SCB ସହ ୧୧ଟି ସ୍ଥାନରେ ଚାଲିଛି ଟିକାକରଣ

କଟକରେ ଏସସିବି ମେଡିକାଲ ସହ ୧୧ଟି ସ୍ଥାନରେ ଟିକାକରଣ ଆରମ୍ଭ ହୋଇଛି

କଟକ: କଟକରେ ଏସସିବି ମେଡିକାଲ ସହ ୧୧ଟି ସ୍ଥାନରେ ଟିକାକରଣ ଆରମ୍ଭ ହୋଇଛି। ବଡ ମେଡିକାଲରେ ସଫେଇ କର୍ମଚାରୀ ବର୍ଷା ଦେଇ ପ୍ରଥମ ବ୍ୟକ୍ତି ଭାବେ କୋଭିଡ୍ ଟିକା ନେଇଥିଲେ। ଟିକା ନେବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି। କୋଭିଡ୍ ସମୟରେ ନିଜ ଜୀବନକୁ ବାଜି ଲଗାଇ ସେ ଡ୍ୟୁଟି କରୁଥିଲେ। ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଟିକାକରଣ ଚାଲୁ ରହିଛି। ଗଞ୍ଜାମ, କୋରାପୁଟ, ବାଲେଶ୍ୱର, କଟକ, ବଲାଙ୍ଗିର ସମେତ ଅନ୍ୟ ଜିଲ୍ଲାରେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। ଏହାପରେ ସେମାନଙ୍କୁ ଅବଜରଭେସନ୍ ରୁମରେ ରଖି ସ୍ୱାସ୍ଥ୍ୟ ଅନୁଧ୍ୟାନ କରାଯାଇଛି । ଟିକା ନେବା ପରେ କିଛି ଯୋଦ୍ଧା ଆଶ୍ୱସ୍ତ ଲାଭ କରିବା ସହ ଖୁସି ବ୍ୟକ୍ତ କରିଛନ୍ତି।

କୋଭିଡ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ରାଜ୍ୟବାସୀ ଉପନୀତ ହୋଇଥିବା ବେଳ ୧୬୧ଟି କେନ୍ଦ୍ରରେ ୧୬ ହଜାର ୧୦୦ ଜଣଙ୍କୁ ଆଜି ଟିକା ଦିଆଯିବାର ଯୋଜନା ରହିଛି । ସେହିପରି  ୨୫ ତାରିଖ ଭିତରେ ୩.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ଜଣାପଡ଼ିଛି ।

ସବୁ ଟିକାକରଣ କେନ୍ଦ୍ରରେ  ୱେଟିଂ ରୁମ,  ଭ୍ୟାକ୍ସିନ୍ ରୁମ୍ ଓ ଅବଜରଭେସନ୍ ରୁମର ବ୍ୟବସ୍ଥା ହୋଇଛି । ପ୍ରତି କେନ୍ଦ୍ରରେ ୫ ଜଣିଆ ଭ୍ୟାକ୍ସିନେସନ୍ ଟିମ୍ ପ୍ରସ୍ତୁତ ଅଛନ୍ତିା  ତେବେ ଟିକାକରଣକୁ ନେଇ କୌଣସି ପ୍ରଶ୍ନ ବା ସହାୟତାର ଆବଶ୍ୟକତା ଥିଲେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ କିମ୍ବା ୧୦୭୫ ନମ୍ବରରେ ଫୋନ୍ କରିପାରିବେ ।

ଟିକାକରଣ ପାଇଁ ପ୍ରତି ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼ଲାଇନ୍ ପଠାଯାଇଛି । ଗାଇଡ଼ଲାଇନ୍ ଅନୁଯାୟୀ ୧୮ ବର୍ଷରୁ କମ୍ , ଗର୍ଭବତୀ ଓ ସ୍ତନ୍ୟପାନ କରାଉଥବା ମହିଳା, ଅସୁସ୍ଥ ବା ଚିକିତ୍ସାଧୀନଙ୍କୁ ଟିକାକରଣ ବାରଣ ରହିଛି। ଠିକ୍ ସେହିପରି ୧୪ ଦିନ ଭିତରେ ଅନ୍ୟ କିଛି ଟିକା ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ କୋଭିଡ୍ ଟିକା ଦିଆଯିବ ନାହିଁ। କୋଭିଡ ଲକ୍ଷଣ ଥିଲେ ସୁସ୍ଥ ହେବାର ୫ରୁ ୮ ସପ୍ତାହ ପରେ ଯାଇଁ ଟିକା ନେଇ ହେବ ବୋଲି କୁହାଯାଇଛି ।

ତେବେ ମହାମାରୀ ବିରୋଧୀ ମହାକବଚ ପାଇଁ ଆଜି ଠାରୁ ଆରମ୍ଭ ହୋଇଯାଇଛି ଦେଶବ୍ୟାପୀ ମହାଅଭିଯାନ । ପୂର୍ବାହ୍ନ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିଶ୍ୱର ସର୍ବବୃହତ୍ତ ଟିକାକରଣର ଶୁଭାରମ୍ଭ କରିଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ କୋ-ୱିନ୍ ଆପର ବି ଶୁଭାରମ୍ଭ କରିଛନ୍ତି । ପ୍ରାରମ୍ଭରେ ଦେଶର ପ୍ରାୟ ୩ ହଜାର କେନ୍ଦ୍ରରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି ।

ବିଶ୍ୱର ବୃହତ୍ତମ ଟିକାକରଣ ଅଭିଯାନ ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱରେ କେବେ କୌଣସି ଠାରେ ଏପରି ଟିକାକରଣ ହୋଇ ନ ଥିଲା । ବିଶ୍ୱରେ କେବେ କୌଣସି ଠାରେ ଏପରି ଟିକାକରଣ ହୋଇ ନ ଥିଲା। ବିଶ୍ୱରେ ୧୦୦ଟି ଦେଶର ଲୋକଙ୍କ ସଂଖ୍ୟା ୩ କୋଟିରୁ କମ୍। ୩୦ କୋଟିରୁ ଅଧିକ ଲୋକସଂଖ୍ୟା ଦେଶ ଭାରତ, ଚୀନ, USA। ଭାରତ ବିରାଟ ଦେଶ ହୋଇ ବି ଟିକା ପ୍ରସ୍ତୁତ କରି ସାମର୍ଥ୍ୟ ଦେଖାଇଛି ।

You might also like