• ଗୋଟିଏ ପଟେ ମହାମାରୀ, ଅନ୍ୟପଟେ ପିଲାଙ୍କ କ୍ୟାରିୟର୍
  • ଦେଢ଼ବର୍ଷ ଧରି କ୍ଲାସରୁମ୍ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀ
  • କୋପ ଥମୁଥିବାରୁ ଏବର୍ଷ ସ୍ୱାଭାବିକ ହେବ କି ସ୍କୁଲ ଶିକ୍ଷା?
  • ସରକାରଙ୍କ ଦ୍ୱନ୍ଦ୍ୱ ବଢ଼ାଉଛି ତୃତୀୟ ଲହର ଆଶଙ୍କା

ଭୁବନେଶ୍ୱର: ନା ସ୍କୁଲ, ନା ପରୀକ୍ଷା? କରୋନା ପାଇଁ ପାଖାପାଖି ଦେଢ଼ ବର୍ଷ ହେବ ଅନିଶ୍ଚିତତାରେ ଭବିଷ୍ୟତ। ଓଡ଼ିଶା ଭଳି ରାଜ୍ୟର ଅଧିକାଂଶ ଉପାନ୍ତ,ଅନୁନ୍ନତ ଅଞ୍ଚଳରେ ଅନ୍ ଲାଇନ୍ ଶିକ୍ଷା ତ ସ୍ୱପ୍ନ ଆଉ ଏଭଳି ସ୍ଥିତିରେ ଏବର୍ଷ କଣ ହେବ ପିଲାଙ୍କ ଭାଗ୍ୟ? ଦ୍ୱିତୀୟ ଲହରର କୋପ କମୁଥିବାରୁ ଆଗକୁ ସ୍ୱାଭାବିକ ହେବକି ସ୍କୁଲ୍ ଶିକ୍ଷା? ତେବେ ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ବିଶେଷଜ୍ଞଙ୍କ ମତକୁ ଅପେକ୍ଷା କରିଛନ୍ତି ରାଜ୍ୟ ସରକାର। ତେଣୁ ଏବେ ପ୍ରଶ୍ନ ଉଠୁଛି ଏବର୍ଷ ସ୍କୁଲ କ୍ଲାସରୁମରେ ପାଠ ପଢ଼ା ହେବ ତ ?

ମହାମାରୀ ଆସିଛି, ସଚେତନତା ବି ବଢିଛି। ସଂକ୍ରମଣ ଲଗାତର ତଳମୁହାଁ ଗତିକୁ ଦେଖି ସ୍ଥିତି ଯଦିଓ ନିୟନ୍ତ୍ରଣକୁ ଆସିଲା ଭଳି ଲାଗୁଛିି, ହେଲେ ସରକାରଙ୍କ ଦ୍ୱନ୍ଦ୍ୱ ବଢ଼ାଉଛି ତୃତୀୟ ଲହର ଆଶଙ୍କା। ଗୋଟିଏ ପଟେ ମହାମାରୀ, ଅନ୍ୟପଟେ ପିଲାଙ୍କ କ୍ୟାରିୟର। ଅନ୍ଲାଇନ୍ ଶିକ୍ଷା ଜାରି ରହିଥିଲେ ବି ଏହା ଅନେକାଂଶରେ ଫଳପ୍ରଦ ହୋଇପାରୁନି। ବିଶେଷ କରି ଉପାନ୍ତ ଓ ପଛୁଆ ଅଞ୍ଚଳରେ ତ ଏକଦମ୍ ଫେଲ୍। ଏଭଳି ସ୍ଥିତିରେ ଚଳିତବର୍ଷ ସରକାର ସ୍କୁଲ୍ ଖୋଲିବାକୁ କାଲକୁଲେଟିଭ୍‌ ରିସ୍କ ନେବେ, ନା ଗତ ବର୍ଷଭଳି ଅନ୍ଲାଇନ୍ ଶିକ୍ଷାକୁ ଗୁରୁତ୍ୱ ଦେବେ। ତାକୁ ନେଇ ଚର୍ଚ୍ଚା ତେବେ ମନ୍ତ୍ରୀ କହିଛନ୍ତି ଏବେଠୁ କିଛି କହିହେବନି।

ସେପଟେ ଶିଶୁଙ୍କ ପାଇଁ ଟିକା ଏବେବି ପରୀକ୍ଷଣସ୍ତରରେ ରହିଛି। ଟିକା ଆସିଲେ ୨ରୁ ୧୮ ବର୍ଷ ବୟସ୍କଙ୍କୁ ମିଳି। ବିଶେଷଜ୍ଞଙ୍କ ମତରେ, ଭାରତରେ ଟ୍ରାଏଲ୍ ସଫଳ ହେଲେ ୨ରୁ ୩ ମାସ ଭିତରେ ଶିଶୁଙ୍କ ପାଇଁ ଟିକା ଉପଲବ୍ଧ ହୋଇପାରିବ। ହେଲେ ଶିଶୁଙ୍କ ସମ୍ପୂର୍ଣ୍ଣ ଟିକାକରଣ ପାଇଁ ଆହୁରି ପ୍ରାୟ ୬ ମାସ ସମୟ ଲାଗିଯିବ। ଏଭଳି ସ୍ଥଳେ ଛାତ୍ରଛାତ୍ରୀଙ୍କ ମତ, ପର୍ଯ୍ୟାୟକ୍ରମେ ଅଧିକ ସେକ୍ସନ କରି ସ୍କୁଲ୍ ଖୋଲାଯାଉ  ହେଲେ ଅଭିଭାବକଙ୍କୁ କିନ୍ତୁ ଖାଇ ଗୋଡ଼ାଉଛି ସଂକ୍ରମଣ ଡର।

ଗତ ଶିକ୍ଷାବର୍ଷରେ ମହାମାରୀ ପାଇଁ ୩୦ ପ୍ରତିଶତ କୋର୍ସ କାଣ୍ଟଛାଣ୍ଟ ହେଲା। ଅନଲାଇନ୍‌ରେ ୭୦ ପ୍ରତିଶତ କୋର୍ସ କଭର ବି ହେଲା। ହେଲେ ବି ଦ୍ୱିତୀୟ ଲହର ଆସିଯିବାରୁ ପରୀକ୍ଷା ବି ହୋଇପାରିଲାନି। ଆଉ ଏବର୍ଷ ବି ସବୁ କିଛି ଅନିଶ୍ଚିତତା ଭିତରେ ଏଭଳି ସ୍ଥିତିରେ ପିଲାଏ ଆଗକୁ କେମତି ପଢ଼ିବେ, ଆଉ ଭବିଷ୍ୟତ ଗଢ଼ିବେ ତାହା ହିଁ ବଡ଼ପ୍ରଶ୍ନ।

ଜୟପୁରରୁ ଟି.ଗୌରୀଶଙ୍କର, ସୋରରୁ ନିରଞ୍ଜନ ବେହେରା ଓ ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ରିପୋର୍ଟ

Other Stories