ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ମହାଦେବ ମୁଣ୍ଡିଆ ପର୍ଯ୍ୟଟନ ସ୍ଥଳ

କେନ୍ଦୁଝର  : ପାହାଡ଼ ଜଙ୍ଗଲ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କେନ୍ଦୁଝର ଜିଲ୍ଲାରେ ରହିଛି ଅନେକ ମନୋରମ ପର୍ଯ୍ୟଟନ ସ୍ଥଳୀ।  ହେଲେ ଜିଲ୍ଲାର ବାଂଶପାଳ ବ୍ଲକ ଚମ୍ପାଝରରେ ଥିବା ‘ମହାଦେବ ମୁଣ୍ଡିଆ’ ପାହାଡ଼ ପର୍ଯ୍ୟଟନ ମାନଚିତ୍ରର ଆଢୁଆଳରେ ରହିଯାଇଥିବା ଅଭିଯୋଗ ହୋଇଛି। ଏହି ଅଞ୍ଚଳରେ ଦୁଇଟି ସୁନ୍ଦର ଜଳପ୍ରପାତ ରହିଛି ।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ହେଡ଼୍ କ୍ୱାର୍ଟରରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ ବରଗୋଡ଼ା ଛକ। ଏହି ଠାରୁ ୪ କିଲୋମିଟର ମାଟି ରାସ୍ତାରେ ଗଲେ ପଡ଼େ ଚଂପାଝର ଗାଁ। ଗାଁରୁ ପାଦଚଲା ଜଙ୍ଗଲ ରାସ୍ତାରେ ପ୍ରାୟ ଏକ କିଲୋମିଟର ଚାଲିଯିବାପରେ ଆସେ ‘ମହାଦେବ ମୁଣ୍ଡିଆ’ ପାହାଡ଼।

ପ୍ରାକୃତିକ ପରିଶରେ ଘେରା ଏହି  ପାହଡ଼ରୁ ଦୁଇଟି ଜଳ ପ୍ରପାତ ଝରି ଆସିଛି। ପାହାଡ଼ ଉପରେ ମହାଦେବଙ୍କ ଲିଙ୍ଗ ଥିବାରୁ ଏହାର ନାମ ‘ମହାଦେବ ମୁଣ୍ଡିଆ’ ରହିଛି। ଏହା ବ୍ୟତୀତ ଏଠାରେ ନିମାଇ ନାମକ ଜଣେ ଋଷି ଅବସ୍ଥାନ କରିଥିବାରୁ ଏହାର ଅନ୍ୟ ନାମ ‘ନିମାଇ ଝର’ ରହିଛି ଏବଂ ଏହି ଦୁଇ ଜଳପ୍ରପାତ ପାଲଲହଡ଼ା ଉପଖଣ୍ଡର ନଗିରା ଅଞ୍ଚଳରୁ ଆସି ବଡ଼ଝରି ଅଞ୍ଚଳରେ ପଡ଼ିଛି। ଏଣୁ ଏହାର ଆଉ ଏକ ନାମ ‘ବଡ଼ଝରି ପ୍ରପାତ’ ରହିଛି। ଅଞ୍ଚଳରେ ଦୁଇଟି ଜଳପ୍ରପାତ ଏକାସଙ୍ଗେ ରହିଥିବା ବେଳେ ଏହା ଲୋକଲୋଚନକୁ ଆସିପାରିନାହିଁ।

ସେପଟେ ଏହାକୁ ପର୍ଯ୍ୟଟକଙ୍କ ଲାଗି ଖୋଲିବା ଲାଗି ଜିଲ୍ଲା ପର୍ଯ୍ୟଟନ ବିଭାଗ ସରକାରଙ୍କ ନିକଟକୁ ଚିଠି ଲେଖିଛି। ଏହାର ଉନ୍ନତି ଲାଗି ପର୍ଯ୍ୟଟନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଗଲେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ ବୋଲି ଜିଲ୍ଲା ପର୍ଯ୍ୟଟନ ବିଭାଗ ଦାବି କରିଛି।

You might also like