବଘନ ବିଷୋୟୀ): ଭିଜିଲାନ୍ସ ଜାଲରେ ପଡିଥିବା ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ସହକାରୀ ଶିକ୍ଷକ ସୁବ୍ରତ ଚୌଧୁରୀ ଜଣେ କୋଟିପତି। ପ୍ରାୟ ୫ କୋଟିରୁ ଅଧିକ ଟଙ୍କା ସଂପତ୍ତିର ସେ ମାଲିକ । ଗତକାଲି ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରି ଏହି ଆୟବହିର୍ଭୂତ ସଂପତ୍ତି ଠାବ ହୋଇଛି।

ସୁବ୍ରତ ଚୌଧୁରୀ ମୁଣ୍ଡାଗଡ଼ ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଛନ୍ତି। ତାଙ୍କର ନବରଙ୍ଗପୁରରେ ଥିବା ୪ ମହଲା କୋଠାର ମୂଲ୍ୟ ୨ କୋଟି ୨୩ ଲକ୍ଷ ୬୬ ହଜାରରୁ ଅଧିକ । ଏହା ବ୍ୟତୀତ ତାଙ୍କର ୧ କୋଟି ୩୩ ଲକ୍ଷ ୬୧ ହଜାରରୁ ଅଧିକ ମୂଲ୍ୟର ଏକାଧିକ ପ୍ଲଟ, ୧୯ ଲକ୍ଷରୁ ଅଧିକ ମୂଲ୍ୟର ନିର୍ମାଣାଧୀନ ଦୁଇ ମହଲା କୋଠା ସମେତ ଗୋଟିଏ କାର୍, ୩ଟି ବାଇକ୍, ୫୦ ଲକ୍ଷ ଟଙ୍କାର ବୀମା, ୧୦ ଲକ୍ଷ ଟଙ୍କାର ସୁନା ଗହଣା ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ପକ୍ଷରୁ ଗତକାଲି ତାଙ୍କ ଘର ଉପରେ ଚଢଉ କରାଯାଇଥିଲା।

ଏ ସମସ୍ତ ସମ୍ପତ୍ତିର ମୂଲ୍ୟ ୫ କୋଟି ୫୮ ଲକ୍ଷ ୨୮ ହଜାର ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରିଛି ଭିଜିଲାନ୍ସ  । ୨୦୦୫ରେ ସେ ସହକାରୀ ଶିକ୍ଷକ ଭାବେ ଯୋଗ ଦେଇଥିଲେ।  ସୁବ୍ରତ ଚୌଧୁରୀ ଗତ ଜୁନ୍ ମାସରେ ସ୍ୱେଚ୍ଛାକୃତ ଅବସର ନେଇଥିଲୋ ସେ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟ୍ ସହ ସେବା ପ୍ରଦାନକାରୀ ଏଜେନ୍ସି ଚଳାଇଥିଲେ।  ତେବେ ଏତେ ପରିମାଣର ସମ୍ପତ୍ତିର ମାଲିକ କିପରି ହେଲେ  ସେନେଇ ଭିଜିଲାନ୍ସ ଅଧିକାରୀ ଖୋଳତାଡ଼ କରିଛନ୍ତିା

କିଛି ଦିନ ତଳେ ପୁରୀ ଜିଲ୍ଲାର ଶିକ୍ଷାଧିକାରୀ ହୃଷିକେଶ କାଣ୍ଡି ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବାବେଳେ ଏବେ ସହକାରୀ ଶିକ୍ଷକ ପଦବୀରୁ ଅବସର ନେଇଥିବା ସୁବ୍ରତ କୁମାର ଚୌଧୁରୀଙ୍କ ସମ୍ପତ୍ତିକୁ ନେଇ ସବୁଠି ଚର୍ଚ୍ଚା ।

You might also like