କେନ୍ଦ୍ର ପ୍ରାକ୍ ବଜେଟ୍ ଆଲୋଚନାରେ ରାଜ୍ୟର ଦାବି ଉପସ୍ଥାପନ କଲେ ଅର୍ଥ ମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ରାକ୍ ବଜେଟ୍ ଆଲୋଚନା ବେଳେ ରାଜ୍ୟ ତରଫରୁ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ସେଣ୍ଟ୍ରାଲ୍ ସେଲ୍ସ ଟ୍ୟାକ୍ସ ଆକ୍ଟ ୧୯୫୬ର ଧାରା ୮ ଉପଧାରା-୩ରେ ସଂଶୋଧନ କରି ଫର୍ମ ‘ସି’ର ଅପବ୍ୟବହାର କରାଯାଇ ହାଇସ୍ପିଡ୍ ଡିଜେଲର ଅନ୍ତଃରାଜ୍ୟ କ୍ରୟକୁ ରୋକାଯିବା ପାଇଁ ନିରଞ୍ଜନ ଦାବି କରିଛନ୍ତି।

ସେହିପରି ବର୍ଷ ୨୦୨୧-୨୨ରେ ଓଡ଼ିଶାରେ ଚାଲୁ ରହିଥିବା ତଥା ନୂତନ ଭାବେ ନିଆଯାଉଥିବା ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ଅତିକମ୍‌ରେ ୭ ହଜାର ୨ ଶହ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଅର୍ଥମନ୍ତ୍ରୀ।

ଓଡ଼ିଶାରେ ଥିବା ଅଣବ୍ୟାଙ୍କ୍ ଗ୍ରାମପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବା, ରାଜ୍ୟର ଅନଗ୍ରସର ଅଞ୍ଚଳରେ ଇଣ୍ଟରନେଟ୍ ବ୍ୟବସ୍ଥା ତଥା ଅନ୍ୟାନ୍ୟ ଟେଲି ପ୍ରକଳ୍ପ ପାଇଁ ୨୦୨୧-୨୨ ବର୍ଷରେ ଓଡ଼ିଶା ପାଇଁ ଅତିକମ୍‌ରେ ୫ ହଜାର ୬୫୦ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ନିରଞ୍ଜନ।

ରାଜ୍ୟରେ ଥିବା ଜାତୀୟ ରାଜପଥଗୁଡ଼ିକର ନିର୍ମାଣ ତଥା ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ଆବଶ୍ୟକ ବଜେଟ୍ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ସେହିପରି ଶକ୍ତି କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ଦୂର କରିବାକୁ ଦାବି କରିଛନ୍ତି ଅର୍ଥମନ୍ତ୍ରୀ। ପାଇପ୍ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ଆବଶ୍ୟକ ବ୍ୟୟ ବରାଦ କରିବା ସହ ରାଜ୍ୟମାନଙ୍କର ସ୍ୱାର୍ଥଜଡ଼ିତ ଥିବା ଜରୁରୀ ନିଷ୍ପତ୍ତି ପୂର୍ବରୁ ରାଜ୍ୟ ସରକାରମାନଙ୍କ ସହ ପୂର୍ବାଲୋଚନା କରିବାକୁ ଦାବି ହୋଇଛି।

ଦେଶରେ କରୋନା ଲଢ଼େଇ ଚାଲିଥିବା କାଳରେ ଫେବ୍ରୁଆରି ୧ ତାରିଖରେ ବର୍ଷ ୨୦୨୧-୨୨ର ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ବଜେଟ୍‌ ଦେଶର ଅର୍ଥନୀତିକୁ ବଳ ଦେବ ବୋଲି ଆଶା କରାଯାଉଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟ ମାସିକ ଧାରାରେ ଦେଶର ଅର୍ଥନୀତୀ ବିଯୁକ୍ତ ୨୩.୯ ପ୍ରତିଶତ ହୋଇଯାଇଥିଲା।

 

You might also like