ଆରମ୍ଭ ହେଲା +୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ ପାଠପଢ଼ା : କଲେଜ ଓ ବିଶ୍ୱବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି

  • ଆଜିଠାରୁ କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ
  • ଆରମ୍ଭ ହେଲା କଲେଜ, ବିଶ୍ୱବିଦ୍ୟାଳୟରେ କ୍ଲାସ୍
  • +୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ କ୍ଲାସ୍ ଆରମ୍ଭ
  • କଲେଜ ଓ ବିଶ୍ୱବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି
  • ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ୍ ବ୍ୟବସ୍ଥାର ହେବ କଡ଼ାକଡ଼ି ପାଳନ

ଭୁବନେଶ୍ୱର: ଦୀର୍ଘ ୧୦ ମାସ ପରେ କରୋନାର ପ୍ରାଦୁର୍ଭାବ ଟିକିଏ କମିବା ପରେ ଆଜିଠାରୁ ଆରମ୍ଭ ହେଲା କଲେଜ, ବିଶ୍ୱବିଦ୍ୟାଳୟରେ କ୍ଲାସ୍। ଏତେ ଦିନ ପରେ ଛାତ୍ରଛାତ୍ରୀ ପାଇଁ ଚଳଚଞ୍ଚଳ ହୋଇପଡିଛି କଲେଜ୍ ପରିସର। ଏତେ ଦିନ ବ୍ୟବଧାନରେ କଲେଜ ଖୋଲିଥିବାରୁ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ ହୋଇଛି। ଏଥିପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ହୋଇଛି।

ଛାତ୍ରଛାତ୍ରୀ ବସିବାକୁ ଥିବା ବେଂଚ ଡେସ୍କକୁ ପୂର୍ବରୁ ସାନିଟାଇଜ କରାଯାଇଛି। ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ୍ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।  ଛାତ୍ରଛାତ୍ରୀ କିପରି ନିୟମ ମାନିବେ ସେ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ରହିଛି। ସେହିପରି ଆଜିଠାରୁ ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନ ବି ଖୋଲିଛି।  ଦେହ ଖରାପ ଥିଲେ କିମ୍ବା ଅସୁସ୍ଥ ଅନୁଭବ କରୁଥିଲେ, ନିଜକୁ ଅନ୍ୟମାନଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।  

ଦୀର୍ଘ ଦିନ ପରେ ମହମାରୀରୁ ଟିକିଏ ଆଶ୍ୱସ୍ତି ମିଳିଛି। ଧୀରେ ଧୀରେ ରାଜ୍ୟ ତଥା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇ‍ବାରେ ଲାଗିଛି। ଏପିରିସ୍ଥଳେ  ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି। ପୂର୍ବରୁ ଦଶମ  ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିସାରିଥିବା ବେଳେ ଗତ ୮ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀ ପିଲା ସ୍କୁଲ ଯାଉଛନ୍ତି । ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ଯାଏ  ଦୁଇ ଘଣ୍ଟାରେ ନବମ ଓ ଏକାଦଶ ଶ୍ରେଣୀର ୩ଟି  ଲେଖାଏ ପିରିୟଡ୍ ପାଠପଢ଼ା ହେଉଛି।

ଗଣିତ, ଇଂରାଜୀ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଆଦି ବଷୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ପ୍ରତି ଶ୍ରେଣୀ ଗୃହରେ ସମାଜିକ ଦୂରତା ରଖି ୨୦ରୁ ୨୫ ଛାତ୍ରଛାତ୍ରୀ ବସିବାର ବ୍ୟବସ୍ଥା ହୋଇଛି । ଏହାପରେ ପୂର୍ବାହ୍ନ ୧୧ଟାରୁ  ଆରମ୍ଭ ହେଉଛି ଦଶମ ଶ୍ରେଣୀ ପାଠପଢ଼ା। ଏପ୍ରିଲ ୩୦ ଯାଏଁ ଏହି ଉଭୟ ଶ୍ରେଣୀ ପିଲାଙ୍କୁ କ୍ଲାସ୍‌ରୁମ୍‌ ଟିଚିଂ ଦିଆଯିବ ବୋଲି ସ୍କୁଲ ଓ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।

 

You might also like