ଘର ତିଆରି ଲାଗି ସାରା ରାଜ୍ୟରେ ଗୋଟିଏ ନିୟମ

ଭୁବନେଶ୍ୱର: ଘର ତିଆରି ଲାଗି ଏବେ ସାରା ରାଜ୍ୟ ପାଇଁ ଗୋଟିଏ ନିୟମ ଯେ, କୌଣସି ଜିଲ୍ଲା ବା ସହର ହେଉ, ଏକକ ନିୟମ ଅନୁସାରେ ଘର ନିର୍ମାଣ କରାଯିବ। ତାସହିତ ୨୦୧୫ ଆଇନରେ ଥିବା ନିୟମକୁ ଅନେକାଂଶରେ କୋହଳ କରିଛନ୍ତି ରାଜ୍ୟ ସରକାର। ଯାହାକି ବହୁତଳ ଅଟ୍ଟାଳିକା ନିର୍ମାଣକୁ ପ୍ରୋତ୍ସାହିତ କରିବ। ଆଗରୁ ୪ ମହଲା ବିଲଡିଂକୁ ଆପାର୍ଟମେଣ୍ଟ କୁହାଯାଉଥିଲା। ଏଥିପାଇଁ ପ୍ଲାଟ ସାଇଜ୍ ଅତି କମ୍‌ରେ ୫ଶହ ବର୍ଗ ମିଟର ହେବା ଆବଶ୍ୟକ ଥିଲା ମାତ୍ର ଏବେ ୮ଟି ଘର ଥିବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯିବ।

ସେହିପରି ପ୍ଲଟ ସାଇଜର କୌଣସି ପ୍ରତିବନ୍ଧକ ରହିବ ନାହିଁ। ଫଳରେ ରାଜ୍ୟରେ ବି ଅନ୍ୟ ମେଟ୍ରୋ ସିଟି ଓ ଦୁବାଇ, ସିଙ୍ଗାପୁର, ଏବଂ ହଂକଂ ଭଳି ନଭଶ୍ଚୁମ୍ଭୀ ଅଟ୍ଟାଳିକା ତିଆରି ହୋଇପାରିବ। ପୂର୍ବରୁ ଘର ତିଆରି ସଂପର୍କିତ ବିଭିନ୍ନ ମଞ୍ଜୁରୀ ପାଇବା ଲାଗି ଉନ୍ନୟନ କର୍ତ୍ତୁପକ୍ଷଙ୍କ କାର୍ଯ୍ୟାଳୟକୁ ବହୁ ବାର ଦୌଡ଼ିବାକୁ ପଡୁଥିଲା। ନୂଆ ନିୟମରେ ଏହାର ସରଳୀକରଣ କରାଯାଇଛି।

ମଡେଲ ପ୍ଲାନ ମୁତାବିକ ଘର ନିର୍ମାଣ କରିବାକୁ ହେଲେ ଆବଶ୍ୟକ ଟଙ୍କା ଓ ଅଣ୍ଡରଟେକିଂ ଦେଇ କାମ ଆରମ୍ଭ କରିହେବ। ପୁରୁଣା ଘର ନବୀକରଣ ଲାଗି ଅନୁମତି ଦେବାକୁ ପଡିବ ନାହିଁ। ଫ୍ଲୋର ଏରିଆ ରେସିଓ ଦେୟକୁ ୫୦ ପ୍ରତିଶତ ହ୍ରାସ କରାଯାଇଛି। ବିଭିନ୍ନ ଦେୟକୁ କିସ୍ତିରେ ଦେବା ବ୍ୟବସ୍ଥା ବି ହୋଇଛି।

ସାମ୍ପ୍ରତିକ ସ୍ଥିତିରେ ରିଅଲ ଇଷ୍ଟେଟ କ୍ଷେତ୍ରକୁ ଏହା ପ୍ରୋତ୍ସାହିତ କରିବା ବୋଲି ବିଲଡରମାନେ ମତ ଦେଇିଛନ୍ତି। କାରଣ ପୂର୍ବରୁ ସପିଂ ମଲ ପାଇଁ ୫୦ ପ୍ରତିଶତ, ବ୍ୟବସାୟିକ କୋଠା ପାଇଁ ୪୦ ପ୍ରତିଶତ ଓ ବାସଗୃହ ପାଇଁ ୩୦ ପ୍ରତିଶତ ପାର୍କିଂ ସ୍ପେଶର ବ୍ୟବସ୍ଥା ଥିଲା ମାତ୍ର ଏବେ ଏହାକୁ କୋହଳ କରାଯାଇଛି। ସେହିପରି ପୂର୍ବରୁ ପ୍ରକଳ୍ପ ଶେଷ ହେଲେ ଅକୁପାନ୍ସୀ ପ୍ରମାଣପତ୍ର ମିଳୁଥିଲା ମାତ୍ର ଏବେ ଆଂଶିକ  ଅକୁପାନସି ପ୍ରମାଣ ପତ୍ର ମିଳିପାରିବ।

ରାଜ୍ୟ ସରକାର ଘର ତିଆରି ଆଇନକୁ ଲୋକାଭିମୁଖି କରିବାକୁ ପ୍ରୟାସ କରିଛନ୍ତି। ତେବେ ବାସ୍ତବ କ୍ଷେତ୍ରରେ ରିୟଲ ଇଷ୍ଟେଟ୍ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାରେ ଏହା କେତେ ସଫଳ ହେଉଛି ଦେଖିବା କଥା।

You might also like