କାମ ଚାଲୁଥିବା ବେଳେ ଭଶୁଡିଲା ପୋଲ, ଚାଲିଗଲା ଜୀବନ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ପୋଲ ଭୁଶୁଡ଼ି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଶ୍ରମିକ ଆହତ ହୋଇଛନ୍ତି। ତାଲାପଦର ପାଖରେ ନିର୍ମାଣାଧିନ ପୋଲ ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ ବେଳେ ଅଘଟଣ ଘଟିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଏହି ଘଟଣାରେ ଜିଲ୍ଲାପାଳଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି ଉନ୍ନୟନ କମିଶନର। ସମ୍ପୃକ୍ତ ଠିକାଦାର ଓ ଅଧିକାରୀଙ୍କ ନାଁରେ ଫୌଜଦାରୀ ମାମଲା ଏବଂ ଠିକାଦାର ଓ ଅଧିକାରୀଙ୍କୁ ଗିରଫ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସୁନାବେଡା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘଟଣା ସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି

ସୂଚନା ଅନୁସାରେ ପ୍ରତିଦିନ ପରି ଆଜିବି ପୋଲ କାମ ଚାଲୁଥିଲା। ପୋଲ ଉପରେ ସ୍ଲାପ୍ ପଡୁଥିଲା। ଠିକା ଶ୍ରମିକ କାମ ସାରି ଯିବା ପରେ ଅପରାହ୍ନରେ ବାହାର ଶ୍ରମିକ ଆସି ସ୍ଲାପ୍‌କୁ ସଜାଡୁଥିଲେ। ତେବେ ଲେବଲ କରିବା ସମୟରେ ଏହି ଅଘଟଣ ଘଟିଥିଲା। ଆଜି ପଡ଼ିଥିବା ସମସ୍ତ ସ୍ଲାପ୍ ଭାଙ୍ଗି ସେମାନଙ୍କ ଉପରେ ପଡ଼ିଯାଇଥିଲା। ଉପରେ ଯେଉଁ ଶ୍ରମିକମାନେ କାମ କରୁଥିଲେ, ସେମାନେ ସ୍ଲାପ୍‌ ସହ ତଳକୁ ଖସିପଡ଼ିଥିଲେ।

ଏହି ଅଘଟଣ ପରେ ଉମରକୋଟ ଥାନାଧିକାରୀ ପହଞ୍ଚିଛନ୍ତି। ଏହା ପୂର୍ବରୁ ତାଲାପଦର ଯୁବକ ଉଦ୍ଧାର କରି ଆମ୍ୱୁଲାନ୍ସରେ ଉମରକୋଟ ଗୋଷ୍ଠୀ ମେଡିକାଲରେ ପଠାଇଥିଲେ। ଏହି ଘଟମାରେ ଜଣକର ମୃତ୍ୟୁ ହୋଇଛି। ଆଉ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏବେ କୌଣସି ବିଭାଗୀୟ ଅଦିକାରୀ ପହଞ୍ଚି ନଥିବାର ସୂଚନା ମିଳିଛି।

You might also like