ପିଲାମାନଙ୍କ ବଦଳରେ ପାଠ ପଢ଼ୁଛନ୍ତି ମା’, ନିଜେ ପଢ଼ିବେ ଘରକୁ ଯାଇ ପିଲାଙ୍କୁ ପଢ଼ାଇବେ

ନିଆରା ଢ଼ଙ୍ଗରେ ଶିକ୍ଷାଦାନ, ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭିନ୍ନ ପ୍ରୟାସ

ସୁବର୍ଣ୍ଣପୁର(ଦିଲ୍ଲୀପ କୁମାର ସାହୁ): ନିଆରା ଢ଼ଙ୍ଗରେ ପାଠପଢ଼ା । ଶିକ୍ଷାବର୍ଷ ଶେଷ ହେବାକୁ ବସିଥିବା ବେଳେ ପାଠପଢାରେ ବାଧା ସାଜିଛି କରୋନା ମହାମାରୀ ।  ତେବେ ପିଲାଙ୍କୁ ପାଠ ପଢ଼ାଇ‍ବା ପାଇଁ ଭିନ୍ନ ରାସ୍ତା ବାହାର କରିଛନ୍ତି ଶିକ୍ଷକ ।  ଘରେ ମୋବାଇଲ ଥାଉ ବା ନଥାଉ, ଗାଁରେ ନେଟୱର୍କ୍ ରହୁ ବା ନରହୁ, ସବୁ ପିଲା ପାଠ ପଢ଼ିବେ । ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ ବଲେନପାଲି ଗାଁରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ଶିକ୍ଷକମାନେ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ଯାହାକୁ ନେଇ ସାରା ଅଚଂଳରେ ଏବେ ବେଶ୍ ଚର୍ଚ୍ଚା ।

ପିଲା ଆସୁନାହାନ୍ତି, ବିଦ୍ୟାଳୟ ପରିସରରେ ସାମାଜିକ ଦୁରତା ରଖିବା ସହ ମୁହଁରେ ମାସ୍କ ଲଗାଇ ଦଳଦଳ ହୋଇ ବସୁଛନ୍ତି ମହିଲା । ସମସ୍ତଙ୍କ ସାମ୍ନାରେ ବହିଖାତା ଓ ହାତରେ ଧରିଛନ୍ତି ପେନ୍ । ଶିକ୍ଷକମାନେ ମା’ ମାନଙ୍କୁ କରୁଛନ୍ତି ଶିକ୍ଷାଦାନ । ସୁବର୍ଣ୍ଣପୁର ଜିଲ୍ଲା ଡୁଗୁଂରିପାଲି ବ୍ଲକ ପଣ୍ଡକିଟାଲ ପଚାଂୟତ ବଲେନପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଏକ ଅଭିନବ ଉପାୟରେ ଚାଲିଛି ଶିକ୍ଷାଦାନ। ପ୍ରକୃତରେ ଏମାନେ କୌଣସି ଶିକ୍ଷୟିତ୍ରୀ ବା ଛାତ୍ରୀ ନୁହନ୍ତି। ଏଠାରେ ଶିକ୍ଷକମାନେ ମା’ ମାନଙ୍କୁ   ଉଜ୍ୱଳ ଓ ଉତ୍‌ଥାନ ପାଠ୍ୟ ପୁସ୍ତକ ପଢାଉଛନ୍ତି। ସେମାନେ ପାଠପଢିବେ, ଆଉ ପାଠ ବୁଝିଲା ପରେ ଘରେ ଯାଇ ନିଜ ନିଜର ପିଲାମାନଙ୍କୁ ପଢାଉବେ । ଶିକ୍ଷକଙ୍କ ଏପରି ନିଆରା ଶିକ୍ଷାଦାନ ପାଇଁ ଘରେ ରହିବି କୁନି କୁନି ପିଲାମାନେ ସହଜରେ ପାଠପଢ଼ି ପାରୁଛନ୍ତି ।

ମହାମାରୀ ସମୟରେ କୁନି କୁନି ପିଲା ସ୍କୁଲକୁ ଆସିପାରୁନଥିବା ବେଳେ ସେମାନଙ୍କର ପାଠପଢାରେ ବାଧା ସୃଷ୍ଟି ହୋଇଛି । ସମସ୍ତଙ୍କର ମୋବାଇଲ ନଥିବାରୁ ଗ୍ରାମାଞ୍ଚଳରେ ଥିବା ଗରୀବ ପିଲାମାନେ ଶିକ୍ଷାଦାନରୁ ବଂଚିତ ହେଉଛନ୍ତି । ତେବେ ଏହି ସମସ୍ୟାର ସମାଧାନ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମା’ଙ୍କୁ ପାଠ ପଢ଼ାଇ ପିଲାଙ୍କୁ ଶିକ୍ଷିତ କରିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ଗାଁରେ ଏକ ବୈଠକ କରି ବିଦ୍ୟାଳୟ କର୍ତ୍ତୃପକ୍ଷ ଗ୍ରାମବାସୀଙ୍କୁ ପ୍ରସ୍ତାବ ଦେଇଥିଲେ । ଲୋକଙ୍କ ସହମତି କ୍ରମେ ବିଦ୍ୟାଳୟର ଏହି ନିଆରା ଶିକ୍ଷାଦାନ ସଫଳ ହୋଇପାରିଛି ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି । ତେବେ ମହାମାରୀ ସମୟେର ଏହି ନିଆରା ଶିକ୍ଷା ପଦ୍ଧତିକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

You might also like