ପରଲୋକରେ ବର୍ଷୀୟାନ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ମହାନ୍ତି

କଟକ : ଓଡ଼ିଶାର ବର୍ଷୀୟାନ ସଙ୍ଗୀତ ନିର୍ଦ୍ଦେଶକ ରାଖାଲ ଚନ୍ଦ୍ର ମହାନ୍ତିଙ୍କ ପରଲୋକ ଘଟିଛି। କଟକ ବାଦାମବାଡ଼ି ସ୍ଥିତ ବାସ ଭବନରେ ୮୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି।  ଆକାଶବାଣୀ, ଦୂରଦର୍ଶନ, ଆଲବମ ଏବଂ ଓଡ଼ିଆ କଥାଚିତ୍ର କ୍ଷେତ୍ରରେ ସେ ଜଣେ ପରିଚିତ ବ୍ୟକ୍ତିତ୍ୱ ଥିଲେ। ଓଡ଼ିଶାର ପଲ୍ଲୀ ଗୀତକୁ ସେ ପ୍ରଥମେ ରୂପେଲି ପରଦାରେ ଉପସ୍ଥାପିତ କରିଥିଲେ। ଓଡ଼ିଶାର ସଂଗୀତ ଜଗତକୁ ସେ ନିଜ ସ୍ୱର ଦ୍ୱାର କରିଥିଲେ ଉଜ୍ଜ୍ୱଳ।

ଓଡ଼ିଆ ଚଳଚ୍ଚିତ୍ର ଅକ୍ଷିତୃତୀୟା, ତ୍ରିନାଥ ମେଳା, ଶ୍ରୀକୃଷ୍ଣ ରାସଲୀଳା, ଅମର ପ୍ରେମ ଓ ଘର ସଂସାର ଆଦିରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

ରାଖାଲ ଚନ୍ଦ୍ର ମହାନ୍ତି, ୧୯୩୨ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ତଟନା ଠାରେ ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ ସଙ୍ଗୀତ ପ୍ରତି ସେ ଆକୃଷ୍ଟ ଥିଲେ। ୧୯୪୮ମସିହାରେ ମାଟ୍ରିକ ପାସ କଲାପରେ, ନିଜକୁ ସଙ୍ଗୀତରେ ସଂପୂର୍ଣ୍ଣ ଭାବରେ ନିମଜ୍ଜିତ କରିଥିଲେ ।

୧୯୭୩ ମସିହାରେ ସେ, ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟାଳୟ ମଣ୍ଡଳରୁ ଗାୟନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ସେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଓ ବାଳକୃଷ୍ଣ ଦାସଙ୍କ ନିକଟରୁ ସଙ୍ଗୀତ ଶିକ୍ଷା କରିଥିଲେ। ଏହା ପରେ ସେ କଟକ କଳାବିକାଶ କେନ୍ଦ୍ର ଠାରୁ ଆରମ୍ଭ କରି ଆକାଶବାଣୀ ଓ ଦୂରଦର୍ଶନରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ପରେ ସେ ଫିଲ୍ମ ଜଗତ ସହ ମଧ୍ୟ ଯୋଡି ହୋଇଥିଲେ।

ରାଖାଲ ଚନ୍ଦ୍ରଙ୍କ କଳାକୃତି ପାଇଁ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ହୋଇଛନ୍ତି। ତାଙ୍କ ମୃତ୍ୟୁ ଖବରରେ ଓଡିଶା ସଙ୍ଗୀତ ତଥା ଫିଲ୍ମ ଜଗତରେ ଶୋକର ଛାୟା ଖେଳାଯାଇଛି। ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ବାସଭବନ ଯାଇ ଅନ୍ତିମ ଦର୍ଶନ କରିଛନ୍ତି।

You might also like