ଟିକା ନାହିଁ, କାଲିଠୁ ଯୁବବର୍ଗ ଟିକା ନେବେ କେମିତି? ନାଁ…

ଚିନ୍ତା ବଢାଉଛି ଟିକା

  • ରାଜ୍ୟରେ ସାଂଘାତିକ ସଂଜୀବନୀ ସଙ୍କଟ
  • ପାଖରେ ନାହିଁ ୬ଲକ୍ଷ ସେକେଣ୍ଡ ଡୋଜ୍
  • ମେ ପହିଲାରୁ ଯୁବବର୍ଗଙ୍କୁ ଟିକାକରଣ ନେଇ ବଡ଼ ଦ୍ୱନ୍ଦ୍ୱ
  • ସ୍ୱାସ୍ଥ୍ୟ ସଚିବ କହିଲେ କେନ୍ଦ୍ରରୁ ଆସିଲେ ଦିଆଯିବ ଟିକା
  • ସଟଡାଉନ୍‌ ପାଇଁ ଶନି-ରବିବାର ବନ୍ଦ ରହିବ ଭ୍ୟାକ୍ସିନେସନ

ଭୁବନେଶ୍ୱର: ରାଜ୍ୟରେ ସାଂଘାତିକ ହେଲାଣି କରୋନା ସଂଜୀବନୀ ସଙ୍କଟ। ଏମିତି ତ ୬ଲକ୍ଷ ଲୋକଙ୍କୁ ସେକେଣ୍ଡ ଡୋଜ୍ ଦେବାକୁ ଟିକା ନାହିଁ, ତେଣେ ଆସନ୍ତାକାଲିଠୁ ଯୁବବର୍ଗଙ୍କୁ ଟିକାକରଣକୁ ନେଇ ବି ସୃଷ୍ଟି ହେଲାଣି ଦ୍ୱନ୍ଦ୍ୱ। ପରିବାର କଲ୍ୟାଣ ନିର୍ଦ୍ଦେଶକ ସଫା ସଫା କହିଛନ୍ତି-କେନ୍ଦ୍ରରୁ ଟିକା ଆସିବା ପରେ ଯାଇ ଲୋକଙ୍କୁ ଦିଆଯିବ। ତାସହ ଶନିବାର ଓ ରବିବାର ସଟଡାଉନ୍‌ ଥିବାରୁ ରାଜ୍ୟରେ ଟିକାକରଣ ବନ୍ଦ ରହିବ। ତେଣେ ଟିକା ନଥିବାରୁ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ରରେ ଝୁଲୁଛି ତାଲା। ଏଣେ ଦୈନିକ ସଂକ୍ରମଣରେ ରାଜ୍ୟ ସବୁ ପୁରୁଣା ରେକର୍ଡ ପାର୍ କରି ୯ ହଜାର ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ଆଉ ୧୪ଜଣଙ୍କ ଜୀବନ ଯାଇଛି।

ନୂଆ ସଂକ୍ରମଣରେ ଲଗାମ ନାହିଁ। କି ଟିକା ଟେନସନରେ ବିରାମ ବି ନାହିଁ। କେଉଁଠି କରୋନା ସଂଜୀବନୀ ନେବାକୁ ଲମ୍ବା ଲାଇନ୍‌ ତ ପୁଣି କେଉଁଠି ଟିକା ନଥିବାରୁ ଭ୍ୟାକ୍ସିନେସନ ବନ୍ଦ ଲେଖି କାନ୍ଥରେ ଲାଗିଛି ନୋଟିସ୍। ଏମିତି ଦୃଶ୍ୟ ସମ୍ବଲପୁର ସହର ହସ୍ପିଟାଲରେ ଦେଖିବାକୁ ମିଳିଛି। ଟିକା କରଣ କେନ୍ଦ୍ରରେ ୪ ଦିନ ହେଲାଣି ଝୁଲୁଛି ତାଲା। କାଉ କୋଇଲି କାହାରି ଦେଖା ନାହିଁ। ପୂର୍ବରୁ ପ୍ରଥମ ଡୋଜ୍ ନେଇ ସାରିଥିବା ଆଗ ଧାଡ଼ିର କର୍ମଚାରୀ ହୁଅନ୍ତୁ କି ବରିଷ୍ଠ ନାଗରିକ। ଦ୍ୱିତୀୟ ଡୋଜ୍ ଟିକା ନେବାକୁ ପ୍ରତିଦିନ ଆସୁଛନ୍ତି ଆଉ ନିରାଶ ହୋଇ ଫେରୁଛନ୍ତି। ସମାନ ଚିତ୍ର କୋରାପୁଟ ମୁଖ୍ୟ ମେଡିକାଲରେ ବି ଦେଖିବାକୁ ମିଳିଛି। ଏଠି ବି ଟିକାକାରଣ କେନ୍ଦ୍ରରେ ଝୁଲୁଛି ତାଲା। ଟିକା କେବେ ଆସିବ ସେ କଥା ପଦେ କହିବାକୁ ବି କାହାରି ଦେଖାନାହଁ। ଆଜି ରାଜ୍ୟର ୫ ଜିଲ୍ଲା ବୌଦ୍ଧ, କୋରାପୁଟ, ସମ୍ବଲପୁର, ସୋନପୁର ଓ ଝାରସୁଗୁଡ଼ାରେ ଟିକାକରଣ ସମ୍ପୂର୍ଣ୍ଣ ଠପ୍ ରହିଥିବା ସୂଚନା ମିଳିଛି।

