୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ଦୂର ହେଲା ଟିକା ଦ୍ୱନ୍ଦ୍ୱ

  • ରାଜ୍ୟରେ ଫୋକସରେ ଯୁବବର୍ଗଙ୍କୁ ଟିକାକରଣ
  • ୨୨ ଜିଲ୍ଲାର ସଦର ମହକୁମାରେ ଆରମ୍ଭ ହେଲା ଅଭିଯାନ
  • ୩୨ ସହରରେ ୧୮ ଲକ୍ଷ ଭ୍ୟାକସିନ୍ ଦେବାକୁ ଲକ୍ଷ୍ୟ
  • ବିଦେଶ ଯିବାକୁ ଥିବା ଆଥଲେଟ୍‌ ଓ ଛାତ୍ରଛାତ୍ରୀଙ୍କୁ ଗୁରୁତ୍ୱ
  • ରାଜଧାନୀରେ ଟିକାକରଣରେ ଓ୍ୱାକ୍ଇନ୍ ସୁବିଧା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆଗରେ ଏବେ ବଡ଼ ଚ୍ୟାଲେଞ୍ଜ୍ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ। ୨୨ଟି ଜିଲ୍ଲାର ସଦର ମହକୁମାରେ ଯୁବ ବର୍ଗଙ୍କୁ କୋଭିସିଲଡ୍ ଟିକା ଦେବା ପାଇଁ ନିର୍ଦ୍ଦେଶ ପରେ ଆଜିଠାରୁ ଆରମ୍ଭ ହୋଇଛି ଟିକାକରଣ ଅଭିଯାନ। ରାଜଧାନୀ ଭୁବନେଶ୍ୱରକୁ ଛାଡ଼ି ୩୨ଟି ସହରରେ ୧୮ ଲକ୍ଷ ଯୁବକ ଯୁବତୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ବିଦେଶ ଯିବାକୁ ଥିବା ଆଥଲେଟ୍ ଓ ଛାତ୍ରଛାତ୍ରୀଙ୍କ ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସେପଟେ ଭୁବନେଶ୍ୱରରେ ଆଜିଠାରୁ ସିଧା ଓ୍ୱାକ୍ଇନରେ ଯୁବବର୍ଗଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ ଆରମ୍ଭ ହୋଇଛି।

ବଲାଙ୍ଗିର, ପାରଳାଖେମୁଣ୍ଡି, କେନ୍ଦ୍ରାପଡ଼ା ଏ ତିନି ସହର ସମେତ ୨୨ଟି ଜିଲ୍ଲାର ସଦର ମହକୁମାରେ ଆରମ୍ଭ ହୋଇଛି ଯୁବବର୍ଗଙ୍କ ଟିକାକରଣ। ମେ ୧ରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଏହାର ପ୍ରାୟ ମାସକ ପରେ ଏସବୁ ପୌରାଞ୍ଚଳରେ ଆରମ୍ଭ ହୋଇଛି ଭ୍ୟାକ୍ସିନେସନ୍। ଯାହାକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ। ସବୁ ସେଣ୍ଟରରେ ଲମ୍ବା ଲାଇନରେ ଅପେକ୍ଷା କରିବା ସହିତ ଟିକା ନେବା ପରେ ସେଲ୍ଫି ଉଠାଇବାକୁ ଭୁଲିନଥିଲେ। ଗତ ୫ ତାରିଖରେ ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିଲା ନିର୍ଦ୍ଦେଶନାମା। ଟିକାକରଣକୁ କିପରି ତ୍ୱରାନ୍ୱିତ କରାଯିବ ସେଥିପାଇଁ ପ୍ରସ୍ତୁତି ହୋଇଛି ଯୋଜନା। ସେପଟେ ଚଳିତ ମାସରେ ୩ଟି ପର୍ଯ୍ୟାୟରେ ୬ ଲକ୍ଷ ୪୫ ହଜାର ୭୯୦ ଡୋଜ୍ କୋଭିସିଲଡ୍ ଟିକା ପହଞ୍ଚିବାର ଅଛି। ଯାହାକୁ ମୁଖ୍ୟତଃ ପ୍ରଥମ ଡୋଜ୍ ଲାଗି ବିଭିନ୍ନ ଜିଲ୍ଲାକୁ ଟାର୍ଗେଟ୍ ହିତାଧିକାରୀ ଆଦାରରେ ଯୋଗାଇ ଦିଆଯିବ।

