• translate
Prangyan Parimita
  • ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜି ଅପରାହ୍ନ ୪ଟାରୁ ଅନଲାଇନରେ ପଞ୍ଜୀକରଣ
  • ଟିକା ନେବା ପାଇଁ ଏବେ ସ୍ଲଟ୍ ମିଳିବ ନାହିଁ
  • ଟିକା ଆସିବା ପରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ଆବଣ୍ଟନ ହେବ ସ୍ଳଟ୍
  • ମେ ପହିଲାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟିକାକରଣ ଆରମ୍ଭ

ଭୁବନେଶ୍ୱର : ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକାକରଣ ପାଇଁ ଆଜି ଅପରାହ୍ନ ୪ଟାରୁ ଆରମ୍ଭ ହେବ ପଞ୍ଜୀକରଣ । ମେ ପହିଲାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଏଥିପାଇଁ କୋଓ୍ୱିନ୍ ପୋର୍ଟାଲ୍ କିମ୍ବା ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ପଞ୍ଜୀକରଣ କରାଯାଇପାରିବ । ଆରୋଗ୍ୟ ସେତୁ ଓ ଉମଙ୍ଗ ଆପ୍‌ରେ ବି ହୋଇପାରିବ ପଞ୍ଜୀକରଣ । ତେବେ ଟିକା ନେବା ପାଇଁ ଏବେ ସ୍ଲଟ୍ ମିଳିବ ନାହିଁ । ଟିକା ଆସିବା ପରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ସ୍ଳଟ୍ ଆବଣ୍ଟନ କରାଯିବ । ଦୁଇ ଟିକା ଉତ୍ପାଦନ କଂପାନୀଠାରୁ ଟିକା ପହଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ଟିକାକରଣ ଡେରି ହୋଇପାରେ ବୋଲି କହିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ୩ କୋଟି ୭୭ ଡୋଜ୍ କୋଭିସିଲ୍ଡ ଓ ୧୦ ଲକ୍ଷ ୩୪ ହଜାର ଡୋଜ୍ କୋଭାକ୍ସିନ ଟିକା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅର୍ଡର ଦେଇସାରିଛି । କିନ୍ତୁ ଟିକା କେବେ ମିଳିବ ତାହା ସ୍ପଷ୍ଟ ହୋଇନି ।

ତେବେ ଟିକା ନେବା ପାଇଁ କୋ-ଓ୍ୱିନ୍ ପୋର୍ଟାଲରେ କେମିତି କରିବେ ପଞ୍ଜୀକରଣ ...

ଏଥିପାଇଁ ପ୍ରଥମେ cowin.gov.inକୁ ଯାଇ, ସେଠାରେ ରେଜିଷ୍ଟର୍ ବଟନରେ କ୍ଲିକ୍ କରନ୍ତୁ । ଆଉ ଏଥିରେ ନିଜର ମୋବାଇଲ୍ ନମ୍ବର ଦିଅନ୍ତୁ । ଏହାପରେ ଆପଣଙ୍କ ମୋବାଇଲକୁ ଏକ OTP ଯିବ ଏବଂ ସେହି OTPକୁ ପୋର୍ଟାଲରେ ଦେଇ ଭେରିଫାୟ ବଟନରେ କ୍ଲିକ୍ କରନ୍ତୁ । ଏହାପରେ ଟିକା ପଞ୍ଜୀକରଣ ପାଇଁ ଫର୍ମ ଆସିବ । ସେଠାରେ ମଗାଯାଇଥିବା ନାମ ଓ ବୟସ ଆଦି ନିଜ ସଂପର୍କିତ ସମସ୍ତ ବିବରଣୀ ଲେଖନ୍ତୁ ଏବଂ ଫଟୋ ପରିଚୟ ପତ୍ର ଦିଅନ୍ତୁ । ଯଦି ଆପଣ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି, ସେ ସଂପର୍କରେ ମଧ୍ୟ ସୂଚନା ଦିଅନ୍ତୁ  । ଏହାପରେ ତଳେ ଡାହାଣ ପଟେ ଥିବା ରେଜିଷ୍ଟର୍ ବଟନରେ କ୍ଲିକ୍ କରନ୍ତୁ । ଏଭଳି ଭାବେ ଆପଣ ଟିକା ନେବାକୁ ପଞ୍ଜିକୃତ ହୋଇସାରିବା ପରେ, ଟିକା ନେବା ପାଇଁ ଇଚ୍ଛା ଅନୁସାରେ ତାରିଖ ଓ ସ୍ଥାନକୁ ବାଛନ୍ତୁ । ଯଦି ଆପଣ ପରିବାରର ଅନ୍ୟ ସଦସ୍ୟଙ୍କ ନାଁ ପଞ୍ଜୀକରଣକରିବା ପାଇଁ ଚାହୁଁଛନ୍ତି, ତେବେ ଆଡ୍ ମୋର୍ ବଟନରେ କ୍ଲିକ୍ କରନ୍ତୁ  ।

ସେପଟା ରାଜ୍ୟରେ ୪୫ ବର୍ଷ ବୟସରୁ ଅଧିକ କରୋନା ରୋଗୀଙ୍କୁ ଦିଆଯିବ କେନ୍ଦ୍ର ଯୋଗାଉଥିବା କରୋନା ଟିକା । ଏନେଇ ସବୁ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର ଏବଂ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ । ରାଜ୍ୟର ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ବି ଦିଆଯିବ କେନ୍ଦ୍ର ଦେଉଥିବା ଟିକା । ତେବେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ରାଜ୍ୟ ସରକାର ଯୋଗାଉଥିବା ଟିକା ଦିଆଯିବ । ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲ ଦେଉଥିବା ଟିକା ହିଁ ସେମାନଙ୍କୁ ମିଳିବ ବୋଲି ଏସିଏସ୍ ଚିଠି ଲେଖିଛନ୍ତି ।

Other Stories