ଉଠୁଛି ପଡ଼ୁଛି ପିପିଲି, ମୈଦାନରେ ଜମୁଛି ରାଜନେତାଙ୍କ ପ୍ରଚାର

କମ୍ପୁଛି ପ୍ରଚାର

  • ହାଇଭୋଲ୍ଟେଜ୍ ପ୍ରଚାରରେ କମ୍ପୁଛି ପିପିଲି
  • ରୋଡ୍ ସୋରେ ଆଶ୍ରିତଙ୍କ ପାଇଁ ଭୋଟ ମାଗିଲେ ଧର୍ମେନ୍ଦ୍ର
  • ନବୀନଙ୍କୁ ବିଜେପିର ପ୍ରଶ୍ନ, ଏଯାଏ କିଏ ବୁଝୁଥିଲା ପିିପିଲି କଥା ?
  • ପିପିଲିରେ ୧୫ ପ୍ଲାଟୁନ ପୋଲିସ ମୁତୟନ, ବିଏସ୍ଏଫ କଲା ଫ୍ଲାଗମାର୍ଚ୍ଚ

ପିପିଲି: ପ୍ରଚାରରେ ଉଠୁଛି ପଡୁଛି ପିପିଲି। କ୍ୟାମ୍ପେନିଂ ପାଇଁ ମଝିରେ ଆଉ ମାତ୍ର ୨ ଦିନ ଥିବା ବେଳେ ଆଜି ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶାନ୍ତି ଫେରିଲେ ହିଁ ପିପିଲିର ବିକାଶ ହୋଇପାରିବ, ଏହାକୁ ଦୃଷ୍ଟିରେ ରଖି ସେ ଶାନ୍ତି ପାଇଁ ଭୋଟ୍ ଦେବାକୁ ଜନତାଙ୍କୁ ଅପିଲ୍ କରିଛନ୍ତି। ଏଣେ ପ୍ରେସମିଟ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନବାଣ ମାରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ସେପଟେ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ପିପିଲିରେ ପହଞ୍ଚିଯାଇଛି କେନ୍ଦ୍ରୀୟ ଫୋର୍ସ। ଆଜି ବିଏସ୍ଏଫ୍ ଯବାନମାନେ ଫ୍ଲାଗ୍‌ମାର୍ଚ୍ଚ କରିଥିଲେ।

ପିପିଲିରେ ହାଇଭୋଲଟେଜ୍ କ୍ୟାଂପେନ୍ ଚାଲିଛି। କିଏ ପାଟ ପଟୁଆର ସହିତ ତ କିଏ କରିଛି ମହିଳା ସମାବେଶ, ଆଉ କିଏ ଘରକୁ ଘର ବୁଲି ଜନତାଙ୍କୁ ମାଗୁଛି ଭୋଟ୍। ପ୍ରଚାରର ଅନ୍ତିମ ଚରଣରେ ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଧରି କରିଛନ୍ତି ବିରାଟ ରୋଡ୍ ସୋ। ଆଜି ସକାଳେ ଉତ୍ତରା ଛକରୁ ବାହାରିଥିଲା ଶୋଭାଯାତ୍ରା। ହଜାର ହଜାର ସମର୍ଥକଙ୍କ ଗହଣରେ ଗୁଡ଼ଇାପୋଖରୀ, ପିିପିଲି ଏନ୍ଏସି, ଜଟଣୀ ଛକ, ମଙ୍ଗଳପୁର, ତେଇଶିପୁର, ସାତଶଙ୍ଖ, ପଟ୍ଟନାୟକିଆ, ହରିରାଜପୁର, ଡେଲାଙ୍ଗରେ ରୋଡ୍ ସୋ କରି ଧର୍ମେନ୍ଦ୍ର କହିଛନ୍ତି, ପିପିଲିର ଲୋକେ ବିକାଶ ଚାହୁଁଛନ୍ତି, ଶାନ୍ତି ଫେରିଲେ ହିଁ ପିପିଲିରେ ବିକାଶ ହୋଇପାରିବ।

