‘ମେ ମାସରେ କୋଭିସିଲ୍ଡ ଟିକା ପହଞ୍ଚିବା ସମ୍ଭାବନା କମ୍’

ରାଜ୍ୟରେ ମେ ପହିଲାରୁ ଯୁବବର୍ଗଙ୍କ ଟିକାକରଣ ଆରମ୍ଭ ନେଇ ଅନିଶ୍ଚିତତା। ଦୁଇ ଟିକା ଉତ୍ପାଦନ କଂପାନୀଠାରୁ ଟିକା ପହଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ଟିକାକରଣ ଡେରି ହୋଇପାରେ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ। ଟିକା ପହଞ୍ଚିବା ପରେ ଏହାର ଉପବଲବ୍ଧତାକୁ ଦେଖି ଭ୍ୟାକ୍ସିନେସନ୍ ଯୋଜନା କରାଯିବ। ସେପଟେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଆସନ୍ତାକାଲିଠାରୁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହେବ। ତେଣେ ୪୫ ବର୍ଷରୁ ଉର୍ଦ୍ଧ୍ୱଙ୍କ ଲାଗି ଟିକାର ନିଅଣ୍ଟିଆ ସ୍ଥିତି ଯୋଗୁଁ ବିଭିନ୍ନ କେନ୍ଦ୍ରରେ ନାହିଁ ନଥିବା ଭିଡ଼ ସହିତ କିଛି କିଛି ଜାଗାରେ ଉତ୍ତେଜନା ବି ଦେଖିବାକୁ ମିଳିଛି।

ପରିବାର କଲ୍ୟାଣ ନିର୍ଦ୍ଦେଶକ ଆଶଙ୍କା କରିଛନ୍ତି ଯେ, ମେ ମାସରେ କୋଭିସିଲ୍ଡ ଟିକା ପହଞ୍ଚିବା ସମ୍ଭାବନା କମ୍। ତେବେ ମେ ମଧ୍ୟଭାଗ ସୁଦ୍ଧା କୋଭାସ୍କିନ ଟିକା ଆସିପାରେ। ଟିକା ଉପଲବ୍ଧତାକୁ ଦେଖି ଟିକାକରଣ କରାଯିବ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ୩ କୋଟି ୭୭ ଡୋଜ୍ କୋଭିସିଲ୍ଡ ଓ ୧୦ ଲକ୍ଷ ୩୪ ହଜାର ଡୋଜ୍ କୋଭାକ୍ସିନ ଟିକା ପାଇଁ ଅର୍ଡର ଦେଇସାରିଛି କିନ୍ତୁ ଟିକା କେବେ ମିଳିବ ତାହା ସ୍ପଷ୍ଟ ହୋଇନି। ଏସବୁ ଭିତରେ ଆସନ୍ତାକାଲିଠାରୁ ଟିକାକରଣ ଲାଗି ପଞ୍ଜୀକରଣ ଆରମ୍ଭ ହେବ। କୋଓ୍ୱିନ୍ ପୋର୍ଟାଲ୍ କିମ୍ବା ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ପଞ୍ଜୀକରଣ କରାଯାଇପାରିବ। ତେବେ ଟିକା ନେବା ପାଇଁ ଏବେ ସ୍ଲଟ୍ ମିଳିବ ନାହିଁ।  ଟିକା ଆସିବା ପରେ ପଞ୍ଜୀକୃତ ବ୍ୟକ୍ତିଙ୍କୁ ସ୍ଳଟ୍ ଆବଣ୍ଟନ କରାଯିବ।

ଭ୍ୟାକ୍ସିନେସନ ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ କରୁଛି ମାଇକ୍ରୋ ମ୍ୟାନେଜମେଣ୍ଟ ପ୍ଲାନ। ଟିକାକରଣ କେନ୍ଦ୍ର, କର୍ମଚାରୀ ଓ କୋଲ୍ଡ ଚେନ୍ ଉପରେ ଦିଆଯାଉଛି ଗୁରୁତ୍ୱ। ଟିକା ଆସିବା ପରେ ବର୍ତ୍ତମାନର ପ୍ରାୟ ୧୪ଶହ କେନ୍ଦ୍ରରେ ପ୍ରଥମେ ଭ୍ୟାକ୍ସିନ ଦିଆଯିବ। ସେପଟେ ସଂକ୍ରମଣ ବଢ଼ିବା ପରେ ୪୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କର ଟିକା ନେବା ପାଇଁ ଏବେ ନାହିଁ ନଥିବା ଭିଡ଼। ଆଜି ଟିକା ନମିଳିବାରୁ ଦେଖାଦେଇଥିଲା ଉତ୍ତେଜନା।୨/୩ ଦିନ ହେଲା ଆସୁଥିଲେ ବି ଟିକା ମିଳୁନଥିବା କିଛି ବରିଷ୍ଠ ନାଗରିକ କ୍ଷୋଭର ସହ କହିଛନ୍ତି।  ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବଣାଇ ଡାକ୍ତରଖାନାରେ ବି ସମାନ ଅବସ୍ଥା। ବାରମ୍ବାର ମେଡିକାଲ୍ ଆସିବା ସତ୍ତ୍ୱେ ଟିକା ନପାଇ ନିରାଶରେ ଫେରୁଥିବା ଲୋକେ ଅଭିଯୋଗ କରିଛନ୍ତି। ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଲାଗି ରାଜ୍ୟ ପାଖରେ ଏବେ ୧ ଲକ୍ଷ ୨୩ ହଜାର କୋଭିସିଲ୍ଡ ଓ ୩ ଲକ୍ଷ ୬୫ ହଜାର ଡୋଜ୍ କୋଭାକ୍ସିନ ଟିକା ମହଜୁଦ୍ ରହିଛି..

ରିପୋର୍ଟ: ରଞ୍ଜିତ ଚୌଧୁରୀ, ବଳରାମ ଲେଙ୍କା, ଦେବାଶିଷ ମହାନ୍ତି ଓ ହରିହର ଚାନ୍ଦ

You might also like