ପୂର୍ବରୁ ୫ ମହାନଗର ନିଗମ ଓ ୬ ଜିଲ୍ଲା ମୁଖ୍ୟାଳୟରେ ଯୁବବର୍ଗଙ୍କ ଟିକାକରଣ ଚାଲିଥିଲା ଏବେ ଭୁବନେଶ୍ୱରକୁ ଛାଡ଼ି ବାକି ୩୨ଟି ସହରରରେ ପ୍ରାୟ ୧୮ ଲକ୍ଷ ଯୁବକ-ଯୁବତୀଙ୍କୁ କୋଭିସିଲ୍ଡ ଟିକା ଦେବାକୁ ବ୍ୟବସ୍ଥା ହୋଇଛି। ସାରା ରାଜ୍ୟରେ ପ୍ରାୟ ୨ କୋଟି ଯୁବାବର୍ଗଙ୍କୁ ୨ ହଜାର କୋଟି ଖର୍ଚ୍ଚରେ ମାଗଣାରେ ଟିକା ଦେବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର। ତେବେ ପର୍ଯ୍ୟାପ୍ତ ପରିମାଣରେ ଟିକା ଉପଲବ୍ଧ ନହେବା ଚିନ୍ତାର କାରଣ ହୋଇଛି।

ସେପଟେ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଯୁବବର୍ଗଙ୍କୁ ସୁରୁଖୁରୁରେ ଦ୍ୱିତୀୟ ଡୋଜ୍ ଟିକା ଦେବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଓ୍ୱାକ୍ ଇନ୍ ଭ୍ୟାକ୍ସିନେସନ୍। କେଉଁମାନେ କେଉଁଦିନ ଟିକା ନେବେ ସେ ସଂପର୍କରେ ବିଏମ୍ସି ପକ୍ଷରୁ ପୂର୍ବରୁ ସୂଚିତ କରାଯାଇଥିଲା, ଫଳରେ ଦ୍ୱିତୀୟ ଡୋଜ୍ ଠିକ୍ ସମୟରେ ମିଳିବ କି ନାହିଁ ବୋଲି ଯେଉଁ ଦ୍ୱନ୍ଦ୍ୱ ରହିଥିଲା ତାହା ଦୂର ହୋଇଛି। ଅପରପକ୍ଷରେ ୧୮ରୁ ୪୪ ବର୍ଷ ବୟସ୍କ, ଯେଉଁମାନେ ଆଦୌ ଟିକା ନେଇନାହାନ୍ତି ସେମାନଙ୍କ ପାଇଁ ୭ଟି ସ୍ଥାନରେ ଡ୍ରାଇଭ ଇନ୍ ଭେକସିନେସନ୍ ମଧ୍ୟ ଆରମ୍ଭ ହୋଇଛି। ସେହିପରି ବିଦେଶକୁ ଯିବାକୁ ଥିବା ଖେଳାଳି ଓ ଛାତ୍ରଛାତ୍ରୀଙ୍କ ଟିକାକରଣ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଚାହୁଁଥିବା ୬୦ ଜଣ ଛାତ୍ରଛାତ୍ରୀ ଟିକାକରଣ ପାଇଁ ପଞ୍ଜୀକରଣ କରିଛନ୍ତି।

ଭୁବନେଶ୍ୱରରୁ ଅର୍ଚ୍ଚନା ଶତପଥୀ ଓ ହରିହର ଚାନ୍ଦଙ୍କ ରିପୋର୍ଟ

You might also like