ବେଲଟିକିରି ସେଲଟର ହୋମ୍ ନିର୍ଯାତନା ଘଟଣାରେ ଉଦ୍‌ବେଗ ପ୍ରକାଶ କଲେ ମାନେକା ଗାନ୍ଧି

ଢେଙ୍କାନାଳ : ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ନିର୍ଯାତନା ଘଟଣାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଚିଠି ଲେଖିଛନ୍ତି। ଜିଲ୍ଲା ହେଡ୍‌କ୍ୱାର୍ଟରରୁ ମାତ୍ର ୧୦ କିଲୋମିଟର ଦୂରରେ ଏଭଳି ଜଘନ୍ୟ ଘଟଣାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ଏହି ଘଟଣାରେ ଶିଶୁ ସୁରକ୍ଷା ଯୋଜନାର ବଡ଼ ଧରଣର ଉଂଲଘନ ହୋଇଛି। ଏଥିରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଆଡ଼କୁ ସେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏହି ଘଟଣାରେ ରାଜ୍ୟ ସରକାର ଶିଶୁଙ୍କ ସୁରକ୍ଷା ଓ କଲ୍ୟାଣ ଦିଗରେ ପଦକ୍ଷେପ ନେବାରେ ସଂପୂର୍ଣ୍ଣ ଫେଲ୍‌ ମାରିଥିବା ପଦାକୁ ଆସିଛି। ସଂପୃକ୍ତ ଅଧିକାରୀ ଏହି ଘଟଣାରେ ନିଜେ ନୈତିକ ଦାୟିତ୍ୱ ନେବା ଆବଶ୍ୟକ ବୋଲି ମାନେକା ଚିଠିରେ ଉଲ୍ଲେଖ କରିଛନ୍ତି।

ଏହାସହ ଘଟଣାର ତଦନ୍ତ ପାଇଁ ସେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାର ସମସ୍ତ ସେଲଟର୍ ହୋମ୍ ପରିଦର୍ଶନ ପାଇଁ ମଧ୍ୟ ସେ NCPCRକୁ ଦେଇଛନ୍ତି ନିର୍ଦ୍ଦେଶ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ସେ ଚିଠି ଲେଖିଛନ୍ତି।

ସେଲଟର ହୋମ୍‌ର ପରିଚାଳନା ସଂସ୍ଥା ରାଜ୍ୟରେ ଧର୍ମାନ୍ତରୀକରଣ କରିବା ସହ ଏହାର ମାଲିକ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଓ ଚାଲାଣ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର। ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କ ଚିଠି ପାଇବା ପରେ ଧର୍ମେନ୍ଦ୍ର ରାଜନାଥଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

 

You might also like