ଅଡୁଆରେ ବିଜେଡିର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ

ଭୁବନେଶ୍ୱର: ପୁଣି ଅଡୁଆରେ ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ। କନିଷ୍ଠ ଯନ୍ତ୍ରୀଙ୍କ ଦୁର୍ବବ୍ୟହାର କରି ଏଥର ଫସିଛନ୍ତି ବିଧାୟକ। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର କନିଷ୍ଠ ଯନ୍ତ୍ରୀ ଜଗବନ୍ଧୁ ସାହୁ ଓ ଅନ୍ୟ ଷ୍ଟାଫଙ୍କୁ ବିଧାୟକ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ କନିଷ୍ଠ ଯନ୍ତ୍ରୀ ଜଗବନ୍ଧୁ ସାହୁ ଚଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୀକାରୀଙ୍କୁ ଚିଠି ଲେଖି ଗତ ୧୫ ତାରିଖ ରାତିର ଘଟଣା ସଂପର୍କରେ ଅବଗତ କରାଇଛନ୍ତି।

ଘଟଣାଟି ଥିଲା ଏମିତି:-

୧୫ ତାରିଖ ରାତି ୧୧ଟା ବେଳେ ବିଧାୟକ ଜଗଦ୍ଦେବ, ତାଙ୍କ ପରିବାର, ବାଣପୁର ବିଡିଓ ଓ ତାଙ୍କ ସ୍ୱାମୀ ସିଡିଏ ସାଇଣ୍ଟିଷ୍ଟ ହଷ୍ଟେଲରେ ପହଞ୍ଚିଥିଲେ। ତାଙ୍କ ପାଇଁ ୨୦୩, ୨୦୪, ଓ ୨୦୫ ନମ୍ବର ରୁମ୍ ବୁକ୍ ହୋଇଥିବା ସେଠାରେ ଉପସ୍ଥିତ ଥିବା ଯନ୍ତ୍ରୀ ଜଗବନ୍ଧୁ ସାହୁ ଓ କେୟାର ଟେକର ତାଙ୍କୁ ଜଣାଇଥିଲେ। ତେବେ ଏଥିରେ ଉତ୍‌କ୍ଷୀପ୍ତ ହେବା ସହ ୨୦୧ ଓ ୨୦୨ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ, ତାସହିତ ଗାଲିଗୁଲଜ କରିଥିବା କନିଷ୍ଠ ଯନ୍ତ୍ରୀ ଚିଠିଲେ ଉଲ୍ଲେଖ କରିଛନ୍ତି।

ସେହିପରି ଜୋର ଜବରଦସ୍ତ ୨୦୧ ଓ ୨୦୨ ରୁମ୍ ଖୋଲି ବିଧାୟକ ରହିଥିଲେ। ନିଶାସକ୍ତ ଅବସ୍ଥାରେ ଥିବା ବିଧାୟକ ଚନ୍ଦ୍ରାପୁଟିଆ ଲୋକଙ୍କୁ ଡକାଇ ସେମାନଙ୍କୁ ମାଡ ମାରିବାକୁ ଧମକ ବି ଦେଇଥିଲେ। ବିଧାୟକ ୨୦୪ ନମ୍ବର ରୁମ୍‌ରେ ରାତି ୨ଟା ୩୦ ପର୍ଯ୍ୟନ୍ତ ଡ୍ରିଙ୍କସ୍ କରିଥିବା ଚିଠିରେ ଉଲ୍ଲେଖ ରହିଛି।

ସେପଟେ ଚିଲିକା ଉନ୍ନୟନ୍ନ କର୍ତ୍ତୁପକ୍ଷଙ୍କୁ ଏନେଇ ଯୋଗାଯୋଗ କରାଯାଇଥିଲା ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ। ତେବେ କନିଷ୍ଠ ଯନ୍ତ୍ରୀ ଜଗବନ୍ଧୁଙ୍କଠାରୁ ଅଭିଯୋଗ ପାଇବା ପରେ ବାଲୁଗାଁ ଥାନାକୁ ତାହା ପଠାଯାଇଥିବା ଜଣାପଡିଛି। ସେପଟେ ବିଧାୟକ ପ୍ରଶାନ୍ତ ଜଗଦେବ କ୍ୟାମେରା ସାମନାକୁ ନଆସିଥିଲେ ମଧ୍ୟ ଫୋନ୍‌ରେ କହିଛନ୍ତି ଯେ ସେମିତି କିଛି ଘଟଣା ଘଟି ନାହିଁ, ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ।

ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନାଁରେ ଏଭଳି ଅଭିଯୋଗ କିଛି ନୂଆ ନୁହେଁ। ବୌଦ୍ଧ ଜିଲ୍ଲା ମନୁମୁଣ୍ଡାଠାରେ ମାରପିଟ୍ ଘଟଣା ହେଉ କି ନିଜର ପୁରୁଣା ନିର୍ବାଚନମଣ୍ଡଳୀ ବୋଲଗଡ ବେଗୁନିଆରେ। ସରକାରୀ ଅଧିକାରୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ ହେଉ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ପ୍ରଶାନ୍ତ ଜଗଦେବ। ତେବେ ଦଳ ସୁପ୍ରିମୋ ତାଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ କରୁଛନ୍ତି ତାହା ଦେଖିବା କଥା।

You might also like