ବୀର ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ, ପ୍ରତିମୂର୍ତ୍ତି ଉନ୍ମୋଚନ କଲେ

ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ଓଡ଼ିଶା ସ୍ୱାଧୀନତା ସଂଗ୍ରାମ ଇତିହାସର ଆଉ ଏକ ଅଗ୍ନିଶିଖା। ସ୍ୱାଭିମାନୀ ସମ୍ବଲପୁରର ସ୍ପର୍ଦ୍ଧିତ ସ୍ୱର। ୧୮୦୯ ଆଜିର ଦିନରେ ଏଇ ବୀର ପୁତ୍ରଙ୍କର ଜୟନ୍ତୀ । ୧୮୫୭ ସିପାହୀ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଏ। ହେଲେ ଏହା ପୂର୍ବରୁ ଏଇ ବୀର ପୁତ୍ର ଇଂରେଜମାନଙ୍କ ବିରୋଧରେ ଉଠାଇଥିଲେ ସ୍ୱର। ଲଗାଇଥିଲେ ବିଦ୍ରୋହର ନିଆଁ। ଯେଉଁ ନିଆଁ ଶେଷ ପର୍ଯ୍ୟନ୍ତ ଜଳୁଥିଲା।

ଦୁର୍ଦ୍ଦଷ ଇଂରେଜମାନେ ସିପାହୀ ବିଦ୍ରୋହ ନିଆଁକୁ ସିନା ଲିଭାଇ ଦେଲେ ହେଲେ ସମ୍ବଲପୁରରେ ଜଳୁଥିବା ନିଆଁକୁ ଲିଭାଇ ପାରି ନ ଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ଏହି ନିଆଁ ଜଳୁଥିଲା। ସମଗ୍ର ଭାରତକୁ ନିଜ ଅଧିନକୁ ନେଇ ପାରିଥିଲେ ହେଁ ସମ୍ବଲପୁର ଥିଲା ଏହାର ବ୍ୟତିକ୍ରମ।  ଏଥିପାଇଁ ସୁରେନ୍ଦ୍ର ସାଏଙ୍କୁ ଜୀବନର ଅଧାସମୟ କାରଗାରରେ କାଟିବାକୁ ପଡ଼ିଥିଲା।

ଆଜି ଏଇ ବିପ୍ଳବୀ ନେତା ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ। ଏହି ଅବସରରେ ଝାରସୁଗୁଡା ବିମାନ ବନ୍ଦର ପରିସରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ବୀର ସୁରେନ୍ଦ୍ର ସାଏ ଏୟାରେପୋର୍ଟ ଟର୍ମିନାଲ ବିଲଡିଂ ସମ୍ମୁଖରେ ନୂତନ ପ୍ରତିକୃତି ଅନାବରଣ ମଧ୍ୟ କରାଯାଇଛି।

ଏହି  ସମାରୋହରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିମାନବନ୍ଦରରେ ଉପସ୍ଥିତ ଥିଲେ । କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲେ ।

ଅନ୍ୟପକ୍ଷେ ମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁରେନ୍ଦ୍ର ସାଏଙ୍କ ଜନ୍ମଦିବସ ପାଳନ ହେଉଛି। ତାଙ୍କ ଜନ୍ମମାଟି ଖିଣ୍ଡାରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଖିଣ୍ଡାରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେଠାରେ ପହଞ୍ଚିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।  ସେହିପରି ସମ୍ବଲପୁର ଜେଲ ଛକରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି।

You might also like