ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ତଦନ୍ତ ପ୍ରକ୍ରିୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମୋଟିଭେସନ୍‌ନାଲ୍ ସ୍ପିକର ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଚିଠି ଲେଖିଛନ୍ତି।

ଏହି ଘଟଣାରେ ଜିଆର୍‌ପିର ତଦନ୍ତ ସନ୍ତୋଷଜନକ ନୁହେଁ, ତେଣୁ କମିଶନରେଟ୍ ପୋଲିସକୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଯଦି ବାସ୍ତବରେ ଏହା ଏକ ଆତ୍ମହତ୍ୟା ନ ହୋଇ ହତ୍ୟା ହୋଇଥାଏ, ତେବେ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ। ଯାହା ଫଳରେ ଆଇନ୍‌ ଉପରେ ଲୋକଙ୍କ ଆସ୍ଥା ଅତୁଟ ରହିବ ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ।

ଅନ୍ୟପକ୍ଷରେ, ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଏହି ଘଟଣାରେ ଲାଏ ଡିଟେକ୍ସନ ଟେଷ୍ଟ ଦାବି କରିଛନ୍ତି।  ନିଜର ଓ ଆଦିତ୍ୟଙ୍କ ସହଯୋଗୀ ପପୁ, ବିକାଶ ଓ ଦୀପୁର ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ ସେ ଦାବି କରିଛନ୍ତି। ଲାଏ ଡିଟେକ୍ସନ ଟେଷ୍ଟ କଲେ ଅନେକ ସତ୍ୟ ପଦାକୁ ବାହାରିବ ବୋଲି ବିଦ୍ୟାଶ୍ରୀ କହିଛନ୍ତି।

ଗତ ୬ ତାରିଖରେ ଲିଙ୍ଗରାଜ ଷ୍ଟେସନ୍ ଟ୍ରେନ୍ ଲାଇନରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା।

You might also like