‘ଋଣ କରି ଘିଅ ପିଅ’ ନ୍ୟାୟରେ ଚାଲିଛନ୍ତି କି ରାଜ୍ୟ ସରକାର?

ଭୁବନେଶ୍ୱର : ନୂଆ ଘୋଷଣା ପାଇଁ ଋଣ ଭରସା। ‘ମୋ ସରକାର’ରେ ମୁଖ୍ୟମନ୍ତ୍ରୀ ବଡ଼ ବଡ଼ ଘୋଷଣା କରିଥିବା ବେଳେ ଗତକାଲି ସରକାର ଖୋଲା ବଜାରରୁ ପୁଣି ୫୦୦ କୋଟି ଟଙ୍କା ଋଣ କରିଛନ୍ତି। ଏଥର ଅତିରିକ୍ତ ବଜେଟ୍‌ରେ ଅଧିକ ଟଙ୍କା ନ ମାଗିବାକୁ ସବୁ ବିଭାଗକୁ ଅର୍ଥ ବିଭାଗ ନିର୍ଦ୍ଦେଶ ଦେବା ପରେ ନୂଆ ଘୋଷଣା ପାଇଁ ଅର୍ଥ ଯୋଗାଡ଼, ଆର୍ଥିକ ଶୃଙ୍ଖଳାକୁ ଗଡ଼ବଡ଼ କରିବାର ଆଶଙ୍କାକୁ ବଢ଼ାଇ ଦେଇଛି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ୪୦୦ କୋଟିର ବଡ଼ ବଡ଼ ଘୋଷଣା । ଆଉ ଦିନକ ପରେ ଖୋଲା ବଜାରରୁ ୫୦୦ କୋଟି ଋଣ ଉଠାଣ ।  ଏହାକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ ୧୫ ଶହ କୋଟି ଋଣ କରିସାରିଲେଣି ସରକାର। ପ୍ରଶ୍ନ ଉଠୁଛି ଋଣକୁ ଭରସା କରି ସରକାର ବଡ଼ ବଡ଼ ଘୋଷଣା କରୁନାହାଁନ୍ତି ତ ? ଖାସ୍ କରି ମୋ ସରକାରରେ ବଡ଼ ବଡ଼ ଘୋଷଣାକୁ ଦେଖି ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଅଭିଯୋଗ  କରିଛନ୍ତି ରାଜ୍ୟର ବିସ୍ଫୋରକ ଆର୍ଥିକ ସ୍ଥିତି ଭିତରେ ସରକାର ଲୋକଙ୍କୁ ଭଣ୍ଡାଇବା ପାଇଁ ଘୋଷଣା କରୁଛନ୍ତି। କଂଗ୍ରେସ ମଧ୍ୟ ସମାନ ଢ଼ଙ୍ଗରେ ସରକାରଙ୍କୁ ନିଶାନା କରିଛି।

କେନ୍ଦ୍ରୀୟ ବଜେଟରେ ଏଥର ଓଡ଼ିଶାର ଟିକସ ଭାଗ କମିଛି। କେନ୍ଦ୍ରୀୟ ଟିକସ ବାବଦକୁ ଓଡ଼ିଶାକୁ ୩୯ ହଜାର ୨ ଶହ କୋଟି ମିଳିବାର ଆକଳନ ହୋଇଥିବା ବେଳେ ଏଥରୁ ୧୬୪୮ କୋଟି କମ୍ ମିଳିଛି। ଏପଟେ କାଳିଆ ପରି ଯୋଜନାରେ ଅଧିକ ହିତାଧିକାରୀ ଯୋଡ଼ି ସରକାର ରାଜସ୍ୱ ଖର୍ଚ୍ଚକୁ ବଢ଼ାଇ ୫ ହଜାର ୬୦୦ କୋଟି କରିଛନ୍ତି।  ଆଗକୁ ଆଗତ ହେବାକୁ ଥିବା ଅତିରିକ୍ତ ବଜେଟରେ ବି ଅଧିକ ବ୍ୟୟ ବରାଦ ସମ୍ଭାବନା କମ୍। କାରଣ ଅଧିକ ଟଙ୍କା ନ ମାଗି ଖର୍ଚ୍ଚ ହୋଇପାରୁ ନଥିବା ଟଙ୍କାକୁ  ଆଡଜଷ୍ଟ କରିବାକୁ ଦୁଇ ସପ୍ତାହ ତଳେ ନିର୍ଦ୍ଦେଶ ଦେଇସାରିଛି ଅର୍ଥ ବିଭାଗ।

 ସେହିପରି କାଳିଆ , ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଓ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ବି ବ୍ୟୟ ବରାଦ ସରକାରଙ୍କ ଚିନ୍ତା ବଢାଇଛି।

ଏବେ ରାଜ୍ୟର ଋଣଭାର ୮୭ ହଜାର କୋଟି ଥିବା ବେଳେ ଚଳିତ ଆର୍ଥିକ ବର୍ଷ ଶେଷ ବେଳକୁ ଏହା ୧ ଲକ୍ଷ ୬ ହଜାର କୋଟି ଟପିବ ବୋଲି ଆକଳନ କରାଯାଉଛି। ଯଦିଓ ଏଥର ଅଗଷ୍ଟ ସୁଦ୍ଧା ରାଜସ୍ୱ ଆୟ ୭ ପ୍ରତିଶତ ବଢିଛି ତଥାପି ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ଆଗକୁ ରାଜସ୍ୱ ଆଦାୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ରହିଛି।

You might also like