ଦିନକରେ ଭୁବନେଶ୍ୱରରୁ ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଚିନ୍ତା ବଢାଇଲା ରାଜ୍ୟ ରାଜଧାନୀ, ଆଜି କରୋନା ଆକ୍ରାନ୍ତ ସଂଖ୍ୟାରେ ଭୁବନେଶ୍ୱର ଡବଲ ସେଞ୍ଚୁରୀ। ହୁ ହୁ ହୋଇ ବଢୁଛି ଲୋକାଲ କେସ୍। ଆଜି ଭୁବନେଶ୍ୱରରେ ଆଉ ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୧୫୦ ଓ ୬୫ ଲୋକାଲ କେସ୍‌ ରହିଛି। ଆଜି ଆଉ ୧୩୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଏଯାବତ୍ ଭୁବନେଶ୍ୱରରୁ ୨୩୬୫ ଚିହ୍ନଟ ହୋଇଥିବା ବେଳେ ୧୧୪୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୩ ଜଣଙ୍କ ମୃତ୍ୟୁ ହୋଇଛି।

କେଉଁ ଅଞ୍ଚଳରୁ କେତେ:-

ବାୟାବାବା ମଠ ନିକଟ ୟୁନିଟ-୯ ବସ୍ତିରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସାଲିଆସାହିରୁ ଆଉ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏକ ଘରୋଇ ହସ୍ପିଟାଲର ୧୧ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି।


ସେହିପରି ଆଇଗିଣିଆ ଆଳୁଗଦିରୁ ଆଉ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏକ ଘରୋଇ ହସ୍ପିଟାଲର ୬ କର୍ମଚାରୀ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ରସୁଲଗଡ଼ ଜିଜିପି କଲୋନିରୁ ଆଉ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବିଶ୍ୱେଶ୍ୱରୀ ବସ୍ତିରୁ ୫, ଗ୍ୟାରେଜ ଛକରୁ ୫, ୟୁନିଟ-୩ ମାଳି କଲୋନୀରୁ ୪ ଏବଂ ୟୁନିଟ-୩ ମାଳିସାହିରୁ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ପଜିଟିଭ ସଂଖ୍ୟା ବଢ଼ିବା ନେଇ BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଏବେ ଅଧିକ ମାତ୍ରାରେ ଟେଷ୍ଟିଂ କରୁଛୁ,ସେଥିପାଇଁ ସଂଖ୍ୟା ବଢୁଛି। ଆଜିକା ଦିନରେ ଦୈନିକ ୧୨ଶହରୁ ୧୫ଶହ ଟେଷ୍ଟିଂ କରାଯାଉଛି, ଯେତିକି ରୋଗୀ ଚିହ୍ନଟ ହେଉଛନ୍ତି, ସେଥିରୁ ୮୦% ଲକ୍ଷଣହୀନ। ଆମେ ଅଧିକ ଟେଷ୍ଟିଂ କରିବା ସହ ପୂର୍ଣ୍ଣ ମାତ୍ରାରେ ଟ୍ରେସିଂ ବି କରୁଛୁ।

You might also like