ଟିକା ପ୍ରସ୍ତୁତ…କେନ୍ଦ୍ର ବି ପ୍ରସ୍ତୁତ; ଆଉ କିଛି ସମୟ ପରେ ଆରମ୍ଭ ହେବ ମହାଅଭିଯାନ

ଭୁବନେଶ୍ୱର:ଆଉ କିଛି ସମୟର ଅପେକ୍ଷା। ଅଦୃଶ୍ୟ ଭୁତାଣୁ ବିରୋଧରେ ଆରମ୍ଭ ହେବ ଅନ୍ତିମ ପର୍ଯ୍ୟାୟ ଯୁଦ୍ଧ । ଟିକା ପ୍ରସ୍ତୁତ…ଟିକାକରଣ କେନ୍ଦ୍ର ବି ପ୍ରସ୍ତୁତ…ପ୍ରତିଟି କେନ୍ଦ୍ରରେ ପୂରା ତୟାର ଭେକ୍ସିନେଟର।  ଦୀର୍ଘ ୧୦ ମାସ ଧରି ଲୋକଙ୍କୁ ଯନ୍ତ୍ରଣା ଦେଇଥିବା, ଆତ୍ମୀୟସ୍ୱଜନଙ୍କୁ ଛଡ଼ାଇ ନେଇଥିବା ମହାମାରୀକୁ ଦୂରେଇବା ଲାଗି ଆସିଛି ସଂଜୀବନୀ ।

ମହାମାରୀ ବିରୋଧୀ ମହାକବଚ ପାଇଁ ଆଜିଠୁ ଆରମ୍ଭ ହେଉଛି ଦେଶବ୍ୟାପୀ ମହାଅଭିଯାନ । ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିଶ୍ୱର ସର୍ବବୃହତ୍ତ ଟିକାକରଣର ଶୁଭାରମ୍ଭ କରିବେ । କୋ-ଓ୍ବିନ୍ ଆପର ବି ଶୁଭାରମ୍ଭ କରିବେ । ପ୍ରାରମ୍ଭରେ ଦେଶର ପ୍ରାୟ ୩ ହଜାର କେନ୍ଦ୍ରରେ ଟିକାକରଣ ଅଭିଯାନ ଆରମ୍ଭ ହେବ ।

ପ୍ରଥମ ପର୍ଯ୍ୟାୟରେ କୋଭିଡ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ । ପ୍ରତି କେନ୍ଦ୍ରରେ ଶହେ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି କୋଭିଡ୍-୧୯ ଭ୍ୟାକସିନ୍ ଦିଆଯିବ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଅଭିଯାନ ଚାଲିବାକୁ ଥିବା ବେଳେ, ପରବର୍ତ୍ତୀ ସମୟରେ ୫ ହଜାରରୁ ଅଧିକ ଟିକାକରଣ କେନ୍ଦ୍ର ଖୋଲିବ ।

ଏଥିଲାଗି କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଟିକାକରଣ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ଣ ୫ଟା ଯାଏଁ ଚାଲିବ । ଅପରାହ୍ନ ୫ଟା ମଧ୍ୟରେ ଯେଉଁ ହିତାଧିକାରୀ ଟିକାକରଣ କେନ୍ଦ୍ରରେ ପହଞ୍ଚିଥିବେ। ଧାର୍ଯ୍ୟ ସମୟ ପରେ ମଧ୍ୟ ସେମାନଙ୍କୁ ଟିକା ପ୍ରଦାନ ଜାରି ରହିବ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟାନ୍ୟ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ । ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଗର୍ଭବତୀ ଏବଂ ଆଲର୍ଜି ଥିବା ବ୍ୟକ୍ତି, କୋଭିଡ ଟିକା ନ ନେବାକୁ ପରାମର୍ଶ ଦିଆଯାଇଛି । ସେହିପରି ୧୪ ଦିନ ଭିତରେ ଅନ୍ୟ କୌଣସି ଟିକା ନେଇଥିଲେ, କୋଭିଡ୍ ଟିକା ନେଇପାରିବେ ନାହିଁ ବୋଲି କୁହାଯାଇଛି।

ଟିକାକରଣ ପାଇଁ ଓଡ଼ିଶାରେ ବି ପ୍ରସ୍ତୁତି ଶେଷ ହୋଇଛି। ରାଜ୍ୟରେ ପ୍ରଥମ ଦଫାରେ  ୧ ଲକ୍ଷ ୯୨ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଟିକା ଦିଆଯିବ।  ତେଣୁ ରାଜ୍ୟର ସମସ୍ତ ୧୬୧ଟି କେନ୍ଦ୍ରରେ ସବୁ ପ୍ରକାର ପ୍ରସ୍ତୁତି ସରିଛି । ଏମିତିକି ଟିକା ସମସ୍ତ ଜିଲ୍ଲା ଓ କୋଲ୍ଡ ଚେନ୍ ପଏଣ୍ଟରେ ପହଞ୍ଚିସାରିଛି।

ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ କାହାକୁ, କେଉଁଦିନ, କେତେବେଳେ ଏବଂ କେଉଁ କେନ୍ଦ୍ରରେ ଟିକା ଦିଆଯିବ ସେନେଇ ଅଧିକାଂଶଙ୍କ ମୋବାଇଲକୁ ମେସେଜ୍ ବି ଆସି ସାରିଛି । ସ୍ୱାସ୍ଥ୍ୟ ବିଭାଗ ଆଶା କରିଛି,  ସବୁ କିଛି ସୁରୁଖୁରୁରେ ହେବ। ଟିକାକରଣ ସମୟରେ ଗଞ୍ଜାମ, ସୁନ୍ଦରଗଡ଼ ଓ କ୍ୟାପିଟାଲ୍ ହସ୍ପିଟାଲରୁ ଫିଡବ୍ୟାକ୍‌ ନେବେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱରର ମୋଟ୍ ୬ଟି ହସ୍ପିଟାଲ୍ ଯଥା କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍-୪, ବିଏମ୍ସି ହସ୍ପିଟାଲ, କିମ୍ସ , ସମ୍ ହସ୍ପିଟାଲ ଏବଂ ଏମ୍ସ ହସ୍ପିଟାଲରେ କୋଭିଡ୍ ଟୀକାକରଣ କରାଯିବ । ଏଥି ସହ ରାଜ୍ୟର ୧୬୧ କେନ୍ଦ୍ରରେ ମଧ୍ୟ ଟିକାକରଣ ହେବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଟିକାକରଣ ପାଇଁ ପ୍ରତି ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ ଲାଇନ୍ ପଠାଯାଇଛି ।

You might also like