ବିଜେଡିକୁ ଧର୍ମେନ୍ଦ୍ରଙ୍କ କଟାକ୍ଷ: ଅହଙ୍କାରୀଙ୍କ ସଦ୍‌ବୁଦ୍ଧି ହେଉ

ଭୁବନେଶ୍ୱର: ବିଜେଡିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ। ବାଲେଶ୍ୱର ରୁପ୍‌ସାରେ ଉପନିର୍ବାଚନ ପ୍ରଚାରରେ ଯୋଗ ଦେଇ ଧର୍ମେନ୍ଦ୍ର କଟାକ୍ଷ କରି କହିଛନ୍ତି, ଅହଙ୍କାରୀଙ୍କ ସଦ୍‌ବୁଦ୍ଧି ହେଉ। ପ୍ରଜାତନ୍ତ୍ରରେ ଅହଙ୍କାରର ସ୍ଥାନ ନାହିଁ। ବିଜେଡି ବାଲା କାରବାର ଆରମ୍ଭ କଲେଣି ବୋଲି ଚର୍ଚ୍ଚା ହେଲାଣି। ସ୍ୱୟଂ ସହାୟିକାଙ୍କୁ ଜଣ ପିଛା ୨ ଶହ ଟଙ୍କା ଲେଖାଏଁ ଦିଆଯାଉଥିବା କୁହାଯାଉଛି।

ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି, ଯଦି ଦେବାର ଥିଲା, କରୋନା ବେଳେ କାହିଁକି ଦେଲ ନାହିଁ? ବାଲେଶ୍ୱରର ବିକାଶ ପାଇଁ ମୋଦି ପ୍ରାୟ ୧ ହଜାର କୋଟି ଟଙ୍କା ଦେଇଛନ୍ତି। ମୋଦି ଟଙ୍କା ଦେଉଥିବା ସତ୍ତ୍ୱେ ଏଠି କାମ ହେଉନି। ଏଠିକା ଯୁବକ ବାହାରକୁ ଯାଉଛନ୍ତି।

ବାଲେଶ୍ୱରକୁ ଦେଶର ଅଗ୍ରଣୀ ବାଣିଜ୍ୟିକ ପେଣ୍ଠସ୍ଥଳ କରିବାକୁ ମୋଦି ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି। ଧର୍ମେନ୍ଦ୍ର ବାଲେଶ୍ୱର ସଦର ଆସନରେ ଠିଆ ହୋଇଥିବା ମାନସ ଦତ୍ତଙ୍କୁ ବିପୁଳ ଭୋଟ ଦେଇ ଜିତାଇବାକୁ ସେ ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି।

ସେପଟେ ବିଜେଡି ମଧ୍ୟ ପ୍ରଚାରକୁ ଜୋରଦାର କରିଛି। ଦଳୀୟ ନେତା ଓ କର୍ମୀ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି। ରାଜ୍ୟ ସରକାରଙ୍କ ଅଧିକାଂଶ ମନ୍ତ୍ରୀ, ବିଜେଡି ବିଧାୟକ ଓ ପଡ଼ୋଶୀ ଜିଲ୍ଲାର ପଞ୍ଚାୟତସ୍ତରର କର୍ମୀ ଆସି ବିଜେଡି ପାଇଁ ପ୍ରଚାର କରୁଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥିନୀ ମମତା କୁଣ୍ଡୁ ନିଜେ ଦୁଆର ଦୁଆର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର ଆସି ଗତକାଲି ପ୍ରଚାର କରିଥିଲେ।

You might also like