ଗାଡ଼ିର କାଗଜପତ୍ର ପ୍ରସ୍ତୁତିକୁ ସହଜ କଲେ ରାଜ୍ୟ ସରକାର: ଯେକୌଣସି RTOରେ ହୋଇପାରିବ ରେନୱାଲ, ରେଜିଷ୍ଟ୍ରେସନ

ଭୁବନେଶ୍ୱର: ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି।ଗାଡ଼ିର କାଗଜପତ୍ର ପ୍ରସ୍ତୁତି ଏବେ ଆହୁରି ସହଜ ହେବ। ରେନୱାଲ, ରେଜିଷ୍ଟ୍ରେସନ ଏବେ ରାଜ୍ୟର ଯେକୌଣସି RTOରେ ହୋଇପାରିବ। ଏହାସହ ମାଲିକାନା ଓ ଠିକଣା ପରିବର୍ତ୍ତନ ବି ଆପଣ ନିକଟସ୍ଥ ଯେକୌଣସି RTOରେ କରାଇପାରିବେ। ଏଥଇପାଇଁ ଆଉ ବାରମ୍ବାର ଆରଟିଓ ଅଫିସ୍ ଦୌଡ଼ିବାକୁ ପଡ଼ିବ ନାହିଁ। ପୂର୍ବରୁ ଅନ୍ୟ ଅଞ୍ଚଳରୁ ଆସିଥିବା ଲୋକେ ଗାଡ଼ି କାଗଜପତ୍ର ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ହେଲେ ଏବେ  ପାଖ RTOରେ କାମ କରାଇପାରିବେ। ଡ୍ରାଇଭିଂ ଲାଇସେନ୍ସ ରେନୱାଲ ବି ଯେ କୌଣସି RTOରେ ହେବ ବୋଲି ଆଜି ରାଜ୍ୟ ପରିବହନ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଏହାସହ ସବୁ କିଛି କାର୍ଯ୍ୟ ଅନଲାଇନରେ ହେବ ବୋଲି ସଡ଼କ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସେହିପରି ଆଗାମୀ ସମୟେର ଡ୍ରାଇଭିଂ ଲାଇସନ୍ସ କିମ୍ବା ଅନ୍ୟ କାମ ପାଇଁ ଲୋକଙ୍କୁ ଅଧିକ ସମୟ ଛିଡ଼ା ହେବାକୁ ପଡ଼ିବନି। ଏଥିପାଇଁ ଲୋକଙ୍କୁ ସ୍ମାର୍ଟ ଧାଡ଼ିରେ ଛିଡ଼ା କରାଇବାକୁ ରାଜ୍ୟ ପରିବହନ ବିଭାଗ ପଦକ୍ଷେପ ଗ୍ରହଣ କରିଛି। ଖୁବ ଶୀଘ୍ର ଓ ସହଜ କାମ ଲାଗି ଲୋକଙ୍କୁ ସ୍ମାର୍ଟ ଧାଡିରେ ଛିଡ଼ା କରାଇବାର ନୂଆ ଯୋଜନା କରିଛି। ରାଜ୍ୟ ପରିବହନ ବିଭାଗ ଏନେଇ ନ୍ୟାସନାଲ୍ ସ୍ମଲ୍ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ସହ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱର-୧, କଟକ, ଗଞ୍ଜାମ, ପୁରୀରେ ଏହି ପ୍ରକ୍ରିୟା ଆରମ୍ଭ ହେବ। ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ଏଭଳି ନିଷ୍ପତ୍ତି ନିଅଯାଇଛି। ଆରଟିଓ ଅଫିସରେ କୌଣସି କାମ ଥିଲେ ସେମାନେ ଅନଲାଇନରେ ଗୋଟିଏ ସ୍ଲଟ ବୁକିଂ କରିପାରିବେ।

You might also like