ବିଳମ୍ବ ହୋଇପାରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ ! ଆଶଙ୍କା ପ୍ରକାଶ କଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ ବିଳମ୍ବ ହୋଇପାରେ ଟିକାକରଣ ! ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣରେ ବିଳମ୍ବ ହୋଇପାରେ । ଟିକା ଆସିବାରେ ବିଳମ୍ବ ହେଉଥିବାରୁ ଟିକାକରଣକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଟିକାକରଣ ନେଇ ଆଶଙ୍କା ପ୍ରକାଶ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ମେ ମାସରେ କୋଭିସିଲ୍ଡ ଟିକା ପହଞ୍ଚିବା ସମ୍ଭାବନା କ୍ଷୀଣ ଥିବାବେଳେ ମାସର ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ ଆସିବାର ସମ୍ଭାବନା ରହିଛି । ଟିକା ଆସିବା ପରେ ହିଁ ଟିକାକରଣ ଆରମ୍ଭ କରାଯିବ । ସେହିପରି ଫେଜ୍-୩ ଟିକାକରଣ ପାଇଁ କାଲିଠାରୁ ପଞ୍ଜୀକରଣ ଆରମ୍ଭ ହେବ । କୋୱିନ ପୋର୍ଟାଲକୁ ଯାଇ ସମସ୍ତେ ପଞ୍ଜୀକରଣ କରିପାରିବେ ।  ଏହି ପ୍ରକ୍ରିୟା ୨୮ ତାରିଖ ଅର୍ଥାତ ଆସନ୍ତା କାଲି ଠାରୁ ଆରମ୍ଭ ହେବ। କିନ୍ତୁ ଟିକା ନେବା ପାଇଁ ଏବେ ସ୍ଲଟ ଆପଏଣ୍ଟମେଣ୍ଟ ମିଳିବ ନାହିଁ । ଟିକା ଆସିବା ପରେ ହିଁ ପୋର୍ଟାଲ ମାଧ୍ୟମରେ ସ୍ଲଟ ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

୧୮ରୁ ୪୪ ବର୍ଷର ସମସ୍ତଙ୍କୁ ମାଗଣା ଟିକା ଦିଆଯିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ହେଁ ରାଜ୍ୟରେ ଏବେ ଟିକା ନାହିଁ । କୋଭିସିଲ୍ଡ ଟିକା ପାଇଁ ଗତକାଲି ଚିଠି ଲେଖାଯାଇଛି ।  ସେପଟେ ମାଗଣା ଟିକାକରଣ ପାଇଁ ୨ କମ୍ପାନୀକୁ ଅର୍ଡର ଦେଇଛନ୍ତି ରାଜ୍ୟ ସରକାର। ୩ କୋଟି ୭୭ ଲକ୍ଷ ଡୋଜ୍ କୋଭିସିଲ୍ଡ୍ ଟିକା ଓ ୧୦.୩୪ ଲକ୍ଷ ଡୋଜ୍ କୋଭାକ୍ସିନ ପାଇଁ ମଧ୍ୟ ଅର୍ଡର ଦିଆଯାଇଛି।

ସେହିପରି ଦେଶରେ କରୋନା ସ୍ଥିତି ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।  IIT କାନପୁର ଷ୍ଟଡି ଅନୁସାରେ ମେ ୨ୟ ସପ୍ତାହରେ ଶୀର୍ଷ ଛୁଇଁବ କରୋନା । ଆମ ରାଜ୍ୟରେ ଟେଷ୍ଟିଂ କମିନି, ଟାର୍ଗେଟେଡ୍ ସାମ୍ପଲିଂ କରାଯାଇଛି । ସରକାରୀ ସ୍ତରରେ ଆବଶ୍ୟକ ଔଷଧ ମହଜୁଦ ଅଛି, ବେଡ୍‌ର ଅଭାବ ନାହିଁ ବୋଲି କହି ସେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି ।

ସୂଚନାଯୋଗ୍ୟ ଆଜି ପୁଣି ୬ ହଜାର ପାର କରିଛି ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬ ହଜାର ୭୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ବି ଖୋର୍ଦ୍ଧା ଜିଲ୍ଲା ତାଲିକାର ଉପରେ ରହିଛି। ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୦୯୨ ସଂକ୍ରମିତ ବାହାରିଛନ୍ତି। ଫଳରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୩୮୨୭ କ୍ୱାରେଣ୍ଟିନରେ ଥିବାବେଳେ ୨୭୭୨ ଲୋକାଲ କଣ୍ଟାକ୍ଟ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି ।

You might also like