୮ ମାସ ହେଲା ଉତ୍ପାଦନ ବନ୍ଦ, ୫ ମାସ ହେଲା କର୍ମଚାରୀଙ୍କୁ ମିଳିନି ଦରମା

ନବରଙ୍ଗପୁର: ୮ ମାସ ହେଲା ଉତ୍ପାଦନ ବନ୍ଦ,  ୫ ମାସ ହେଲା କର୍ମଚାରୀଙ୍କୁ ମିଳିନି ଦରମା। ନବରଙ୍ଗପୁର ଜିଲ୍ଲାର ଏକମାତ୍ର ଶିଳ୍ପାନୁଷ୍ଠାନ ମଙ୍ଗଳମ୍‌ ଟିମ୍ବର କମ୍ପାନୀରେ ଏଭଳି ସମସ୍ୟା ଦେଖା ଦେଇଛି।  ଏହି କମ୍ପାନୀ ଦୀର୍ଘ ୩୨ ବର୍ଷ ହେଲା ସୁରୁଖୁରୁରେ ଚାଲିଥିଲା ବେଳେ ଗତ ୮ ମାସ ହେଲା ଆର୍ଥିକ ସଙ୍କଟ ଯୋଗୁ ଉତ୍ପାଦନ ବନ୍ଦ ରହିଛି।  ଫଳରେ କମ୍ପାନୀ ସହ କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତତାରେ ଥିବାବେଳେ ମ୍ୟାନେଜର ଚିରାଚରିତ ଢଙ୍ଗରେ ଉତ୍ତର ରଖିଛନ୍ତି।

ମଙ୍ଗଳମ୍‌ ଟିମ୍ବର ୮ ମାସ ହେବ ବନ୍ଦ ରହିଛି। ଏଥିସହ କର୍ମଚାରୀଙ୍କୁ ୫ ମାସ ହେବ ଦରମା ମଧ୍ୟ ମିଳିନାହିଁ। ଫଳରେ ଏବେ କମ୍ପାନୀ ଚାଲୁନଥିବାରୁ ପେଟକୁ ଦାନା କିଭଳି ମିଳିବ ସେ ନେଇ ଚିନ୍ତାରେ କର୍ମଚାରୀ।

୧୯୮୭ ମସିହାର କମ୍ପାନୀର କାମ ସୁରୁଖୁରୁର ଚାଲିଥିଲା। କଞ୍ଚାମାଲ୍‌ର ଅଭାବ ,ଉତ୍ପାଦନ କମିବା ଓ କରେଣ୍ଟ ବିଲ୍‌ ବାକି ପଡ଼ିଥିବା କାରଣରୁ ପ୍ଳାଣ୍ଟ୍‌ରେ ବିଦ୍ୟୁତ୍‌ ସେବା ବନ୍ଦ ରହିଛି। ଫଳରେ ଉତ୍ପାଦନରେ ବାଧା ସୃଷ୍ଟି ହୋଇଛି।

ରପ୍ତାନି, ଆମଦାନୀ ଓ ଅନ୍ୟାନ୍ୟ କ୍ଷେତ୍ରରେ ବକେୟା ପଡ଼ିଥିବାରୁ ପୁନର୍ବାର କାର୍ଯ୍ୟକ୍ଷମ ହେବା ନେଇ ସନ୍ଦେହ ରହିଛି ବୋଲି ଶ୍ରମିକ ୟୁନିୟନ୍‌ ନେତା ଅଭିଯୋଗ କରିଛନ୍ତି। ସେପଟେ, ଏ ସମ୍ପର୍କରେ ୨ ରୁ ୩ ମାସ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି କମ୍ପାନୀର ଜେନେରାଲ୍‌ ମ୍ୟାନେଜର୍‌ କହିଛନ୍ତି।

ଅନ୍ୟପଟେ, ସ୍ଥାନୀୟ ବିଧାୟକ ଓ ଜିଲ୍ଲା ପ୍ରଶାସନ ବି କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।

ଗୋଟିଏ ପଟେ ୫ ମାସ ହେବ ଦରମା ନମିଳିବା କର୍ମଚାରୀଙ୍କୁ ଯେତିକି ବାଧିନି, ଏହା ବନ୍ଦ ହେବ ବୋଲି ଶୁଣାଯିବା ପରେ କର୍ମଚାରୀଙ୍କ ଚିନ୍ତା ବଢ଼ିଛି। ଏଭଳି ପରିସ୍ଥିତିରେ ପ୍ରଶାସନ ହସ୍ତକ୍ଷେପ କରି ସମସ୍ୟାର ସମାଧାନ ଲାଗି ଚେଷ୍ଟା କରିବାକୁ ଶ୍ରମିକ ଦାବି କରିଛନ୍ତି।

You might also like