ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ‘ଅମ୍ପନ୍’ ଅତି ଭୀଷଣ ରୂପ ଧାରଣ କରିଛି। ଅର୍ଥାତ୍ ଏହା ଏକ୍ସଟ୍ରିମ୍ଲି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ବଙ୍ଗୋପସାଗରରେ ଏହା ଅଧିକ ଘନୀଭୂତ ହେଉଛି।
ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ସୁପର ସାଇକ୍ଲୋନ୍ରେ ପରିଣତ ହୋଇପାରେ। ଏନେଇ ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଘଣ୍ଟା ପ୍ରତି ୨୨୦ରୁ ୨୬୫ କି.ମି. ବେଗରେ ପବନ ବହିବା ନେଇ ସମ୍ଭାବନା ରହିଛି। ଏବେ ଏହା ଘଣ୍ଟାକୁ ୧୩ କି.ମି. ବେଗରେ ଗତି କରିବା ସହ ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଉଛି।
ଏବେ ପାରାଦୀପ ଠାରୁ ୭୯୦ କି.ମି ଦୂରରେ ରହିଛି ‘ଅମ୍ପନ୍’। ଦୀଘା ଠାରୁ ଦକ୍ଷିଣ- ଦକ୍ଷିଣପଶ୍ଚିମରେ ୯୪୦ କିମି ଦୂରରେ ରହିଛି।
ମେ’ ୨୦ ତାରିଖରେ ଅମ୍ପନ୍ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୮୦ କିଲୋମିଟର ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି।