ଲୋକେ ପାଉନାହାନ୍ତି କିନ୍ତୁ ଖତ ଖାଉଛି ଭେଣ୍ଟିଲେଟର

କାହିଁକି କପଡ଼ା ଘୋଡା ହୋଇଛି ଭେଂଟିଲେଟରରେ?

ବଲାଙ୍ଗୀର: ଗୋଟେ ପଟେ ଛଟପଟ ହେଉଛନ୍ତି ରୋଗୀ, ଅନ୍ୟପଟେ ଖତ ଖାଉଛି ଭେଣ୍ଟିଲେଟର। ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଗୁରୁତର ରୋଗୀଙ୍କୁ ଭେଣ୍ଟିଲେଟର ମିଳୁନଥିବା ବେଳେ, କନା ଢାଙ୍କି ଗଦା ହୋଇଛି ଭେଣ୍ଟିଲେଟର। ଏହି ଭିଜୁଆଲ ଭାଇରାଲ ହେବା ପରେ ଏବେ ବଲାଙ୍ଗିର ହସପିଟାଲରେ ହଇଚଇ ସୃଷ୍ଟି ହୋଇଛି। ଟେକ୍ନିସିଆନ ଅଭାବରୁ ଭେଣ୍ଟିଲେଟରକୁ ଆଜି ସକାଳୁ କେବଳ ଡେମୋ ଭାବରେ ରଖାଯାଇଛି। ଗୁରୁତର ରୋଗୀମାନେ ଛଟପଟ ହେଉଥିବା ବେଳେ କିଛି ଭେଣ୍ଟିଲେଟର ଖତ ଖାଉଛି, ଆଉ କିଛି ଖରାପ ହୋଇଯାଇଛି, ହେଲେ ମରାମତି ହେଉନି।

ରୋଗୀଙ୍କ ସଂର୍ପକୀୟ ମାନେ ଏହାକୁ ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି। ଭେଣ୍ଟିଲେଟର ଥାଇ ମଧ୍ୟ କାମରେ ଆସୁନଥିବାରୁ ବଲାଙ୍ଗିର ସାଂସଦଙ୍କ ପ୍ରତିନିଧି ଦୀନେଶ ଶର୍ମା ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତକାଲି ଜଣେ ଗୁରୁତର ରୋଗୀଙ୍କ ପାଇଁ ମେଡିକାଲର ଜେନେରାଲ ଆଇସିୟୁକୁ ଦିନେଶ ଶର୍ମା ଯାଇଥିବା ବେଳେ ଭିତରେ କପଡା ଘୋଡା ହୋଇ ୧୦ଟି ଭେଣ୍ଟିଲେଟର ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଜେନେରାଲ ଆଇ.ସି.ୟୁରେ ୧୬ ଟି ବେଡ ଭିତରୁ କୌଣସି ବେଡରେ ଭେଣ୍ଟିଲେଟର ଲାଗିନଥିଲା କିନ୍ତୁ ଆଜି ସକାଳୁ କେବଳ ବେଡ ପାଖରେ ଭେଣ୍ଟିଲେଟର ଥୋଇ ଦିଆଯାଇଛି। ହେଲେ କୌଣସି ଭେଣ୍ଟିଲେଟର କାମ କରୁନି। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି।

ସେପଟେ ରାଜ୍ୟରେ କ୍ରମାଗତ ଭାବରେ ସଂକ୍ରମଣ ଓ ମୃତ୍ୟୁ ହାର ବଢୁଥିବାରୁ ଚିନ୍ତା ବଢିଛି। ରାଜ୍ୟରେ ଆଜି ରେକର୍ଡ କରିଛି କରୋନା ମୃତ୍ୟୁ ସଂଖ୍ୟା। ଦିନକରେ ୨୭ ରୋଗୀ ଆଖି ବୁଜିଛନ୍ତି। ଦେଶରୁ ସବୁ ପ୍ରାନ୍ତରୁ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳିଥିବାବେଳେ ଓଡ଼ିଶାରେ ଗ୍ରାଫ ଉପରମୁହାଁ ହୋଇଛି।

ଆଜି ୨୭ ମୃତକଙ୍କ ମଧ୍ୟର ଖୋର୍ଦ୍ଧା, କୋରାପୁଟରୁ ୪ ଲେଖାଏଁ, ନୂଆପଡ଼ା, ରାୟଗଡ଼ା, ସୁନ୍ଦରଗଡ଼ରୁ ୩ ଲେଖାଏଁ, କଳାହାଣ୍ଡିରୁ ୨ ଓ ବରଗଡ଼, ବଲାଙ୍ଗିର, ବୌଦ୍ଧ, ଗଜପତିରୁ ଜଣେ ଲେଖାଏଁ ଅଛନ୍ତି । ସେହିପରି ଝାରସୁଗୁଡ଼ା, ନବରଙ୍ଗପୁର, ପୁରୀ, ସୁବର୍ଣ୍ଣପୁରରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ଆଜିର ତାଲିକାକୁ ମିଶାଇଲେ ରାଜ୍ୟରେ ମୋଟ କରୋନା ମୃତ୍ୟ ସଂଖ୍ୟା  ୨,୪୩୦ରେ ପହଞ୍ଚିଛି।

କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୩୨ ଓ ୪୨୪କୁ ବୃଦ୍ଧି ପାଇଛି। ସେହିପରି ନୂଆପଡା, ରାୟଗଡ଼ା ଓ ସୁନ୍ଦରଗଡ଼ରେ ମୋଟ ମୃତ୍ୟୁସଂଖ୍ୟା ଯଥାକ୍ରମେ ୫୦, ୯୫ ଓ ୨୩୬ରେ ଛୁଇଁଛି। ଆଉ ଏହି ସମୟରେ ଭେଂଟିଲେଟର ଏମିତି ଅବ୍ୟବସ୍ଥାକୁ ଦେଖି ସାଧାରଣ ଅନେକ ପ୍ରଶ୍ନ ମଧ୍ୟ ଉଙ୍କି ମାରୁଛି।

You might also like