ଯେତେ ଖୋଳିଲେ ସେତେ ବାହାରୁଛି ଅଭୟକାନ୍ତଙ୍କ ଅମାପ ସମ୍ପତ୍ତି, ପୁଅ ବ୍ୟାଙ୍କ ଆକାଉଣ୍ଟରେ ୧୪ କୋଟି ଟଙ୍କା

ଭୁବନେଶ୍ୱର: ନିଲମ୍ବିତ IFS ଅଧିକାରୀ ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତି ଏତେ ଯେ, ଯେତେ ଖୋଳିଲେ ସେତେ ବାହାରୁଛି। ପୁଅ ‌ଆକାଶଙ୍କ ନାଁରେ ଭୁବନେଶ୍ୱର ଏବଂ ପୁଣେରେ ୩ଟି ବ୍ୟାଙ୍କ ଆକାଉଣ୍ଟ ଥିବା ଜଣାପଡ଼ିଛି। ଯେଉଁଥିରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ରହିଛି। ଭିଜିଲାନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହି ୩ଟି ଆକାଉଣ୍ଟରେ ସିଧାସଳଖ ୯ କୋଟି ୪୮ ଲକ୍ଷ ଟଙ୍କା ନଗଦ ଜମା ହୋଇଥିବାବେଳେ ଅନ୍ୟ ସୂତ୍ରରୁ, ୫ କୋଟି ୨୯ ଲକ୍ଷ ଟଙ୍କା ଜମା ହୋଇଛି। ଏହାବ୍ୟତୀତ ଜମିଜମା ସମ୍ପର୍କିତ ରେକର୍ଡ ଓ ଆକାଶଙ୍କ ଶିକ୍ଷାଗତ ଖର୍ଚ୍ଚ ବାବଦକୁ କେତେ ଖର୍ଚ୍ଚ ହୋଇଛି, ଏସବୁର ଭିଜିଲାନ୍ସ ତଦନ୍ତ କରୁଛି। ଭୁବନେଶ୍ୱର, ବଲାଙ୍ଗିର, ବ୍ରହ୍ମପୁର ଓ ସମ୍ବଲପୁରରେ ଖୋଳତାଡ଼ ଚଳାଇଛି ଭିଜିଲାନ୍ସର SIT।

କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶଙ୍କୁ ଗିରଫ କରିଛି। ଉଭୟ ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି।

ଭୁବନେଶ୍ୱରରେ ଅଭୟକାନ୍ତଙ୍କ ଡ୍ରାଇଭରଙ୍କୁ ପଚରାଉଚରା କରାଯାଇଛି। ଡ୍ରାଇଭର ନିକଟରୁ ୨୦ ଲକ୍ଷ ଟଙ୍କା ମିଳିଥିବା ନେଇ ପୂର୍ବରୁ ଭିଜିଲାନ୍ସ ସୂଚନା ଦେଇଥିଲା। ଘରର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଇଛି। ଭୁବନେଶ୍ୱର ଅରଣ୍ୟଭବନରେ ଥିବା ଅଫିସ୍ ଚାମ୍ବରରେ ତନାଘନା ସହ ତାଙ୍କ ସମ୍ପତ୍ତି ତାଲିକା, ସାଲାରି ସ୍ଲିପ୍ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ମଧ୍ୟ ଭିଜିଲାନ୍ସ ଟିମ ଯାଞ୍ଚ କରିଛି। ଏହାସହିତ ଅଭୟକାନ୍ତଙ୍କ ଖଣ୍ଡଗିରି ସ୍ଥିତ ପୁତୁରା ହର୍ଷ ପାଠକଙ୍କ ଘରେ ବି ଯାଞ୍ଚ କରିଛନ୍ତି ତଦନ୍ତକାରୀ ଟିମ୍।

ଭିଜିଲାନ୍ସର SIT ବଲାଙ୍ଗିର ସହ ସମ୍ବଲପୁର SBI ମେନ୍ ବ୍ରାଞ୍ଚ ଏବଂ ଅନୁଗୁଳ ଡିଏଫଓ ଅଫିସ୍ ଯାଇ ତଦନ୍ତ କରିଛି।  ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ନାଁରେ ଆସିଥିବା ଅଭିଯୋଗକୁ ନେଇ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍ ତନାଘନା ଜୋରଦାର କରିଛି। ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ବ୍ରହ୍ମପୁର ଓ ଗୋପାଳପୁର ଅଞ୍ଚଳର ଲୋକଙ୍କୁ ଆକାଶ ଠକିଥିବା ଅଭିଯୋଗ ହୋଇଛି। 

You might also like