ତେଣୁ ଶାନ୍ତି ପାଇଁ ଲୋକେ ବିଜେପିକୁ ଭୋଟ୍ ଦିଅନ୍ତୁ ବୋଲି ଅପିଲ୍ କରିଥିଲେ ଧର୍ମେନ୍ଦ୍ର। ସେପଟେ ବିଜେଡି ମଧ୍ୟ ପ୍ରଚାରରେ ପଛରେ ପଡ଼ିନି। ଆଜି ବାଲିପୋଖରୀ ମେଳଣ ପଡ଼ିଆରେ ଦଳ କରିଥିଲା ମହିଳା ସମାବେଶ। ବରିଷ୍ଠ ନେତାମାନେ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି। ମଙ୍ଗଳପୁୁରରେ ଭଉଣୀ ପଲ୍ଲବୀ ମଧ୍ୟ ଭାଇ ରୁଦ୍ରଙ୍କ ପାଇଁ ପ୍ରଚାର କରିଛନ୍ତି। ସେପଟେ କଂଗ୍ରେସ ପାଇଁ ଦାନଗହିରୀରେ ପ୍ରଚାର କରିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି, ରମେଶ ଜେନା ପ୍ରମୁଖ।

ଗତକାଲି ଭର୍ଚୁଆଲ ପ୍ଲା୍ଟଫର୍ମରେ ପ୍ରଚାର କରି ମୁଖ୍ୟମନ୍ତ୍ରୀ କହିଥିଲେ, ଏବେ ପିପିଲିର ଦାୟିତ୍ୱ ସେ ନିଜେ ନେବେ। ସେଇ କଥାକୁ ଧରି ବିଜେପି ପ୍ରଶ୍ନ କରିଛି, ଆଗରୁ ତା ହେଲେ କିଏ ଦାୟିତ୍ୱ ନେଇଥିଲା, ସ୍ପଷ୍ଟ କରନ୍ତୁ ନବୀନ। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ୫ ଟି ପ୍ରଶ୍ନ ପଚାରିଛନ୍ତି। ପିପିଲିକୁ ହିଂସ୍ର କରିଛି କିଏ ? ବେବିନା-ଇତିଶ୍ରୀଙ୍କୁ କି ନ୍ୟାୟ ମିଳିଛି ? ହଜାର ହଜାର ଫନି କ୍ଷତିଗ୍ରସ୍ତ ଏବେ ବି କାହିଁକି ପଲିଥିନ ଟାଣି ଖୋଲା ଆକାଶ ତଳେ ରହୁଛନ୍ତି ? ବଡ଼ ଅପରାଧୀ ଧୀରେନ ସାମନ୍ତରାୟଙ୍କୁ ନିର୍ବାଚନ ଦାୟିତ୍ୱ ଦେଇ ମୁଖ୍ୟମନ୍ତ୍ରୀ ହିଂସାକୁ ପ୍ରୋତ୍ସାହନ ଦେଉନାହାନ୍ତି କି? ସମୀରଙ୍କ ପ୍ରଶ୍ନର ଜବାବରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ରାଜ୍ୟରେ ପ୍ରାସଙ୍ଗିକତା ହରାଇଛି ବିଜେପି। ପ୍ରାସଙ୍ଗିକତା ରଖିବାକୁ ହିଁ ଏହି ଦଳ ସବୁବେଳେ ସାମ୍ବାଦିକ ସମ୍ମିଳନୀ କରୁଛି।

ସେପଟେ ପିପିଲିରେ ଏକାଧିକ ନିର୍ବାଚନୀ ହିଂସା ଘଟଣା ପରେ ନିର୍ବାଚନ ମଣ୍ଡଳୀରେ ୩ କମ୍ପାନି ବିଏସ୍ଏଫ୍ ମୁତୟନ କରିଛନ୍ତି ନିର୍ବାଚନ କମିଶନ୍। ବିଏସ୍ଏଫ୍ ଯବାନମାନେ ଆଜି ଫ୍ଲାଗମାର୍ଚ୍ଚ କରିଛନ୍ତି। ପୁରା ନିର୍ବାଚନ ମଣ୍ଡଳୀରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସୁରକ୍ଷା ଦାୟିତ୍ୱରେ ପୁରୀ ଏସ୍ପିଙ୍କ ସହ ଅଛନ୍ତି ୩ ଆଡିସନାଲ୍ ଏସ୍ପି, ୪ ଡିଏସ୍ପି, ଜଣେ ଏସଡ଼ିପିଓ ଏବଂ ୧୧ ଜଣ ଇନ୍ସପେକ୍ଟର। ଆସନ୍ତା ୧୭ରେ ପିପିଲି ଉପନିର୍ବାଚନର ଭୋଟ ପଡ଼ିବାକୁ ଥିବା ବେଳେ ୧୫ ତାରିଖ ସଂଧ୍ୟାରେ ସରିବ ପ୍ରଚାର।

ପିପିଲିରୁ ଦ୍ୱିତୀକୃଷ୍ଣ ପଟ୍ଟନାୟକ, ବଳରାମ ମହାନ୍ତି, ଅରିନ୍ଦମ ଦାସ ଓ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ

You might also like