ଟିକା ଅଭାବରୁ ରାଜ୍ୟର ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ

ଟିକା ନଆସିଲେ କାଲି ଅଧିକାଂଶ ଜିଲ୍ଲାରେ ଷ୍ଟକ୍ ଆଉଟ୍ ହୋଇଯିବ

ଭୁବନେଶ୍ୱର : ଟିକା ଅଭାବରୁ ରାଜ୍ୟର ୯୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଆଜି ଏହି ସୂଚନା ଦେଇଛନ୍ତି । ଆଜି ୫୭୯ଟି କେନ୍ଦ୍ରରେ ଟିକାକରଣ ଚାଲିଛ ଏବଂ ଟିକା ନଆସିଲେ କାଲି ଅଧତ୍କାଂଶ ଜିଲ୍ଲାରେ ଷ୍ଟକ୍ ଆଉଟ୍ ହୋଇଯିବ ସେ କହିଛନ୍ତି । ଯେଉଁ ଜିଲ୍ଲାକୁ ଟିକା ଯାଇଛି ସେଠି ଟିକାକରଣ ଜାରି ରହିବ, ହେଲେ ଅନ୍ୟ ଜିଲ୍ଲାରେ ବାଧ୍ୟ ହୋଇ ଟିକାକରଣକୁ ବନ୍ଦ ରଖାଯିବ । ରାଜ୍ୟରେ ଏବେ ୨,୩୩,୦୦୦ ଡୋଜ କୋଭିସିଲ୍ଡ, ୭୭,୯୬୦ ଡୋଜ କୋଭାକ୍ସିନ ଅଛି ଏବଂ ଅଧତ୍କ ସଂକ୍ରମିତ ଜିଲ୍ଲାକୁ ଟିକାକରଣ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

ସେହିପରି ରାଜ୍ୟରେ କରୋନା ଟିକା ଅଭାବ ନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଜେପି ଶାସିତ ରାଜ୍ୟମାନଙ୍କୁ ଅଧିକ ଟିକା ଦିଆଯାଉଛି । ଟିକା ପ୍ରଦାନରେ ପାତର ଅନ୍ତର ନୀତି ଅବଲମ୍ବନ କରାଯାଉଛି ।  ସବକା ସାଥ ସବକା ବିକାଶ କଥା କହୁଛନ୍ତି କିନ୍ତୁ କାର୍ଯ୍ୟରେ ପ୍ରତିଫଳିତ ହେଉନି ।

ସୂଚନାଯୋଗ୍ୟ ରାଜ୍ୟରେ ଆଜି ୧,୩୭୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୮୦୮ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୫୭୧ ରହିଛି। ସୁନ୍ଦରଗଡ଼ରୁ ସର୍ବାଧିକ ୩୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୮ ଜଣ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯,୫୬୧ରେ ପହଞ୍ଚିଛି। ଆକ୍ଟିଭ୍‌ କେସ୍-୭,୯୭୯ ଥିବାବେଳେ ୩ ଲକ୍ଷ ୩୯ ହଜାର ୬୦୩ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି ।

ସେପଟେ କରୋନା କଟକଣା ପାଇଁ କାଲିଠାରୁ ଭୁବନେଶ୍ୱର ରେଳ ଷ୍ଟେସନରେ ହେବ କଡାକଡି ଚେକିଂ । ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କୁ ଚେକିଂ କରାଯିବ । ବିଏମସି ଏବଂ ଷ୍ଟେସନ ଅଧିକାରୀ ମିଳିତ ଭାବେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।  କାଲିଠାରୁ ଯାତ୍ରୀ ମାନଙ୍କ ପାଇଁ ପ୍ରବେଶ ଓ ପ୍ରସ୍ଥାନ ପଥକୁ ବଦଳାଯାଇଛି । ଯେଉଁ ଯାତ୍ରୀମାନେ ଷ୍ଟେସନ ଭିତରକୁ ପ୍ରବେଶ କରିବେ ସେମାନେ ମାଷ୍ଟରକ୍ୟାଣ୍ଟିନ ବସଷ୍ଟାଣ୍ଡ ପଟେ ଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଷ୍ଟେସନ ଭିତରୁ ପ୍ରସ୍ଥାନ କରିବେ ସେମାନେ ଷ୍ଟେସନ ସମ୍ମୁଖ କିମ୍ବା ଡାହାଣ ପଟେ ବାହାରକୁ ବାହାରିବା ପାଇଁ କୁହାଯାଇଛି ।

You might also like