ଗୋଟିଏ ପଟେ ପ୍ରଥମ ଡୋଜ୍ ନେଇଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଟିକା ମିଳୁନି। ଏଣେ ଆସନ୍ତାକାଲିଠୁ ୧୮ରୁ ୪୪ ବୟସ୍କଙ୍କୁ ଟିକାକରଣ ପାଇଁ ନିଷ୍ପତ୍ତି ହୋଇଛି। ତେଣୁ ଏଠି ପ୍ରଶ୍ନ ସତରେ କଣ ଯୁବବର୍ଗଙ୍କୁ ସହଜରେ ମିଳିଯିବ କରୋନା କବଚ ? ଏସବୁ ଭିତରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଲେଣି ଶନିବାର ଓ ରବିବାର ସଟଡାଉନ୍‌ ଥିବାରୁ ରାଜ୍ୟରେ ଟିକାକରଣ ବନ୍ଦ ରହିବ। ତାସହ ସ୍ପଷ୍ଚ ଭାବେ କହିଛନ୍ତି କେନ୍ଦ୍ରରୁ ଅଧିକ ଟିକା ଆସିବା ପରେ ଯାଇ ସ୍ଥିର ହେବ କାହାକୁ କେବେ ଦିଆଯିବ ଟିକା। ରାଜ୍ୟରେ ଏବେ ସେକେଣ୍ଡ ଡୋଜ୍ ଦେବାକୁ ଆଉ ଟିକା ନାହିଁ, ଏହି ପର୍ଯ୍ୟାୟ ପାଇଁ ୬ଲକ୍ଷ ଡୋଜ୍ ଦରକାର। ଏ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଥିବା ସୂଚନା ମିଳିଛି।

ଏଣେ ରାଜ୍ୟରେ ସଂଜିବନୀ ସଂଙ୍କଟ ଭିତରେ କାଳରୂପୀ କରୋନାର ମହାକୋପ ଜାରି ରହିଛି। ଦୈନିକ ସଂକ୍ରମଣ ୮ ହଜାର ପାର୍ କରି ସର୍ବକାଳୀନ ରେକର୍ଡ ୮ହଜାର ୬୮୧କୁ ଛୁଇଁଛି। ଖୋର୍ଦ୍ଧାରୁ ସର୍ବାଧିକ ୧୪ ଶହ ୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୭୪୫ ଓ କଟକରୁ ୫୭୦ ନୂଆ ଆକ୍ରାନ୍ତ ଠାବ ହୋଇଛନ୍ତି। ସେହିପରି ବଲାଙ୍ଗୀରରୁ ୪୫୯, ଅନୁଗୁଳୁରୁ ୪୧୬, ବରଗଡ଼ରୁ ୪୨୩ ଓ ଯାଜପୁରରୁ ୩୨୧ ଚିହ୍ନଟ ହୋଇଛନ୍ତି। ଏଥିସହ ଗତ ୨୪ ଘଣ୍ଟାରେ ଆଉ ୧୪ ଜୀବନ ନେଇଛି ମହାମାରୀ।

କୋରାପୁଟ ଓ ସୁନ୍ଦରଗଡ଼ରେ ୩ ଜଣଙ୍କ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣ ଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨ହଜାର ୪୩ କୁ ବୃଦ୍ଧି ପାଇଛି।

You might also like